ରାଉରକେଲା : ନିର୍ବାଚନୀ ବିଗୁଲ ବାଜିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳଗୁଡିକର କସରତ । ରାଉରକେଲାରେ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଏଥର ନିର୍ବାଚନ ଜିତିବା ନେଇ ଦୃଢ଼କ୍ତି ପ୍ରକାଶ କରିଛି କଂଗ୍ରେସ । ବିଜେପି ଏବଂ ବିଜେଡି ଠାରୁ କଂଗ୍ରେସ ଢେର ଆଗରେ ରହିଛି ବୋଲି କହିଛନ୍ତି AICC ମୁଖପାତ୍ର ହମିଦ ହୁସେନ ।
ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ହାୱା ବହିବା ଆରମ୍ଭ ହୋଇଛି । 2024 ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଯାଇଛି ତାରିଖ । ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ମେ 20ରେ ହେବ ନିର୍ବାଚନ । ଏହାରି ମଧ୍ୟରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ଲାଗି ଅଙ୍କ କଷା । ରାଜ୍ୟବାସୀଙ୍କ ଭରସା ଜିତିବାକୁ ବର୍ତ୍ତମାନ ସମସ୍ତ ଦଳ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । କଂଗ୍ରେସ ମଧ୍ୟ ଜୋରସୋରରେ ଆରମ୍ଭ କରି ଦେଇଛି ପ୍ରଚାର କାର୍ଯ୍ୟ । ଇସ୍ତାହାର ପ୍ରକାଶ କରିବା ସହ ବୈଠକ ପରେ ବୈଠକ କରି ସଂଗଠନ ସଜାଡିବାରେ ଲାଗି ପଡିଛି ଦଳ । ତେବେ ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳର ରଣନୀତି ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏଥର ନିର୍ବାଚନ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି କଂଗ୍ରେସ ।
ଏହାମଧ୍ୟ ପଢନ୍ତୁ.. ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ବାଚନ ପରିଚାଳନା ସମୀକ୍ଷା, ସୁରୁଖୁରୁ ମତଦାନ ନେଇ ପଦକ୍ଷେପ
ଏହି ଅବସରରେ AICC ମୁଖପାତ୍ର ହମିଦ ହୁସେନ କହିଛନ୍ତି, "ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । କଂଗ୍ରେସ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛି । ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ଲୋକଙ୍କ ସମସ୍ୟାକୁ ଦୂର କରିବାରେ ବିଫଳ ହେଉଛନ୍ତି । ଏହାକୁ ଦୂର କରିବା ପାଇଁ କଂଗ୍ରେସ ଗ୍ୟାରେଣ୍ଟି ଦେଉଛି । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ବିବିଧ ଜନବହୁଳତା ପାଇଁ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ଦୀର୍ଘଦିନ ଧରି ବିଭିନ୍ନ ସାମାଜିକ-ଅର୍ଥନୈତିକ ଆହ୍ୱାନର ସମ୍ମୁଖୀନ ହୋଇ ଆସୁଛି । ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ହୋଇଥିଲେ ମଧ୍ୟ ବାସ୍ତବ ଅଗ୍ରଗତି ଓ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।"
ସେ ଆଉ ମଧ୍ୟ କହିଛନ୍ତି, "ପ୍ରାର୍ଥୀ ଚୟନରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି । ଖୁବଶୀଘ୍ର କଂଗ୍ରେସ ମଧ୍ୟ ବିଜେଡି ଏବଂ ବିଜେପି ପୂର୍ବରୁ ପ୍ରାର୍ଥୀ ଦେବ । ପୂର୍ବରୁ କଂଗ୍ରେସ ସମସ୍ତ କାର୍ଯ୍ୟ ଆରମ୍ଭ କରିଛି ଘରକୁ ଘର ଯାଇ ଲୋକଙ୍କ ସହ ଯୋଡି ହୋଇଛି ।" ତେବେ ଛତିଶଗଡ଼ର ହାର ଠାରୁ କଂଗ୍ରେସ ବହୁତ କିଛି ଶିକ୍ଷା ଲାଭ କରିଛି ଏବଂ ଏହାର କାର୍ଯ୍ୟ ଶୈଳୀ ଏବଂ ରଣନୀତି ପ୍ରୟୋଗ କରି ଏଥର ଓଡ଼ିଶାରେ କଂଗ୍ରେସ ନିର୍ବାଚନ ଲଢ଼ିବ ଏବଂ ନିଶ୍ଚିତ ବିଜୟ ଲାଭ କରିବ ବୋଲି କହିଛନ୍ତି ଜାତୀୟ କଂଗ୍ରେସ ମୁଖପାତ୍ର ।
ଇଟିଭି ଭାରତ, ରାଉରକେଲା