ବଲାଙ୍ଗୀର: ଜିଲ୍ଲାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲୋଇସିଂହା । ସବୁବେଳେ ନୂଆ ନେତାଙ୍କ ପ୍ଲାଟଫର୍ମ ଭାବରେ ଏହି ନିର୍ବାଚନ ମଣ୍ଡଳୀ ଲୋକେ ନୂଆ ନେତାଙ୍କୁ ଦେଇ ଆସିଛନ୍ତି ସୁଯୋଗ । ତେବେ ଏଥର ତିନି ପ୍ରମୁଖ ଦଳ ଆଶାୟୀ ଏଠୁ ବାଜିମାତ କରିବାକୁ ଆଶା ବାନ୍ଧିଛନ୍ତି । ଗତ ନିର୍ବାଚନରେ ନୂଆ କରି ବିଜେପିରେ ସାମିଲ ହୋଇଥିବା ମୁକେଶ ମହାଲିଙ୍ଗକୁ ଲୋଇସିଂହାବାସୀ ସୁଯୋଗ ଦେଇଥିଲେ । ଆଜି ମୁକେଶ ଜଣେ ସଫଳ ରାଜନେତା ହୋଇପାରିଛନ୍ତି । ତେବେ ଆସନ୍ତା ନିର୍ବାଚନରେ ଲୋଇସିଂହା ମତଦାତା ପାରମ୍ପରିକ ଟ୍ରିକ୍ ଆପଣାଇ ଅନ୍ୟ କୌଣସି ଦଳକୁ ସୁଯୋଗ ଦେବେ ନା ପୁଣି ଆଉ ଥରେ ବାଜିମାତ କରିବ ବିଜେପି ? ତିନି ପ୍ରମୁଖ ଦଳ ଏଠାରୁ ନିଜ ନିଜର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଭୋଟର କାହାକୁ ନିଜର ନେତା ବାଛିବେ ତାହା ଉପରେ ନଜର ।
ବଲାଙ୍ଗୀରର ଭେଜିଟେବଲ ପକେଟ ଲୋଇସିଂହା:- ଇତିହାସ ସାକ୍ଷୀ ରହିଛି ଏହି ନିର୍ବାଚନ ମଣ୍ଡଳୀର ଭୋଟର ସବୁ ବେଳେ ନୂଆ ନେତାଙ୍କୁ ଦେଇଥାଆନ୍ତି ସୁଯୋଗ । ଓଡ଼ିଶାର ସଫଳ ରାଜନେତା ମଧ୍ୟରୁ ଏୟୁ ସିଂହଦେଓ, ନରସିଂହ ମିଶ୍ର, ବାଳ ଗୋପାଳ ମିଶ୍ର ଏବଂ ଏବେ ମୁକେଶ ମହାଲିଙ୍ଗ ଏଠାରୁ ହିଁ ଭାଗ୍ୟ ପରୀକ୍ଷା କରି ଏବେ ରାଜନୀତିରେ ସଫଳ ରାଜନେତା ହୋଇପାରିଛନ୍ତି । ତେବେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ତିନୋଟି ବ୍ଲକ ଲୋଇସିଂହା, ଅଗଲପୁର ଓ ପୁଇଁତଲାକୁ ନେଇ ଗଠିତ । ଏଠି ମୋଟ ଭୋଟର ସଂଖ୍ୟା 2ଲକ୍ଷ 41ହଜାର । ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ବଲାଙ୍ଗୀର ସମେତ ରାଜ୍ୟର ଅନ୍ୟ ଜିଲ୍ଲାକୁ ପନିପରିବା ଏଠାରୁ ଯାଇଥାଏ । ଯାହା ପାଇଁ ଏହାକୁ ବଲାଙ୍ଗୀରର ଭେଜିଟେବଲ ପକେଟ ମଧ୍ୟ କୁହାଯାଏ । ଲୋଇସିଂହା ନିର୍ବାଚନ ମଣ୍ଡଳୀର ମତଦାତା ସବୁବେଳେ ନୂଆ ରାଜନେତାଙ୍କୁ ନିଜର ପ୍ରତିନିଧି ବାଛି ଆସିଛନ୍ତି । ଆଗାମୀ ନିର୍ବାଚନରେ ଏହି ଆସନରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ବେହେରାଙ୍କ ସାନ ପୁଅ ନିହାର ରଞ୍ଜନ ବେହେରା । ଗତ 2014 ନିର୍ବାଚନରେ ଯୋଗେନ୍ଦ୍ର ଏହି ଆସନରୁ ନିର୍ବାଚନ ଲଢି 64 ହଜାର 340 ଭୋଟ ମୋଟ 40 ପ୍ରତିଶତରୁ ଅଧିକ ପାଇ ବିଜୟୀ ହୋଇଥିଲେ । ଏବେ ତାଙ୍କ ସାନ ପୁଅ ନିହାର ରଞ୍ଜନ ବେହେରା ଏଠୁ ବିଜେଡିରୁ ଆଶାୟୀ ଅଛନ୍ତି ।
ଏହା ବି ପଢନ୍ତୁ- ପାରଳାଖେମୁଣ୍ଡିରେ ପୁଣି କେ. ନାରାୟଣ, ନାଁ ଆଉ କିଏ ?
ଟିକେଟ ଦୌଡରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ:- ତେବେ ଗତ 2019 ନିର୍ବାଚନରେ ମଧ୍ୟ ସେ ଆଶାୟୀ ଥିବା ବେଳେ ଟିକେଟ ପାଇ ନ ଥିଲେ । ହେଲେ ଏଥର ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ପାଇଁ କାମ କରି ଆସୁଥିବାରୁ ସେ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି । ସେ ଲୋକଙ୍କ ସହିତ ଜଡିତ ଥିବା ବେଳେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମ କରିବାରେ ଭୂମିକା ଗ୍ରହଣ କରିଛନ୍ତି । ଏ ନେଇ ନିହାର ରଞ୍ଜନ ବେହେରା କହିଛନ୍ତି, " ଲୋକେ ମୋତେ ହିଁ ପସନ୍ଦ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମୋତେ ଓ ଦଳକୁ ଏଠି ସଫଳ କରିବ । ବାପାଙ୍କ ଉପଲବ୍ଧି ଓ ଲୋକ ସମ୍ପର୍କ ମଧ୍ୟ ମୋତେ ସାହାଯ୍ୟ କରିବ ବୋଲି ଆଶାବାଦୀ ଅଛି । ଗତ 2019 ନିର୍ବାଚନରେ ଏଠି ମୋଦି ଲହର ଭାରି ପଡିଥିଲା । ନବାଗତ ବିଜେପି ନେତା ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ । ବିଜେପିର ଷ୍ଟାଣ୍ଡିଂ ବିଧାୟକ ଥିବା ସତ୍ତ୍ୱେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମ୍ପୂର୍ଣ୍ଣ ସଫଳ ହେବା ହିଁ ବିଜେଡି ପ୍ରତି ଲୋକଙ୍କ ବିଶ୍ୱାସ ବଢିଥିବାର ପ୍ରମାଣ । ଏଥର ଏଠି ବିଜେଡି ହିଁ ସଫଳ ହେବ ।"
ଏଥର ବି ଟିକେଟ ଆଶାରେ ମୁକେଶ ମହାଲିଙ୍ଗ:- ସେପଟେ ଭାରତ ସରକାରଙ୍କ ପରିବେଶ ବୈଜ୍ଞାନିକ ଚାକିରି ଛାଡି ବିଜେପିରେ ନୂଆ କରି ଯୋଗ ଦେଇଥିବା ମୁକେଶ ମହାଳିଙ୍ଗ ଏଠାରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ 71ହଜାର 261 ଭୋଟ ସହ ମୋଟ 39.82 ପ୍ରତିଶତ ଭୋଟ ପାଇଥିଲେ । ଏଠାରୁ ବିଜେପି ଦ୍ଵିତୀୟ ଥର ବିଜୟୀ ହୋଇଥିଲା । ପୂର୍ବରୁ ଅର୍ଥାତ 2000 ମସିହା ନିର୍ବାଚନରେ ବାଳଗୋପାଳ ମିଶ୍ର ଏଠୁ ବିଜେପିରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେପଟେ ଏଥର ମଧ୍ୟ ବର୍ତ୍ତମାନର ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଦଳରୁ ଟିକଟ ପାଇ ସଫଳ ହେବେ ବୋଲି କହିଛନ୍ତି । ଏ ନେଇ ସେ କହିଛନ୍ତି, "ବିଗତ ପାଞ୍ଚ ବର୍ଷରେ ସେ ଲୋଇସିଂହାର ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ସୁଦୃଢ଼ ହୋଇଛି । ଏହି ଅଞ୍ଚଳର ପର୍ଯ୍ୟଟନର ମଧ୍ୟ ବିକାଶ ହୋଇଛି । ଆବାସ ଯୋଜନା, ପ୍ରତ୍ୟେକ ଘରକୁ ପିଇବା ପାଣି ଭଳି ଯୋଜନାର ମଧ୍ୟ ସଫଳ ରୂପାୟନ ହୋଇଛି ।" ଏଥର ନିର୍ବାଚନରେ ମଧ୍ୟ ବିଜେପି ସଫଳ ହେବ । ଲୋଇସିଂହା ବାସୀଙ୍କ ପ୍ରେମ, ଶ୍ରଦ୍ଧା ଓ ଆଶୀର୍ବାଦ ମୋ ସହ ଓ ବିଜେପି ସହ ଅଛି । ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ବିଶ୍ୱାସ ରହିଛି ଓ ବିଜେପି ଏଠି ପୁଣି ସଫଳ ହେବ ।"
ବାଜିମାତ ନେଇ କଂଗ୍ରେସର ଦୃଢୋକ୍ତି:- ସେପଟେ ଏହି ଦୁଇ ପ୍ରମୁଖ ଦଳ ପରେ କଂଗ୍ରେସ ଦଳ ମଧ୍ୟ ଏଠୁ ଖୁବ ଆଶାବାଦୀ । ପୂର୍ବରୁ ନରସିଂହ ମିଶ୍ର ପ୍ରଥମେ ଜନତା ଦଳରୁ 1990ରେ ଏଠୁ ବିଜୟୀ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ 2004ରେ ଏଠୁ କଂଗ୍ରେସ ଦଳରୁ ପାର୍ଥୀ ହୋଇ ବିଜୟୀ ହୋଇଥିଲେ । କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାର କହିଛନ୍ତି, "କଂଗ୍ରେସ ଏଥର ଏଠି ବିଜୟୀ ହେବ । ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ପାଥେୟ କରି ଓ ଦଳର ନୀତି ନେଇ ଏଠି ଦୀର୍ଘ ବର୍ଷରୁ ମୁଁ କାର୍ଯ୍ୟ କରିଆସୁଛି । ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଇଛି । ଏଣୁ ଏହି ଅଞ୍ଚଳର ଲୋକେ କଂଗ୍ରେସକୁ ସୁଯୋଗ ଦେବେ ବୋଲି ଆଶାବାଦୀ ଅଛି । ଦରଦାମ ବୃଦ୍ଧି, ବେରୋଜଗାରୀ, ଜଳସେଚନ ଓ ଦାଦନ ସମସ୍ୟା ବିରୋଧରେ ଲୋକେ ବିଶ୍ୱାସ କରିବେ ଏବଂ ଦଳ ମୋତେ ଟିକେଟ ପ୍ରଦାନ କରିବ ବୋଲି ଆଶାବାଦୀ ।"
ପୂର୍ବ ନିର୍ବାଚନ ଫଳାଫଳ:-
2019 ନିର୍ବାଚନୀ ଫଳାଫଳ:- ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଡଃ ମୁକେଶ ମହାଲିଙ୍ଗ 71ହଜାର 261 ଭୋଟ ପାଇ ବିଧାୟକ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ବେହେରା 57ହଜାର 593 ବୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ନବ କିଶୋର ନାଏକଙ୍କୁ ମିଳିଥିଲା 40ହଜାର 53 ଖଣ୍ଡ ଭୋଟ ।
2014 ନିର୍ବାଚନ:- ବିଜେଡି ପ୍ରାର୍ଥୀ ଯୋଗେନ୍ଦ୍ର ବେହେରା 2014 ନିର୍ବାଚନରେ ବିଜୟୀ ହୋଇଥିଲେ । ତାଙ୍କୁ 64ହଜାର 340 ଖଣ୍ଡ ଭୋଟ ମିଳିଥିଲା । ଏଥର କିନ୍ତୁ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାର 41ହଜାର 486 ଖଣ୍ଡ ଭୋଟ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ପରମାନନ୍ଦ ସେଠ 38 ହଜାର 732 ଖଣ୍ଡ ଭୋଟ ସହିତ ତୃତୀୟ ସ୍ଥାନ ରେ ରହିଥିଲେ ।
2009 ନିର୍ବାଚନ:- ବିଜେଡି ପ୍ରାର୍ଥୀ ରମାକାନ୍ତ ସେଠଙ୍କୁ ନିଜ ନେତା ଭାବେ ବାଛିଥିଲା ଲୋଇସିଂହା । ତାଙ୍କୁ 49ହଜାର 959 ଭୋଟ ମିଳିଥିଲା । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଚନ୍ଦ୍ର କୁମ୍ଭାରଙ୍କୁ 45 ହଜାର 566ଟି ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀ ମେଘା କୁମ୍ଭାରଙ୍କୁ ମିଳିଥିଲା 38ହାଜର 261 ଖଣ୍ଡ ଭୋଟ ।
ଇଟିଭି ଭାରତ, ବଲାଙ୍ଗୀର