ନିଆଳି: ରାଜ୍ୟରେ ନିର୍ବାଚନୀ ଉଷ୍ଣତା । ପ୍ରାର୍ଥୀମାନଙ୍କ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଜୋରଦାର ରହିଛି । ଏହି କ୍ରମରେ ଖୋର୍ଦ୍ଧାରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଭୋଟରମାନଙ୍କ ପାଖରେ ପହଞ୍ଚିବାକୁ ପ୍ରଚାର କରିଛନ୍ତି । ଜିଲ୍ଲାର ବାଳକାଟି ମଣ୍ତଳରେ ଅପରାଜିତା ଷଡଙ୍ଗୀ ଜନ ଆଶୀର୍ବାଦ ପଦଯାତ୍ରା କରିଛନ୍ତି । "ପୁଣି ଥରେ ଅପରାଜିତା, ଏଥର ଅପରାଜିତା" ନାରାରେ ଆରମ୍ଭ ହୋଇଛି ଜନ ଆଶୀର୍ବାଦ ପଦଯାତ୍ରା । କର୍ମୀ ସମର୍ଥକ ଓ ନେତାଙ୍କ ସହଯୋଗରେ ବିଜେପି ଗାଁ ଗାଁ ବୁଲି ଭୋଟରମାନଙ୍କ ଆଶୀର୍ବାଦ ଗୋଟାଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜୟଦେବ ବିଧାନସଭା ଆସନ ଅନ୍ତର୍ଗତ ଝିଇଁଣ୍ଟି ଶାସନ ପଞ୍ଚାୟତ ଝିଣ୍ଟିପାଟଣାଠାରୁ ଜନ ଆଶିର୍ବାଦ ପଦଯାତ୍ରା ଆରମ୍ଭ ହୋଇ ପୁରୋହିତପୁର ପଞ୍ଚାୟତ ସ୍ଥିତ ସିଙ୍ଗିରଶାସନ ଗାଁରେ ପହଞ୍ଚିଥିଲା । ଏହି ପଦଯାତ୍ରାରେ ବିଜେପି ବାଳକାଟି ମଣ୍ତଳର ସମସ୍ତ କର୍ମୀ ଏବଂ ସମର୍ଥକ ମାନେ ଯୋଗଦେଇଥିଲେ । ପୁରୋହିତପୁର ପଞ୍ଚାୟତସ୍ଥିତ ପାଣିକଟା ମେଲଣ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତାପସ ଜେନା, ମାଗୁଣୀ ସେଠି, ଶିବ ମଲ୍ଲିକ, ଜଗନ୍ନାଥ ମଲ୍ଲିକ ଓ ସମିତି ସଭ୍ୟ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀଙ୍କୁ ଜୟଦେବ ବିଧାନସଭା ଆସନରୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅପିଲ କରିଥିଲେ ।
ଏହି ଅବସରରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, "ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି । ଜୟଦେବ ଅଞ୍ଚଳରେ ବାଲିମାଫିଆଙ୍କ ପ୍ରାର୍ଦୁଭାବ ବଢିଚାଲିଛି । ବାଲି ମାଫିଆଙ୍କ ପ୍ରତିନିଧି ଜୟଦେବରେ ଛିଡା ହୋଇଛନ୍ତି । ମୁଁ ଜୟଦେବ ବିଧାନସଭା ଆସନକୁ ନିର୍ବାଚିତ ପରଠାରୁ ଏବଂ ପୁର୍ନବାର ପ୍ରାର୍ଥୀ ହେବା ପରେ ଦୁଇ ଦିନ ଏବଂ ଚାରି ଦିନରେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛି । ଲୋକଙ୍କ ସାଙ୍ଗରେ ଅଛି । ରାଜନୀତି ସାଙ୍ଗକୁ ପ୍ରଚଣ୍ଡ ଖରାରେ ମୋ ସହିତ ଭାଇ ଓ ଭଉଣୀମାନଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ଏଥିପାଇଁ ମୁଁ ଜୟଦେବବାସୀଙ୍କ ନିକଟରେ ଋଣୀ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ବହୁ କାର୍ଯ୍ୟ ହୋଇଛି ଯାହାର ରିପୋର୍ଟ କାର୍ଡ ଆପଣଙ୍କ ନିକଟରେ ରହିଛି ।"
ସେ ଆଉମଧ୍ୟ କହିଛନ୍ତି, "ଜୟଦେବରେ ମୋର ଇଛା ଅଛି ଚାଷୀମାନଙ୍କ ପାଇଁ ଶୀତଳୀକରଣ ଭଣ୍ଡାର, କୃଷକମାନଙ୍କ ଲାଗି ଜଳ ସେଚନ ବ୍ୟବସ୍ଥା କରିବା ।" ଜୟଦେବବାସୀ ଠିକ ଜନପ୍ରତିନିଧି ବାଛିବା ପାଇଁ ନିବେଦନ କରିଥିଲେ ବିଜେପି ପ୍ରାର୍ଥୀ ।
ଇଟିଭି ଭାରତ, ନିଆଳି