ଭୁବନେଶ୍ବର: କଳ୍ପନାଜଳ୍ପନାର ହେଲା ଅନ୍ତ । ଓଡି଼ଶାରୁ ପୁଣି ଥରେ ରାଜ୍ୟସଭା ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡି଼ଶାରୁ ଖାଲି ହେଉଥିବା ୩ଟି ଆସନ ପାଇଁ ୨ ଜଣ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ପ୍ରାର୍ଥୀଙ୍କୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଆସନ୍ତାକାଲି ନାମାଙ୍କନ ଭରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ମୁତାବକ, ଅଶ୍ୱିନୀ ବୈଷ୍ଣବ ହିଁ ହେଉଛନ୍ତି ସେହି ତୃତୀୟ ପ୍ରାର୍ଥୀ, ଯିଏକି ଓଡି଼ଶାରୁ ପୁଣିଥରେ ରାଜ୍ୟସଭା ଯିବେ । ଏଥିପାଇଁ ସେ ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ୨୦୧୯ ଭଳି ୨୦୨୪ରେ ମଧ୍ୟ ସମାନ ଢଙ୍ଗରେ ଅଶ୍ୱିନୀଙ୍କୁ ସମର୍ଥନ ଦେବ ଶାସକ ଦଳ ବିଜେଡି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ୨୦୧୯ ଭଳି ୨୦୨୪ରେ ମଧ୍ୟ ସମାନ ଢଙ୍ଗରେ ଅଶ୍ୱିନୀଙ୍କୁ ସମର୍ଥନ ଦେବ ଶାସକ ବିଜୁ ଜନତା ଦଳ ।
ପୁନରାବୃତ୍ତି ହେବାକୁ ଯାଉଛି ୨୦୧୯ ଏପିସୋଡ଼ । ୨୦୨୪ରେ ବି ଓଡିଶାରୁ ରାଜ୍ୟସଭା ଯିବେ ଅଶ୍ୱିନୀ ବୈଷ୍ଣବ । ବିଜେପି ପ୍ରାର୍ଥିତ୍ବ ଓ ବିଜେଡି ସମର୍ଥନରେ ଉଚ୍ଚସଦନକୁ ଯିବେ ଅଶ୍ୱିନୀ । ସେ ଆସନ୍ତାକାଲି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି । ଗତଥର ଭଳି ଏଥର ବି ଗୋଟେ ଆସନ ବିଜେପିକୁ ବିଜେଡି ଛାଡ଼ିଥିବା ସୂଚନା ମିଳିଛି । ୩ଟି ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନରେ ନାମାଙ୍କନ ପତ୍ର ଦାଖଲ କରି ପରୋକ୍ଷରେ ଏହି ସୂଚନା ଦେଇଥିଲା ଯେ, ବିଜେପିକୁ ଗୋଟିଏ ଆସନ ମିଳିବ ।
ଏହା ବି ପଢନ୍ତୁ...ଶୁଭାଶିଷ ରାଜ୍ୟସଭା ଯିବା ଆଗାମୀ ନିର୍ବାଚନ ରଣନୀତିର ଏକ ଅଂଶ କି ?
ଯାହା ୨୦୧୯ରେ ହୋଇଥିଲା ତାହା ୨୦୨୪ରେ ରିପଟ ହେବନାହିଁ ବୋଲି ଆଲୋଚନା ହେଉଥିଲା । ଚଳିତ ଥର ବିଜେଡି ରାଜ୍ୟସଭା ପାଇଁ ଗୋଟିଏ ଆସନ ଗତ ଥର ଭଳି ଛାଡ଼ିବନି ବୋଲି ଆଲୋଚନା ହେଉଥିଲା । ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କ ପାଖକୁ ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ଭୁଲ ବାର୍ତ୍ତା ଯିବାର ସମ୍ଭାବନା ଥିବାରୁ ଏ ପଦକ୍ଷେପ ନେବେନି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଫେବୃଆରୀ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ କହି ସମ୍ବୋଧନ କରିଥିଲେ । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ସରକାର ବିରୋଧରେ ନକହି କେବଳ କଂଗ୍ରେସ ଉପରେ ବର୍ଷିଥିଲେ । ଏଥିରୁ ସାମ୍ୟକ ସୂଚନା ମଳୁଥିଲା ଯେ, ବିଜେପିର ଶୀର୍ଷ ନେତୃତ୍ୱ ବିଜେଡି ପ୍ରତି କୋହଳ ମନୋଭାବ ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର