ପାଟନା: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦିନକୁ ଦିନ ଦେଶର ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି । ନିର୍ବାଚନ ସଂଗ୍ରାମରେ ବିଜୟ ପାଇଁ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଆରପାରର ଲଢେଇ ଆରମ୍ଭ ହୋଇଯାଇଛି । ଏନଡିଏ ମେଣ୍ଟ ପରିବାରବାଦ ଓ ଭ୍ରଷ୍ଟାଚାରକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରୁଥିବା ବେଳେ ଇଣ୍ଡିଆ ମେଣ୍ଟ ବିଜେପିର ରାଜତନ୍ତ୍ର ଓ ଏକଛତ୍ରବାଦକୁ ମୁଦ୍ଦା କରିଛି । ଏହି କ୍ରମରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ନିଶାନା କରିଛନ୍ତି ।
ଲାଲୁ ପ୍ରସାଦ ଯାଦବ କହିଛନ୍ତି, "ଏବେ ବିଜେପି ବିଚଳିତ ଅଛି । ନିର୍ବାଚନରେ ହାରିବେ ବୋଲି ମାନି ସାରିଛନ୍ତି । ୪୦୦ ପାର୍ କରିବା କଥା ବିଜେପି ବିଚଳିତ ହୋଇ କହୁଛି । ସେମାନଙ୍କ ନେତା (ନରେନ୍ଦ୍ର ମୋଦି) ଖୋଲାଖୋଲି କହୁଛନ୍ତି ଯେ ସମ୍ବିଧାନକୁ ବଦଳାଇଦେବେ । ଏହି ସମ୍ବିଧାନ ବାବା ସାହେବ ଆମ୍ବେଦକରଙ୍କ ଦ୍ବାରା ତିଆରି ହୋଇଛି । ଯିଏ ବି ସମ୍ବିଧାନକୁ ବଦଳାଇବାକୁ ପ୍ରୟାସ କରିବ ଦେଶର ଦଳିତ, ପଛୁଆ ବର୍ଗ ଓ ଗରିବ ଜନତା ତାଙ୍କର ଆଖି ତାଡି ଦେବେ । ଏମାନେ ଦେଶରେ ଏକଛତ୍ରବାଦ ଆଣିବାକୁ ଚାହୁଁଛନ୍ତି । ସମ୍ବିଧାନକୁ ବଦଳିବା ଅର୍ଥ ଲୋକତନ୍ତ୍ରକୁ ବଦଳିବା ।"
ଏହା ମଧ୍ୟ ପଢନ୍ତୁ... ତୃତୀୟ ଥର ମୋଦି ପ୍ରଧାନମନ୍ତ୍ରୀ ହେଲେ ବିରୋଧୀଙ୍କ ଦେହରେ ନିଆଁ ଲାଗିଯିବ: ପ୍ରଧାନମନ୍ତ୍ରୀ ମୋଦି - PM MODI TARGETS CONGRESS
ଏହା ସହ ସେ ଆହୁରି କହିଛନ୍ତି, "ବିଜେପିର ବିଜୟକୁ ନେଇ ଆମର କୌଣସି ଆଶା ନାହିଁ । କିନ୍ତୁ ସେମାନେ ଲଗାତାର ଦାବି କରୁଛନ୍ତି ଯେ ବହୁମତ ଆସିବା ପରେ ସମ୍ବିଧାନ ବଦଳାଇ ଦେବେ । ପୂର୍ବରୁ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଆରକ୍ଷଣ ଉପରେ ସମୀକ୍ଷା କରିବାକୁ ପ୍ରସଙ୍ଗ ଉଠାଇଥିଲେ । ଦେଶର ଜନତା ଓ ଗରିବମାନେ ତାଙ୍କର ଉଦ୍ଦେଶ୍ୟକୁ ଧ୍ବଂସ କରିଦେଇଥିଲେ । ଆଗକୁ ସେମାନଙ୍କ ସ୍ଥିତି ସେହିଭଳି ହେବାକୁ ଯାଉଛି ।"
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଲାଲୁ କହିଛନ୍ତି ଯେ, "ନରେନ୍ଦ୍ର ମୋଦି କାହିଁକି ନିଜ ନେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ତାଙ୍କ ଦଳର ନେତାମାନେ ବାରମ୍ବାର ସମ୍ବିଧାନ ବଦଳାଇବାକୁ ବୟାନ ଦେଉଛନ୍ତି । ବର୍ତ୍ତମାନ ଆପଣଙ୍କ ବହୁମତର ସମୟ ଅତିବାହିତ ହୋଇଗଲାଣି । ସମଗ୍ର ଦେଶ ଆପଣଙ୍କୁ ଓ ଆପଣଙ୍କ ଲୋକମାନଙ୍କୁ ଭଲ ଭାବରେ ଚିହ୍ନି ସାରିଲେଣି । ଏବେ ସେମାନେ ସେ ଭୁଲ ପୁନର୍ବାର କରିବେ ନାହିଁ ବୋଲି କହିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ।
ରୋ ରିପୋର୍ଟ, ଇଟିଭି ଭାରତ