ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀଙ୍କ ସଭାରୁ ଅଧାରୁ ଉଠି ଚାଲିଆସିଲେ ଲୋକ । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡିରେ । ଗତକାଲି ପାରଳାଖେମୁଣ୍ଡି ଏସ କେ ସି ଜି ଖେଳ ପଡିଆ ଠାରେ ଚାଲିଥିଲା ଆମ ହସ୍ପିଟାଲ ରୁପାନ୍ତରିକରଣର ଶୁଭ ଉଦଘାଟନ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5 ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ।
ହଠାତ୍ ଜନ ସାଧାରଣ ସଭାସ୍ଥଳରୁ ଚାଲି ଯାଇଥିଲେ । କେବଳ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କିଛି ବିଜେଡ଼ିର ନେତା ହିଁ ବସିଥିଲେ । ଏଭଳି ସମୟରେ ସରକାରୀ ଅଧିକାରୀ, ପୋଲିସ ଏମିତିକି ଖୋଦ୍ ଜିଲ୍ଲାପାଳ ମଧ୍ୟ ଲୋକଙ୍କ ନିକଟକୁ ଦୌଡିଥିଲେ ଓ ସେମାନଙ୍କୁ ଅଟକାଇବାକୁ ବହୁ ଚେଷ୍ଟା କରିବା ସତ୍ତ୍ବେ ବିଫଳ ହୋଇଥିଲେ । ହସ୍ପିଟାଲ ଉଦଘାଟନୀ ସମାରୋହରେ ଉଦଘାଟନୀ ପୂର୍ବରୁ ଚାଲିଯାଇଥିଲେ ହଜାର ହଜାର ଜନ ସାଧାରଣ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ସବୁ ଚେୟାର ଖାଲି ରହିଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।
ସେହିପରି ଏହି କାର୍ଯ୍ୟକ୍ରମକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସ୍ଥାନୀୟ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ କହିଛନ୍ତି ଯେ ସରକାରୀ ପ୍ରୋଟୋକଲ ଅନୁସାରେ କାର୍ଯ୍ୟକ୍ରମକୁ ଜିଲ୍ଲାର ଅନ୍ୟ କୌଣସି ଦଳର ବିଧାୟକଙ୍କୁ ନଡାକି କେବଳ ଶାସକ ଦଳର ବିଧାୟକଙ୍କୁ ଡାକି ଜିଲ୍ଲାପାଳ ବିଜେଡି ପ୍ରେମ ଦେଖାଉଛନ୍ତି । ଜିଲ୍ଲାପାଳ ବିଜେଡି ପାଇଁ କାମ କରି ସ୍ଥାନୀୟ ବିଧାୟକମାନଙ୍କୁ ଅଣଦେଖା କରି କେବଳ ସାଂସଦଙ୍କୁ ଧରି କାର୍ଯ୍ୟକ୍ରମ କରୁଛନ୍ତି । ତେଣୁ ବିଧାୟକ ନଥିବାରୁ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଧାରୁ ଚାଲିଗଲେ । ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସାଂସଦ କହିଛନ୍ତି ଲୋକେ ସଭା ସରିବା ପର୍ଯ୍ୟନ୍ତ ଥିଲେ ।
ଏହା ମଧ୍ୟ ପଢନ୍ତୁ ... ଆସନ୍ତା ୫ବର୍ଷରେ ୧୮୫୮ ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’
ସୂଚନା ଥାଉ କି ଯେ ଗତକାଲି ଗଜପତି ଜିଲ୍ଲାର ଦୁଇ ଗୋଟି ଆମ ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଚନ୍ଦ୍ରଗିରିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିର ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କାରେ ରୂପାନ୍ତରୀକରଣ କରାଯାଇଛି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦ୍ରଗିରିର ୨ କୋଟି ୭୮ ଲକ୍ଷ ଟଙ୍କାରେ ରୂପାନ୍ତରୀକରଣ କରାଯାଇଛି । ହସ୍ପିଟାଲ ରୂପାନ୍ତରୀକରଣ ହେବା ଦ୍ବାରା ଜିଲ୍ଲାର ସମସ୍ତ ଜନସାଧାରଣ ବହୁତ ଉପକୃତ ହେବେ ।
ଗତକାଲି ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଓ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିଲେ । ଏହି ଉତ୍ସବରେ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଗଣ ସମେତ ବହୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଗଜପତି