ଭୁବନେଶ୍ବର: ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥର ମତଦାନରେ ନୂଆ ଭୋଟର ଏବଂ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭୋଟ ପ୍ରତିଶତ ବଢ଼ିବା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ କି ? ଏଥିରେ କାହାକୁ ମିଳିବ ଫାଇଦା, ଏହାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଶାସକ ଦଳର ହେଭିୱେଟ ନେତା ଭିକେ ପାଣ୍ଡିଆନ ଦମ୍ଭୋକ୍ତି ବାଢ଼ିଛନ୍ତି ବିଜେଡି କ୍ଲିନ ସୁଇପ କରି ରାଜ୍ୟରେ ପୁଣି ସରକାର ଗଢ଼ିବ । ବିଜେପି ମଧ୍ୟ ଜୁନ ୧୦ରେ ନିଜର ସରକାରର ଶପଥ ଗ୍ରହଣ ତାରିଖ ଘୋଷଣା କରିସାରିଛି । ପଛରେ ପଡିଥିବା କଂଗ୍ରେସ ନିର୍ଣ୍ଣାୟକ ଭୂମିକା କରିବା ନେଇ ଦୃଢୋକ୍ତି କରୁଛି । ଏହି ନାନାଦି କଳ୍ପନା ଜଳ୍ପନା ମଧ୍ୟରେ ରାଜନୈତିକ ସମୀକ୍ଷକମାନେ ମଧ୍ୟ ରାଜ୍ୟରେ ରୋଚକ ଚିତ୍ରର ଆକଳନ କରୁଛନ୍ତି । ଏଥର ବିଜେଡିର ଆସନ ସଂଖ୍ୟା କମିବ, ବିଜେପିର ଆସନ ସଂଖ୍ୟା ବଢିବା ନେଇ ଆକଳନ କରାଯାଇଛି ।
ରାଜନୀତି ସମୀକ୍ଷକ ରବି ଦାଶ କହିଛନ୍ତି ଯେ, ବିଜେଡି ସରକାର ଗଠନ କରିପାରେ । ହେଲେ ଦଳ ଏଥର ବଡ଼ ଆହ୍ୱାନର ସମ୍ମୁଖୀନ ହେବ, ଯାହାକି ବିଗତ ନିର୍ବାଚନଗୁଡିକରେ ଦେଖିବାକୁ ମିଳିନି । ଚଳିତ ନିର୍ବାଚନରେ ମତଦାନ ବୃଦ୍ଧି ପାଇଛି । ତୃତୀୟ ପର୍ଯ୍ୟାୟରେ ପ୍ରାୟ ୭୪ ପ୍ରତିଶତ ମତଦାନ ହିଁ ଏଥର ଦୃଢ଼ ମୁକାବିଲା ହେଉଥିବାର ସଙ୍କେତ । ବିଜେଡି ୨୪ ବର୍ଷ ହେବ ଶାସନ କରୁଛି । ବିଜେଡି ପାଇଁ ନବୀନଙ୍କ ବୟସ ବୃଦ୍ଧି, ପାଣ୍ଡିଆନଙ୍କ ଆବିର୍ଭାବରେ ବିଜେଡିର କ୍ଷତି ହେଉଥିଲେ ମଧ୍ୟ ମହିଳା ଭୋଟ ବ୍ୟାଙ୍କ ବିଜେଡି ପାଇଁ ଏକ ବଡ଼ ଅସ୍ତ୍ର । ଏକ ତୃତୀୟାଂଶ ଭୋଟ ସହ ସରକାର ଗଢିବା ବିଜେଡି ପାଇଁ ସମ୍ଭବ ହୋଇନପାରେ । କଂଗ୍ରେସ ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେବାରେ ସକ୍ଷମ ହୋଇପାରିଲା ନାହିଁ । ସମ୍ବିଧାନ, ଗଣତନ୍ତ୍ର ବିପଦରେ ଭଳି ସ୍ଲୋଗାନ ଦେଇ ଉତ୍ତର ଭାରତରେ ଇଣ୍ଡିଆ ମେଣ୍ଟ ଜନସମର୍ଥନ ପାଉଛି । ହେଲେ ଓଡ଼ିଶାରେ ୪୦ ପ୍ରତିଶତ ଦଳିତ ଆଦିବାସୀ ଥାଇ ମଧ୍ୟ କଂଗ୍ରେସ ପ୍ରସଙ୍ଗକୁ ଜନସାଧାରଣଙ୍କ ପାଖକୁ ନେଇପାରିନି ।
ନଜର ପକାନ୍ତୁ 2019 ଏବଂ 2024 ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମତଦାନ ହାର ଉପରେ
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୨୦୧୯ରେ ୫୯.୧୭% ମତଦାନ ହୋଇଥିଲା । ଏକାମ୍ର ଭୁବନେଶ୍ୱରରେ ୪୯.୬୮ %, ଭୁବନେଶ୍ୱର ଉତ୍ତରରେ ୪୭.୯୦ % ଏବଂ ଭୁବନେଶ୍ୱର ମଧ୍ୟରେ ୪୩.୨୦% ମତଦାନ ହାର ଥିଲା । ୨୪ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେରେ ୬୪.୪୯ % ମତଦାନ ରେକର୍ଡ କରାଯାଇଛି । ସେହିପରି ଏକାମ୍ର ଭୁବନେଶ୍ୱରରେ ୫୫.୬୦%, ଉତ୍ତର ଭୁବନେଶ୍ୱରରେ ୫୧% ଏବଂ ମଧ୍ୟ ଭୁବନେଶ୍ୱ ରେ ୫୧.୧୯% ମତଦାନ ହୋଇଛି । ଯେତେବେଳେ ମତଦାନ ବଢେ ସେତେବେଳେ ଏହା ଶାସକ ଦଳ ବିରୋଧରେ ଯାଏ ବୋଲି ଆକଳନ କରାଯାଏ । ଭୁବନେଶ୍ୱରରେ ଚଳିତ ଥର ମତଦାନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି ।
କଂଗ୍ରେସ ସୋସିଆଲ ମିଡିଆ ହେଡ ଅମୀୟ ପାଣ୍ଡବ କହିଛନ୍ତି ଯେ, ଓଡ଼ିଶାରେ କିଏ ସରକାର ଗଢ଼ିବ କଂଗ୍ରେସ ହିଁ ନିଷ୍ପତ୍ତି ନେବ । ଓଡ଼ିଶାରେ ସରକାର ଗଠନ କରିବାରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଚତୁର୍ଥ ପର୍ଯ୍ୟାୟ ଭୋଟ ପରେ ଫଳାଫଳ ଆଶାଜନକ ନୁହେଁ ଆଶ୍ଚର୍ଯ୍ୟଜନକ ହେବ । ବିଜେଡି ବିଜେପି ଭିତରେ ଆତ୍ମବିଶ୍ୱାସ ଆଉ ନାହିଁ । କେବଳ ବିଜେଡି ବିଜେପି ସାଙ୍ଗରେ ଜନମତ ନୁହେଁ କଂଗ୍ରେସ ସହ ମଧ୍ୟ ଅଛି । ଅନେକ ସିଟରେ କଂଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଲଢ଼ୁଛି । କଂଗ୍ରେସ ନିଶ୍ଚିତ ଭାବେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ।
ଏପର୍ଯ୍ୟନ୍ତ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ୧୦୫ଟି ବିଧାନସଭା ମଣ୍ଡଳୀ ଏବଂ ୧୫ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ସରିଛି । ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୨ ବିଧାନସଭା ପାଇଁ ଜୁନ ୧ ତାରିଖରେ ହେବ ଭୋଟ । ଜୁନ ୪ ତାରିଖରେ ଫଳାଫଳ ଘୋଷଣା ପରେ ହିଁ ସ୍ପଷ୍ଟ ହେବ କିଏ ଗଢ଼ିବ ସରକାର ।
ଇଟିଭି ଭାରତ, ଭୁବନେଶ୍ବର