ବୌଦ୍ଧ: ରୋଡ ସୋ', ରାଲିରେ କମ୍ପୁଛି ବୌଦ୍ଧ । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀର ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କିଏ ଘର ଘର ବୁଲି ଭୋଟ ମାଗିଲାଣି ତ ଆଉ କିଏ ଶୋଭାଯାତ୍ରାରେ ଯାଇ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛି । ଚଳିତ ନିର୍ବାଚନରେ ବୌଦ୍ଧର ଦୁଇଟି ଯାକ ଆସନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ତେବେ ମୋଦି ଗ୍ୟାରେଣ୍ଟିକୁ ନେଇ ବିଜେପି ଶାସକ ବିଜେଡ଼ି ଦଳ ଉପରେ ଭାରି ପଡୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ପକ୍ଷରୁ ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ଷଷ୍ଠ ଥର ପାଇଁ ପ୍ରାର୍ଥୀ କରିଥିବା ବେଳେ ସେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ସେହିପରି ବିଜେପି ପକ୍ଷରୁ ଯୁବ ପ୍ରାର୍ଥୀ ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଏବଂ କଂଗ୍ରେସରୁ ବରିଷ୍ଠ ନେତା ନବ କୁମାର ମିଶ୍ର ନାମାଙ୍କନ ଭରିଛନ୍ତି । ନିର୍ବାଚନକୁ ଦିନ କେଇଟା ଥିବାବେଳେ ଏବେ ତିନୋଟି ଯାକ ଦଳର ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବା ପ୍ରୟାସରେ ଲାଗି ପଡିଛନ୍ତି ।
ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିୁଛନ୍ତି । ସେପଟେ ବିଜେପି ଦଳର ପ୍ରାର୍ଥୀ ସରୋଜ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ମୋଦି ଗ୍ୟାରେଣ୍ଟିକୁ ମୁଦ୍ଦା କରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ଆଉ ଏଭଳି ସ୍ଥିତିରେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ନାମାଙ୍କନ ପତ୍ର ଦାଖଲ ପରେ ଦଳୀୟ ନେତା ଓ କର୍ମୀଙ୍କୁ ଏକତ୍ରିତ କରି ଘର ଘର ବୁଲି ଭୋଟ ମାଗୁଛନ୍ତି ।
ନିର୍ବାଚନ ପାଖେଇବା ସହ ବୌଦ୍ଧରେ ବେଶ୍ ଉଷ୍ମ ହେବାର ଲାଗିଛି ରାଜନୀତି ପାଣିପାଗ । ଖରା ତାତିଠୁ ବଳି ଯାଇଛି ନିର୍ବାଚନୀ ତାତି । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରଚଣ୍ଡ ରୌଦ୍ରତାପରେ ହାଇଭୋଲଟେଜ ପ୍ରଚାର ସହ ନାମାଙ୍କନ ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା । ଏହି ତିନି ପ୍ରମୁଖ ରାଜନୈତିକ ଦଳ ସହିତ ଆହୁରି କେତେକ ସ୍ବାଧୀନ ତଥା ଅନ୍ୟାନ୍ୟ ଦଳର ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଶାସକ ବିଜେଡ଼ି ଦଳକୁ କଡା ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ।
ଇଟିଭି ଭାରତ, ବୌଦ୍ଧ