ଭୁବନେଶ୍ବର: ଖୋର୍ଦ୍ଧାରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲେ ଖୋର୍ଦ୍ଧା ବିଧାୟକ । ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କୁ ଭେଟିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧାରେ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ଓ ପାଇକଙ୍କ ସ୍ମୃତି କାର୍ଯ୍ୟ ଆଗକୁ ନେବାକୁ ଅନୁରୋଧ କରିଛନ୍ତି ପ୍ରଶାନ୍ତ । ଆସନ୍ତାକାଲି ଏନେଇ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି ସୂଚନା ମିଳିଛି । ସେହିପରି ସ୍ମାରକୀ କାର୍ଯ୍ୟ ମାସକ ମଧ୍ୟରେ ଆରମ୍ଭ ହେବ ବୋଲି ଆଶା ରଖିଛନ୍ତି ବିଧାୟକ ।
ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ' ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ଓ ପାଇକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଖୋର୍ଦ୍ଧା ବରୁଣେଇ ନିକଟରେ ସ୍ମାରକୀ ଓ ମ୍ୟୁଜିୟମ କରିବାର ଯୋଜନା ହୋଇଥିଲା । କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ସରକାର ୫୦ ଏକର ଜମି ଦେବା କଥା । କିନ୍ତୁ ବହୁ ଦିନ ଟଣାଓଟରା ପରେ ୯ ଏକର ଜାଗା ମିଳିଛି । ୫୦ ଏକର ଜାଗା ଦେବାକୁ ଆମେ ରାଜସ୍ବ ମନ୍ତ୍ରୀ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି କରିଛୁ । ବରୁଣେଇକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ଓ ଐତିହାସିକ କ୍ଷେତ୍ର କରିବା ଲାଗି ଆମର ଯୋଜନା । ରାଜ୍ୟ ବାହାରର ଲୋକ ଆସି ଏଠାରେ ଗବେଷଣା କରନ୍ତୁ । ପ୍ରଥମ ସ୍ବାଧୀନତା ସଂଗ୍ରାମୀରେ ସହିଦ ହୋଇଥିବା ପାଇକଙ୍କ ବାବଦରେ ରାଜ୍ୟବାସୀ ଜାଣନ୍ତୁ । ଆମ ପର ପିଢ଼ି ଜାଣିବା ସହ ସାରା ବିଶ୍ଵବାସୀ ଜାଣନ୍ତୁ ।'
ଏହା ମଧ୍ୟ ପଢନ୍ତୁ....'ବିକଶିତ ଓଡ଼ିଶାର ସ୍ବରୂପ ହେବ ମିଶନ ଶକ୍ତି', ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି - Deputy CM reviewed Mission Shakti
ସେ ଆହୁରି ମଧ୍ୟ କହିଛନ୍ତି, 'ରୋପ ୱେ ବ୍ୟବସ୍ଥା ମଧ୍ୟ କରାଯିବ । ବରୁଣେଇ ପାହାଡ ଉପରେ ଥିବା ସୀତା କୁଣ୍ଡ ବାବଦରେ ଜାଣିବା ସହ ପର୍ଯ୍ୟଟନ ମାନେ ଉପଭୋଗ କରିପାରିବେ । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡଙ୍ଗୀର ଆଗ୍ରହ ମଧ୍ୟ ରହିଛି । କେନ୍ଦ୍ର ସରକାର ନ ଚାହୁଁଥିଲେ ରାଷ୍ଟ୍ରପତି ସେଠାକୁ ଆସି ଶୁଭ ଦେଇନଥାନ୍ତେ । କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିଲା ନାହିଁ । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଦୁଃଖ ପ୍ରକାଶ କଲେ । ରାଜସ୍ବ ମନ୍ତ୍ରୀ ଆସନ୍ତାକାଲି ଏ ନେଇ ସମୀକ୍ଷା କରିବେ ।'
ବିଧାୟକ ଆହୁରି ମଧ୍ୟ କହିଛନ୍ତି, 'ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର ମୋ ସହିତ ଉପସ୍ଥିତ ରହିବେ । ସ୍ମାରକୀ ପାଇଁ ଯଦି ୧୦୦ ଏକର ଜମି ଦରକାର ପଡେ, ବିଭାଗ ବ୍ୟବସ୍ଥା କରିବ ବୋଲି ମନ୍ତ୍ରୀ ଓ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ୨୦୦ କୋଟି ନୁହେଁ, ଯେତେ ଟଙ୍କା ଦରକାର ଖୋର୍ଦ୍ଧାକୁ ଦିଆଯିବ । ଗଛ କଟାକଟି ସରିଛି । ପ୍ରାଥମିକ ଭାବେ ମିଳିଥିବା ଜାଗାରେ କାମ ଆରମ୍ଭ ହେବ । ପର୍ଯ୍ୟାୟ କ୍ରମେ କାର୍ଯ୍ୟ ଆଗକୁ ବଢିବ । ଆସନ୍ତା ମାସେ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା । ପେହେଲେ ଆକ୍ସନ, ଫିର ସାନକସନ । ଫଇସଲା ଅନ ଦି ସ୍ପଟ । ଏ ହେଉଛି ପ୍ରଶାନ୍ତ ଜଗଦ୍ଦେବର ଷ୍ଟାଇଲ । ଖୋର୍ଦ୍ଧାରେ ଏହା କାର୍ଯ୍ୟକାରୀ ହେବ ।'
ଇଟିଭି ଭାରତ, ଭୁବନେଶ୍ବର