ନବରଙ୍ଗପୁର: ଆଜି (ଶନିବାର) ପ୍ରଚାର ମାରାଥନରେ ନବରଙ୍ଗପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜନସଭାକୁ ସମ୍ବୋଧନ କରି ଲୋକମାନଙ୍କୁ ବିଜେଡିର ବିକାଶର ହିସାବ ଦେଇଛନ୍ତି ନବୀନ । ତେବେ ମମତା ଯୋଜନା, କାଳିଆ ଯୋଜନା ଲକ୍ଷ୍ମୀ ବସ ସେବା ଭଳି ବିଭିନ୍ନ ବିକାଶ ମୂଳକ କାମଗୁଡିକ କିଭଳି ଲାଗୁଛି ବୋଲି ଜନସାଧାରଣଙ୍କୁ ପଚାରିଛନ୍ତି ନବୀନ ।
ନବରଙ୍ଗପୁର ଗସ୍ତରେ ଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନବରଙ୍ଗପୁର ସର୍କିଟ ହାଉସ ସମୁଖ ପଡ଼ିଆରେ ଅନୁଷ୍ଠିତ ନିର୍ବାଚନ ସଭାକୁ ସମ୍ବୋଧନ କରି ନିଜ ଶାସନ ଅମଳରେ ହୋଇଥିବା ପ୍ରତ୍ୟେକ ବିକାଶମୂଳକ କାମର ହିସାବ ଦେବା ସହିତ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ କହିଛନ୍ତି । ଏହାସହ ଆଗାମୀ ନିର୍ବାଚନରେ ବିଜେଡି ବିଜୟୀ ହେଲେ ଜିଲ୍ଲାର ଅନେକ ବିକାଶ କରାଯିବ ବୋଲି କହିଛନ୍ତି ନବୀନ । ବିକାଶକୁ ଦେଖି ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହିଛନ୍ତି ନବୀନ । ନବୀନଙ୍କ ଗସ୍ତ ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଏହି ଅବସରରେ ନବରଙ୍ଗପୁର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ କହିଛନ୍ତି," ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରିଛନ୍ତି । 24 ବର୍ଷ ମଧ୍ୟରେ ହୋଇଥିବା ବିକାଶ ବିଷୟରେ ଲୋକମାନଙ୍କୁ ପଚାରିଛନ୍ତି । ଆଗାମୀ ଦିନରେ ଆମ ସରକରା ଆସିଲା ବିକାଶ କାମକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।"
ଆଜି ପ୍ରଚାର ସମୟରେ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପଣ୍ଡିଆନ, ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ, ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ନବରଙ୍ଗପୁର ବିଧାୟିକା ପ୍ରାର୍ଥୀନୀ କୌଶଲ୍ୟା ପ୍ରଧାନୀ, ଉମରକୋଟ ପ୍ରାର୍ଥିନୀ ନବିନା ନାୟକ, ମାଲକାନଗିରି ପ୍ରାର୍ଥୀ ମାନସ ମାଡକାମୀ, କୋଟପାଡ଼ ପ୍ରାର୍ଥୀ ଚନ୍ଦ୍ର ଶେଖର ମାଝୀ, ଡାବୁଗାଁ ପ୍ରାର୍ଥୀ ମନୋହର ରନ୍ଧାରୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପ୍ରାର୍ଥୀ ବିଜେଡିର ବିକାଶ ମୂଳକ କାର୍ଯ୍ୟ ଗୁଡିକ କହି ଭୋଟ ଭିକ୍ଷା କରିଥିବା ବେଳେ ଶେଷରେ ଭିକେ ପାଣ୍ଡିଆନ ଓଡିଶାରେ ବିକାଶ ଧାରା ଆଗକୁ ଜାରି ରଖିବା ପାଇଁ ଯୋଡି ଶଙ୍ଖରେ ଭୋଟ ଦେଇ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିବେଦନ କରିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର