ଭବାନୀପାଟଣା: ପ୍ରାର୍ଥୀ ନାମାଙ୍କନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଛି । ଭୋଟର ମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ କସରତ ଆରମ୍ଭ କରି ସାରିଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ହାଇଭୋଲଟେଜ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । ବିଜେଡି ପକ୍ଷରୁ ପୁଣି ଥରେ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରିଷ୍ଠ ନେତା ବଳଭଦ୍ର ମାଝୀଙ୍କୁ ଚଳିତ ଥର କଂଗ୍ରେସ ପ୍ରାର୍ଥୀ କରିଛି । ସେହିପରି ବିଜେପିରୁ ପୁଣି ଥରେ ରମେଶ ମାଝୀ ପ୍ରାର୍ଥୀ ହୋଇଛନ୍ତି । ତେବେ ୨୦୦୯ ରେ ଗଠିତ ଏହି ନିର୍ବାଚନ ମଣ୍ଡଳୀ ଯାହା ଏବେ ବିଜେଡିର ଗଡ ଭାବରେ ପରିଚିତ , ଯେଉଁଠି ଲଗାତାର ବିଜେଡି ୨ ଥର ବିଜୟୀ ହୋଇଛି । ଆସନ୍ତୁ ନଜର ପକାଇବା ଏହି ସ୍ବତନ୍ତ୍ର ରିପୋର୍ଟ ଉପରେ ।

କଣ ରହିଛି ରାଜନୈତିକ ଦଳଙ୍କ ରଣନୀତି :-
ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ କଂଗ୍ରେସ ମହିଳା ସଶକ୍ତିକରଣକୁ ଗୁରୁତ୍ବ ,ଚାଷୀ ସମସ୍ୟା, ବେକାରୀ ସମସ୍ୟାକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ବିଜେପି ମୋଦୀଙ୍କ ଗ୍ୟାରେଣ୍ଟି ସହ ବିକଶିତ ଭାରତକୁ ନେଇ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଛି।
ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ଲାଞ୍ଜିଗଡରେ ମଧ୍ୟ ହୋଇଛି । ଗମନାଗମନ କ୍ଷେତ୍ର, ମହିଲା ସଶକ୍ତୀକରଣ ତଥା ଚାଷୀ ଓ ଯୁବକ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହୋଇଛି । ଏହାକୁ ନେଇ ଲୋକଙ୍କ ପାଖକୁ ଯିବୁ । ଏହି ୫ ବର୍ଷ ଧରି ଲୋକମାନଙ୍କ ସେବା କରିଛି ତେଣୁ ଜନ ସମର୍ଥନ ନିଶ୍ଚିନ୍ତ ଭାବେ ବିଜେଡି ସପକ୍ଷରେ ରହିବ।"

କଂଗ୍ରେସ ପ୍ରାର୍ଥୀ ବଳଭଦ୍ର ମାଝୀ କହିଛନ୍ତି, "ଲାଞ୍ଜିଗଡ ଏକ ଆଦିବାସୀ ବହୁଳ ଓ ଅନୁନ୍ନତ ଅଞ୍ଚଳ ଅଟେ । ଏଠାରେ ଅନେକ ସମସ୍ୟା ରହିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଲୋକ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ । ସର୍ବୋପରି ଲୋକଙ୍କୁ ନ୍ୟାୟ ମିଳିପାରୁନାହିଁ । ଯାହା ତାଙ୍କର ପ୍ରଥମ ମୁଦ୍ଦା ରହିବ । ଦୀର୍ଘ ଦିନର ଶାସନ ସତ୍ତ୍ବେ ବିକାଶ ଠାରୁ ଦୂରରେ ଲାଞ୍ଜିଗଡ ବାସୀ ।ତେଣୁ ଲାଞ୍ଜିଗଡବାସୀ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଅନୁରୋଧ ।"
ସେହିପରି ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର କହିଛନ୍ତି ଯେ, "ଏବର କଂଗ୍ରେସ ପ୍ରାର୍ଥୀ ୫ -୫ ଥର ବିଧାୟକ ହେବା ସତ୍ତ୍ବେ ଏ ଅଞ୍ଚଳକୁ ଉପେକ୍ଷା କରାଯାଇଛି । ଲାଞ୍ଜିଗଡରେ ବିକାଶ ପୂର୍ବତନ ପ୍ରଧାନ ମନ୍ତ୍ରୀ ବାଜପେୟୀଙ୍କ ସମୟ ରେ ହୋଇଛି । ତେବେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଶାସନରେ ଏ ଅଞ୍ଚଳରେ ଅନେକ ବିକାଶ ହୋଇଛି । ତେବେ ଆଗାମୀ ନିର୍ବାଚନରେ ମୋଦି ଗ୍ୟାରେଣ୍ଟିକୁ ପାଥେୟ କରି ବିପୁଳ ଭୋଟରେ ବିଜୟୀ ହେବେ ବିଜେପି ପ୍ରାର୍ଥୀ । "
ସେହିପରି ସ୍ଥାନୀୟ ଲୋକ ଅଞ୍ଚଳର ଦାଦନ ସମସ୍ୟା, ଯୁକ୍ତ ୩ କଲେଜ ଅଭାବ, ଆଇଟିଆଇ କଲେଜ ଅଭାବ, ବସଷ୍ଟାଣ୍ଡର ଅଭାବ ତା ସହିତ ଯୋଗାଯୋଗର ନାହିଁ ନଥିବା ଅସୁବିଧାକୁ ପ୍ରକାଶ କରିଛନ୍ତି । ସେହିଭଳି କିଛି ଲୋକ ବିଜେଡି ସରକାରଙ୍କ ଦ୍ବାରା ଉପକୃତ ହେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।
ବିଗତ ନିର୍ବାଚନର ରେକର୍ଡ:-
ବିଗତ ନିର୍ବାଚନର ଫଳାଫଳକୁ ଯଦି ଦେଖିବା ତା ହେଲେ ୨୦୦୯ ନିର୍ବାଚନରେ ବିଜେଡିରୁ ବଳଭଦ୍ର ମାଝୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଶିବାଜି ମାଝୀ ଓ ବିଜେପିରୁ ବିଜୟ ଦିଶାରୀ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଶିବାଜି ମାଝୀ ୪୬ ହଜାର ୧୩୮ ଟି ଭୋଟ ଅର୍ଥାତ ୩୪.୪୭ ଦଶମିକ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବଳଭଦ୍ର ମାଝୀ ୪୩ ହଜାର ୯୯ ଟି ଭୋଟ ଅର୍ଥାତ୍ ୩୨.୨୦ ଦଶମିକ ଭୋଟ ପାଇ ଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ଦିଶାରୀ ୨୮ ହଜାର ୪୮୨ ଟି ଭୋଟ ଅର୍ଥାତ୍ ୨୧.୨୮ ଦଶମିକ ଭୋଟ ପାଇ ପରାଜୟ ହୋଇଥିଲେ।
ସେହିପରି ୨୦୧୪ ନିର୍ବାଚନରେ ଲାଞ୍ଜିଗଡ ବିଜେଡିର ଗଡ ଭାବରେ ପରିଚିତ ହେଲା । ୨୦୨୪ ନିର୍ବାଚନରେ ବିଜେଡିରୁ ବଳଭଦ୍ର ମାଝୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରଦୀପ ଦିଶାରୀ ପ୍ରାର୍ଥୀ ହୋଇଥିଲେ ଓ ବିଜେପିରୁ ବିଜୟ ଦିଶାରୀ ପ୍ରାର୍ଥୀ ହୋଇଥିଲେ । ବଳଭଦ୍ର ମାଝୀ ୬୫ ହଜାର ୩୩ ଟି ଭୋଟ ପାଇ ବିଜୟ ହୋଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦିଶାରୀ ୪୦ ହଜାର ୧୩୮ ଟି ଭୋଟ ପାଇଥିବା ବେଳେ ବିଜୟ ଦିଶାରୀ ୨୬ ହଜାର ୭୪୪ ଟି ଭୋଟ ପାଇ ପରାଜିତ ହୋଇଥିଲେ।
୨୦୧୯ ନିର୍ବାଚନରେ ବଦଳିଥିଲା ବିଜେଡିର ନିର୍ବାଚନ ରଣନୀତି ଏହି ନିର୍ବାଚନ ସମୟରେ ବଳଭଦ୍ର ମାଝୀଙ୍କ ଦଳ ବଦଳ ଫଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ଶିବାଜି ମାଝୀ ଓ ବିଜେପିରୁ ରମେଶ ଚନ୍ଦ୍ର ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ୬୨ ହଜାର ୪୧୩ ଟି ଭୋଟ ପାଇ ପ୍ରଦୀପ ଦିଶାରୀ ବିଜୟ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶିବାଜି ମାଝୀ ୪୮ ହଜାର ୧୦୫ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ୩୯ ହଜାର ୭୭୭ ଟି ଭୋଟ ପାଇ ପରାଜିତ ହୋଇଥିଲେ।
ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଅବସ୍ଥିତି: -
ଲାଞ୍ଜିଗଡ , ଥୁଆମୂଳ ରାମପୁର, ଜୟପାଟଣା ବ୍ଲକ ର ୧୬ ଟି ପଞ୍ଚାୟତ ଓ ଭବାନୀପାଟଣା ବ୍ଲକର ୮ ଟି ପଞ୍ଚାୟତ କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ଆଦିବାସୀ ଙ୍କ ପାଇଁ ସଂରକ୍ଷଣ ରହିଛି । ୨୦୦୯ ମସିହାରେ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବା ବେଳେ ଏଠାରେ ୧୦୬୦୭୩ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧୦୯୬୧୫ ଜଣ ମହିଳା ଭୋଟର ରହିଛନ୍ତି ସେହିପରି ୨୩ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଥିବା ବେଳେ ୨୨୯ ଜଣ ନୂଆଁ ଭୋଟର ରହିଛନ୍ତି ।
ଲାଞ୍ଜିଗଡ ଭଳି ଅନୁନ୍ନତ ଅଞ୍ଚଳରେ ବିକାଶକୁ ନେଇ ମୁଖ୍ୟ ମୁଦ୍ଦା ରୂପେ ୩ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ତେବେ ବିଜେଡିର ହାଟ୍ରିକ ବିଜୟ ହାସଲ କରିବ କି କଂଗ୍ରେସ ଲେଉଟିବ ତାକୁ ନେଇ ଛକାପଞ୍ଝା ଜାରି ରହିଛି । ସେହିଭଳି ବିଜେପି ମଧ୍ୟ ନିଜର ଡେବ୍ୟୁ ବିଜୟକୁ ନେଇ ବେଶ ଆଶାବାଦୀ ରହିଛି । ତେବେ ଜନତାଙ୍କ ଆଶୀର୍ବାଦ କେଉଁ ଆଡକୁ ଢଳିବ ତାହା ସମୟ କହିବ ।
ଇଟିଭି ଭାରତ, କଳାହାଣ୍ଡି