ଭୁବନେଶ୍ବର: ଦୁଇଟି ଆସନରୁ ଲଢ଼ିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ୍ । ପାଣ୍ଡିଆନଙ୍କୁ ଶାସନଭାର ଟେକି ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏପରି କରୁଥିବା କହି କଟାକ୍ଷ କରିଛି ବିଜେପି । ଏନେଇ ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ସମ୍ମିଳନୀ କରି କହିଛନ୍ତି, "ଆଗରୁ ଭିଡିଓ ମାଧ୍ୟମରେ ରାଜ୍ୟ ଶାସନ ହେଉଥିଲା । ଆଉ ସେ ଶାସନ ବା ସଭାରେ ଯିଏ ରିମୋଟ୍ ଧରିଥାନ୍ତି ବା ଗୁମାସ୍ତା କାମ କରନ୍ତି ସେହି ପାଣ୍ଡିଆନଙ୍କୁ ଶାସନ ଭାର ଟେକି ଦେବା ପାଇଁ ମୁଖ୍ୟମନ୍ତ୍ରୀ ସୁଚିନ୍ତିତ ଯୋଜନା ଓ ଷଡ଼ଯନ୍ତ୍ର କରିଛନ୍ତି । ତାହା ପୁଣି ବିଧାନସଭାର ପଛ ଦ୍ଵାର ଦେଇ । କାରଣ ମୁଖ୍ୟମନ୍ତ୍ରୀ ଯେଉଁ ଦୁଇ ଆସନରୁ ଲଢିବେ ସେଥିରୁ ଗୋଟିଏ ଆସନ ଗୁମାସ୍ତାଙ୍କୁ ଦେବେ । ବିଧାନସଭାର ପଛ ଦ୍ବାରରେ ପାଣ୍ଡିଆନଙ୍କୁ ପୁରାଇ ଓଡ଼ିଶା ଶାସନ ଭାର ଦେବାର ଯୋଜନା କରୁଛନ୍ତି । ଏହାକୁ ଓଡ଼ିଶା ଲୋକ ପ୍ରତ୍ୟାଖାନ କରିବେ ।"
ସେ ଆହୁରି କହିଛନ୍ତି,"ଦୁଇଟି ଆସନରେ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ । ପରେ ଗୋଟିଏ ଆସନ ନବୀନ ଛାଡ଼ି ଦେବେ ଓ ସେଠାରେ ଉପନିର୍ବାଚନ ହେବ, ଆଉ ବାବୁ ହେବେ ବିଧାୟକ । ଯିଏକି ବିଜେଡିର ୨ ନମ୍ବର ଷ୍ଟାର କ୍ୟାମ୍ପେନର । ଓଡ଼ିଶା ଅସ୍ମିତା ଓ ସ୍ବାଭିମାନକୁ ଆଧାର କରି ବିଜେପି ନିର୍ବାଚନ ଲଢୁଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କର ଏହି ସୁଚିନ୍ତିତ ଯୋଜନା ଓ ଉଦ୍ଦେଶ୍ୟକୁ କେବେ ସଫଳ କରିବାକୁ ଦେବୁନି । ତାଙ୍କୁ କେବେ ସଫଳ କରାଇଦେବେ ନାହିଁ ଓଡ଼ିଶାବାସୀ ।" ଅନ୍ୟପଟେ ବିଜେପି କହିଛି, "ରାଜ୍ୟରେ ମୁଷ୍ଟିମେୟ ଅଫିସରଙ୍କ ହାତରେ ଶାସନ ଭାର। ଯାହାକୁ ନେଇ ଓଡ଼ିଶାରେ ଗଣତନ୍ତ୍ର ବିପଦରେ ରହିଛି । ଏଠାରେ ଜନ ପ୍ରତିନିଧିମାନଙ୍କର କୌଣସି କ୍ଷମତା ନାହିଁ କି କଥା କହିବାର ସ୍ୱାଧୀନତା ନାହିଁ । ଏହାସହ 5T ଓ ରୁପାନ୍ତରଣ ନାଁରେ ଯେଉଁ ଦୁର୍ନୀତି ଓ ଭ୍ରଷ୍ଟାଚାର ହୋଇଛି, ତାକୁ ଲୋକ ଭୁଲିନାହାନ୍ତି ।"
"ଲୋକଙ୍କୁ ଏଠାରେ ମୌଳିକ ସୁବିଧା ମିଳୁନି । କେନ୍ଦ୍ର ସରକାର ଟ୍ୟାପ ମାଧ୍ୟମରେ ପାଣି ଦେବା ପାଇଁ ଯୋଜନା କଲେ ତାହାର ଶ୍ରେୟ ବି ବିଜେଡି ନେଲା । ବର୍ତ୍ତମାନ ସୁଦ୍ଧା ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏହାକୁ ବି ଲୋକେ ଅନୁଭବ କଲେଣି। ବିଶେଷ କରି ଅଫିସର ଶାସନ ମାଧ୍ୟମରେ ଓଡ଼ିଆ ସ୍ୱାଭିମାନ ଉପରେ ବାରମ୍ବାର ଆଘାତ କରାଯାଉଛି । ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଛି ବିଜେଡି ସରକାର । ପରିକ୍ରମା ନାଁରେ 4ହଜାର 500 କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ବିଜେଡି ଶାସନରେ ଜନ ପ୍ରତିନିଧିମାନେ ଅପମାନିତ ହେଉଛନ୍ତି । ସେ ଦୃଷ୍ଟିରୁ ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ, ରାଜନୈତିକ ଶାସନ ପ୍ରତିଷ୍ଠା ପାଇଁ ଓ ସମ୍ବିଧାନର ସୁରକ୍ଷା ପାଇଁ ବିଜେପିକୁ ଲୋକମାନେ ମନସ୍ଥ କରିଛନ୍ତି, ଭୋଟ ଦେବେ ଆଉ ବିଜେପି ସରକାର କରିବ। ଓଡ଼ିଆ ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କ ଏହି ଷଡ଼ଯନ୍ତ୍ର ପଣ୍ଡ କରିବେ" ବୋଲି କହିଛନ୍ତି ରାଜ୍ୟ ବିଜେପି ପୂର୍ବତନ ସଭାପତି । ସୂଚନା ଅନୁସାରେ, ଗତ ନିର୍ବାଚନରେ ମଧ୍ୟ ୨ଟି ଆସନରେ ନିର୍ବାଚନ ଲଢ଼ିଥିଲେ ମୁଖ୍ୟମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର