ଖୋର୍ଦ୍ଧା: ରାଜ୍ୟ ତମାମ ନିର୍ବାଚନୀ ଉଷ୍ମତା । ପ୍ରଚାର, ଶୋଭାଯାତ୍ରାରେ ଦୁଲୁକୁଛି ଗାଁଠୁ ସହର । କେବଳ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ମଣ୍ଡଳୀଗୁଡିକୁ ବାଦ୍ ଦେଲେ ଅନ୍ୟ ମଣ୍ଡଳୀଗୁଡିକରେ ଜୋରଦାର ରହିଛି ପ୍ରଚାର କାର୍ଯ୍ୟ । ନିଜ ସପକ୍ଷରେ ସମର୍ଥନ ଯୋଡିବାକୁ ଉଦ୍ୟମ ଜାରି ରଖିଛନ୍ତି ପ୍ରାର୍ଥୀମାନେ । ସେହିପରି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗର ପ୍ରସିଦ୍ଧ ଶୌବପୀଠ ବାବା ଧବେଶ୍ବର ପୀଠରୁ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ଅଞ୍ଚଳର ବାହୁବଳୀ ନେତା ତଥା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ।
ଜଗଦ୍ଦେବ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ବାଇକ ରାଲିରେ ଧବଳେଶ୍ଵର ମନ୍ଦିରରୁ ବାହାରି ଗୁରୁଜଙ୍ଗର ବିଭିନ୍ନ ଅଞ୍ଚଳ ବୁଲିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ବିଜେପି କର୍ମୀ ଏବଂ ଯୁବକମାନେ ସାମିଲ ହୋଇଥିଲେ । ସେହିପରି ନରେନ୍ଦ୍ର ମୋଦିଙ୍କ ବିକାଶର ବାର୍ତ୍ତା କିପରି ଘରେ ଘରେ ପହଞ୍ଚିବ ଓ ଲୋକମାନେ କିଭଳି ପରିବର୍ତ୍ତନ ମୁହାଁ ହୋଇ ବିଜେପିକୁ ଆପଣାଇବେ ସେନେଇ ପ୍ରୟାସ ଜାରି ରଖିଥିବା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।
ଏହି ଅବସରରେ ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବା ପଦ୍ମ ପ୍ରତି ଲୋକମାନଙ୍କ ଆଗ୍ରହ ଉତ୍ସାହ ଦ୍ୱିଗୁଣିତ ହୋଇଛି । ତାହା ଖୋର୍ଦ୍ଧାରେ ମଧ୍ୟ ପ୍ରତିଫଳିତ ହୋଇଛି । ପାଇକ ପୁଅକୁ ବିଧାୟକ କରିବା ପାଇଁ ଖୋର୍ଦ୍ଧାବାସୀ ଚାହୁଁଛନ୍ତି । ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି । ଖୋର୍ଦ୍ଧାରେ ଲଢୁଆ ନେତୃତ୍ୱର ଆବଶ୍ୟକତା ରହିଛି । ଏଥିସହ ବିଜେଡି ନେତା ପାଣ୍ଡିଆନକୁ କଡା କଟାକ୍ଷ କରି କହିଛନ୍ତି, 'ତାମିଲ ହଟାଅ ଓଡ଼ିଶା ବଞ୍ଚାଅ' ବିପ୍ଳବ ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଛି । ତାମିଲ ହଟିବ ଓଡ଼ିଶା ବଞ୍ଚିବ ।
ଗୁରୁଜଙ୍ଗର ପ୍ରତି ଓ୍ବାର୍ଡରେ ବାଇକ ଶୋଭାଯାତ୍ରା କରିବା ସହ ପଦଯାତ୍ରା ମାଧ୍ୟମରେ ଭୋଟ ଭିକ୍ଷା କରିଛନ୍ତି ବିଜେପି ପ୍ରାର୍ଥୀ । ତାଙ୍କ ସହ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତ୍ରୀ ବାସନ୍ତୀ ମହାପାତ୍ର ପଦଯାତ୍ରାରେ ସାମିଲ ହୋଇଛନ୍ତି । ଆଗକୁ ମଧ୍ୟ ଏହିଭଳି ପ୍ରଚାର ଜୋରଦାର କରାଯିବ ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।
ଇଟିଭି ଭାରତ, ଖୋର୍ଦ୍ଧା