ଭୁବନେଶ୍ବର: ନିର୍ବାଚନ ପରିପ୍ରେକ୍ଷୀରେ ବଢୁଛି ଭାରତୀୟ ଜନତା ପାର୍ଟିର ଶକ୍ତି । ଆଜି ବିଜେପିରେ ସାମିଲ ହେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାମଚନ୍ଦ୍ର ଦଳରେ ଯୋଗ ଦେଇଛନ୍ତି । ରାମଚନ୍ଦ୍ରଙ୍କ ସହିତ ତାଙ୍କର ଅନୁଗାମୀ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ରାମଚନ୍ଦ୍ର ପଣ୍ଡାଙ୍କ ସମେତ ଗଞ୍ଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ ଏବଂ ସ୍ୱାଧୀନ କାଉନସିଲର ଅରୁଣ କୁମାର ପଣ୍ଡା ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବ ଉପଲକ୍ଷେ ବିଜେପି ରାଜ୍ୟ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଜେପିରେ ସାମିଲ ହୋଇଥିବା ରାମଚନ୍ଦ୍ର ପଣ୍ଡାଙ୍କ ସହ ଶତାଧିକ କର୍ମୀଙ୍କୁ ବିଜେପି ନେତା ଉତ୍ତରୀୟ ପକାଇ ଦଳକୁ ସ୍ୱାଗତ କରିଛନ୍ତି । ଦଳର ବର୍ତ୍ତମାନର ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ରାମଚନ୍ଦ୍ରଙ୍କ ଦଳରେ ଯୋଗଦେବା ବିଜେପିକୁ ଅଧିକ ସଶକ୍ତ କରିବ ବୋଲି କହିଛନ୍ତି ।
ସେହିପରି ମନମୋହନ ସାମଲ କହିଛନ୍ତି, "ଭ୍ରଷ୍ଟାଚାର ଶାସନ ବିରୋଧରେ ଲଢ଼େଇ କରିବା ପାଇଁ ଶାସକ ବିଜେଡି ଓ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ଓ କର୍ମୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକରି ବିଜେପିରେ ଯୋଗ ଦେଉଛନ୍ତି । ଓଡିଶାରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, କୁଶାସନ ଅବସାନ ଘଟିବ । ବିଜେଡିର ଦୀପ ଖୁବଶୀଘ୍ର ଲିଭିଯିବ ଏବଂ ନୂତନ ସୂର୍ଯ୍ୟଦ୍ୟୋୟ ହେବ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେବ।"
ଏହା ମଧ୍ୟ ପଢ଼ନ୍ତୁ... ଖଡ଼ିଆଳରେ ମିଶ୍ରଣ ପର୍ବ, ପଦ୍ମ ଧରିଲେ ଶତାଧିକ ବିଜେଡି କର୍ମୀ - BJP Joining Program
ସେହିଭଳି ଗତ 15 ତାରିଖରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ପୂର୍ବରୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ । ଏହାସହ ଜ୍ୟୋତିଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜୁ ବାବୁଙ୍କ ଧରମ ଝିଅ ଜ୍ୟୋତି ପାଣିଗ୍ରାହୀ ଦୀର୍ଘ ଦିନ ଧରି ବିଜେଡିରେ ଥିଲେ । ନିକଟରେ ସେ ଏବଂ ବରିଷ୍ଠ ବିଜେଡି ନେତା ସରୋଜ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଥିଲେ । ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦୁଇ ନେତା ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ନୂଆପଡ଼ାରୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିରେ ସମ୍ପାଦକ ଥିବା ସରୋଜ ସାହୁ ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ହରିଶଚନ୍ଦ୍ର ପଣ୍ଡା ।
ଇଟିଭି ଭାରତ, ଭୁବନେଶ୍ବର