ଭୁବନେଶ୍ବର: ଦେଶରେ ସରିଛି ସାଧାରଣ ନିର୍ବାଚନ । ଓଡ଼ିଶାରେ ମଧ୍ୟ ୪ଟି ପର୍ଯ୍ୟାୟରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ଏହାପରେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି ବିଭିନ୍ନ ସଂସ୍ଥା ଦ୍ବାରା ପ୍ରକାଶିତ ଏକ୍ଜିଟ୍ ପୋଲ୍ । ବିଭିନ୍ନ ଜାତୀୟସ୍ତରୀୟ ଘରୋଇ ସଂସ୍ଥା କରିଥିବା ସର୍ଭେ ଅନୁସାରେ ଲୋକସଭାରେ ବିଜେଡିକୁ ଚେକ୍ ଦେଇ ଆଗକୁ ଚାଲିଯାଇଛି ବିଜେପି । ପ୍ରାୟ ସବୁ ଆକଳନ ଅନୁସାରେ ଓଡ଼ିଶାରେ ବିଜେଡି ଅପେକ୍ଷା ବିଜେପିକୁ ଅଧିକା ଲୋକସଭା ଆସନ ମିଳିବାକୁ ଯାଉଛି । ଯାହାକୁ ଅସ୍ବୀକାର କରିଛି ବିଜେଡି ।


ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "୨୦୧୪ ହେଉ କି ୨୦୧୯, ଓଡିଶା ସନ୍ଦର୍ଭରେ EXIT ପୋଲ୍ ସବୁବେଳେ ଭୁଲ ପ୍ରମାଣିତ ହୋଇଛି । ୨୦୨୪ରେ ମଧ୍ୟ ଏହି EXIT ପୋଲ ଭୁଲ ପ୍ରମାଣିତ ହେବ । ଦଳର ସର୍ଭେ ଓ ଆକଳନ ଏବଂ ତୃଣମୂଳରେ ଆମକୁ ଫିଡ୍ବ୍ୟାକ୍ ମିଳୁଛି । ୨୧ ଲୋକସଭା କ୍ଷେତ୍ର ମଧ୍ୟରୁ ବିଜୁ ଜନତା ଦଳ ସର୍ବନିମ୍ନ ୧୨ଟି ଆସନ ଜିତୁଛି । ଆମେ ଆହୁରି ଅଧିକ ଜିତିପାରୁ । ବିଧାନସଭାରେ ତିନି ଚତୁର୍ଥାଂଶ ଆସନ ସହ ସରକାର ଗଠନ କରୁଛୁ । ୧୪୭ ବିଧାନସଭା ଆସନରୁ ତିନି ଚତୁର୍ଥାଂଶ ଅର୍ଥାତ ୧୧୦ ଆସନ ଦଳ ଦଖଲ କରିବ । ୧୧୦-୧୧୫ ଉପରକୁ ମଧ୍ୟ ଏହି ସଂଖ୍ୟା ଯାଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସୁଦୃଢ ଏବଂ ସ୍ଥିର ସରକାର ହେବାକୁ ଯାଉଛି । ଆମେ ଉତ୍ସାହିତ ଅଛୁ ।"


ପ୍ରକାଶ ଥାଉ, ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ପୋଲ-ୱାଚ୍ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା 'ବୁଥ ବାହୁଡା ଜନମତ' ସର୍ଭେରେ ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପି ଶାସକ ବିଜେଡିକୁ ଢେର ପଛରେ ପକାଇବ । 'ଇଣ୍ଡିଆ ଟିଭି'ର ଆକଳନ ଅନୁସାରେ ରାଜ୍ୟରେ ବିଜେପି ୧୫ରୁ ୧୭ ଆସନ ଜିତିପାରେ । ସେହିପରି ଶାସକ ବିଜେଡି ମାତ୍ର ୪ରୁ ୬ ଆସନରେ ସୀମିତ ରହିବ । କଂଗ୍ରେସ ଗୋଟିଏ ମାତ୍ର ଆସନରେ ଖାତା ଖୋଲିପାରେ । ସେହିପରି ଅନ୍ୟ ଏକ ଜାତୀୟ ସଂସ୍ଥା 'ଜନ କି ବାତ' ଅନୁସାରେ, ବିଜେପି ୧୫ରୁ ୧୮ ଆସନ ହାତେଇବ । ସେହିପରି ବିଜେଡି ମାତ୍ର ୩ରୁ ୭ ଆସନରେ ରହିବ । କଂଗ୍ରେସ ଏଥର ରାଜ୍ୟରେ ଖାତା ଖୋଲିନପାରେ ବୋଲି ଆକଳନ କରିଛି 'ଜନ କି ବାତ' । ଜାତୀୟ ପୋଲ-ୱାଚ୍ ବଡି 'ଚାଣକ୍ୟ'ର ପୂର୍ବାକଳନ ଅନୁସାରେ ରାଜ୍ୟରେ ୨୧ ଆସନରୁ ବିଜେପି ସର୍ବାଧିକ ୧୬, ବିଜେଡି ୪ ଓ କଂଗ୍ରେସ ମାତ୍ର ଗୋଟିଏ ଆସନ ହାତେଇପାରେ । 'ଏନଡିଟିଭି'ର ପୂର୍ବାକଳନ ବିଜେପିକୁ ୧୫, ବିଜେଡିକୁ ୩ରୁ ୮ ଓ କଂଗ୍ରେସ ରାଜ୍ୟରେ ଖାତା ଖୋଲିନପାରେ । ସେହିଭଳି ଇଣ୍ଡିଆ ନ୍ୟୁଜ ଅନୁସାରେ ବିଜେପି ୧୩, ବିଜେଡି ୮ ଓ କଂଗ୍ରେସ ଖାତା ଖୋଲିନପାରେ ।

ଇଟିଭି ଭାରତ, ଭୁବନେଶ୍ବର