ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ବିଜେପି ଓ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରି ସାରିଛନ୍ତି । ଏଥର ଲୋକସଭା ନିର୍ବାଚନ ଲଢିବା ନେଇ ଅନେକ ନୂଆ ଚେହେରା ମଧ୍ୟ ସାମ୍ନାକୁ ଆସିପାରନ୍ତି । ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ସେ ନିର୍ବାଚନ ଲଢନ୍ତି, ତେବେ ବିଜେପି ତାଙ୍କୁ ପଶ୍ଚିମବଙ୍ଗରୁ ପ୍ରାର୍ଥୀ କରିପାରେ । ଏହି ଖବର ନେଇ କୌଣସି ସ୍ପଷ୍ଟତା ମିଳିନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହେଉଛି । ପଶ୍ଚମବଙ୍ଗ ପକ୍ଷରୁ ଶାମି ଘରୋଇ କ୍ରିକେଟ ଖେଳିଥିବାରୁ ଦଳ ଏଠାରୁ ତାଙ୍କୁ ପ୍ରାର୍ଥି କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଏହା ମଧ୍ୟ ପଢନ୍ତୁ-ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର
ଏକ ବିଶେଷସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ଲଢିବାକୁ ବିଜେପି ଶାମିଙ୍କୁ ପ୍ରସ୍ତାବ ଦେଇଛି । କିନ୍ତୁ ଏନେଇ ସେ କିଛି ନିଷ୍ପତ୍ତି ନେଇନଥିବା କୁହାଯାଉଛି । ଏପରି ଖବର ପ୍ରସାରଣ ପରେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ । ବିଶ୍ବକପ ମ୍ୟାଚ୍ ପରଠାରୁ ଖେଳରୁ ଦୂରେଇ ରହିଛନ୍ତି ମହମ୍ମଦ ଶାମି । ନିକଟରେ ସେ ତାଙ୍କ ଗୋଇଠିର ଅସ୍ତ୍ରୋପଚାର କରିଥିଲେ । ବ୍ରିଟେନର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିବା ବେଳେ ତାଙ୍କୁ ଫିଟ୍ ହେବା ପାଇଁ ଆହୁରି ସମୟ ଲାଗିବ । ଏଥିପାଇଁ ସେ ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ସିଜିନରୁ ମଧ୍ୟ ବାଦ ପଡ଼ିଛନ୍ତି । ଚିକିତ୍ସା ସମୟର କିଛି ଫଟୋ ଏକ୍ସରେ ସେୟାର କରିଥିଲେ ସାମି । ତେବେ କ୍ରିକେଟ ମୈଦାନରୁ ରାଜନୀତିକୁ ଶାମି ଓହ୍ଲାଇବେ ନା ନାହିଁ, ଏନେଇ ପ୍ରଶଂସକଙ୍କ ମନରେ ସସପେନ୍ସ ଲାଗି ରହିଛି । କେତେକ ଏହାକୁ ସ୍ବାଗତ କରିଥିବାବେଳେ କିଛି ଶାମିଙ୍କ ରାଜନୀତିକୁ ଆସିବା ଖବରକୁ ପସନ୍ଦ କରୁନାହାନ୍ତି ।
ଏହା ମଧ୍ୟ ପଢନ୍ତୁ-ରାଜନୀତିରୁ ସନ୍ୟାସ ଘୋଷଣା କଲେ ଗୌତମ ଗମ୍ଭୀର
ଏହା ମଧ୍ୟ ପଢନ୍ତୁ-ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ମନା କଲେ ମନମୋହନ, ରାଜ୍ୟରେ ଏକାକୀ ଲଢିବ ବିଜେପି
ବିଜେପିର ଶୀର୍ଷ ସୂତ୍ରରୁ ଜଣାପଡିଛି ଯେ, ମହମ୍ମଦ ଶାମିଙ୍କୁ ଆସନ୍ତା ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ଆଲୋଚନା ସକରାତ୍ମକ ରହିଥିଲା । ଯଦି ସେ ନିର୍ବାଚନ ଲଢନ୍ତି, ତେବେ ବଙ୍ଗଳାର ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ଆସନ ଜିତି ପାରିବେ । ବସିରହାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ଶାମିଙ୍କୁ ଛିଡା କରିବାକୁ ଚାହୁଁଛି ଦଳ । ଏହି ନିର୍ବାଚନମଣ୍ଡଳୀ ବର୍ତ୍ତମାନ ଅତ୍ୟନ୍ତ ସମ୍ବେଦନଶୀଳ । ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ, ଶାମିଙ୍କୁ ବସିରହାଟ ଆସନରୁ ପ୍ରାର୍ଥୀ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ ହେବ । କାରଣ ଶାମି ଭାରତୀୟ କ୍ରିକେଟର ଜଣେ ଚର୍ଚ୍ଚିତ ଖେଳାଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ