ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଏଥିପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ଅରୁଣାଚଳ ପ୍ରଦେଶରେ ସମସ୍ତ 60 ଆସନରେ ଗୋଟିଏ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି । ଦଳ ଟ୍ବିଟ୍ କରି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ।
ମୁକ୍ତୋ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ନବାଗତ ଚେହେରା ଭାବେ ରାତୁ ତେଚିଙ୍କ ଦଳ ଟିକେଟ ଦେଇଛି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ ଟୁକିଙ୍କ ପାରମ୍ପରିକ ଆସନ ‘ସାଗାଲେ’ରୁ ଲଢ଼ିବେ । 2019ରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ 41 ଆସନରେ ଜିତି ସରକାର ଗଠନ କରିଥିଲା । ଦଳ ଏଥର ଅଧିକ ଆସନ ଜିତିବା ସହ କ୍ଷମତା ଅପରିବର୍ତ୍ତିତ ରଖିବାକୁ ପ୍ରୟାସ କରିବ ।
ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶରେ ବିଜେପି-ଟିଡିପି ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିକଟରେ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜେପି ନେତୃତ୍ବାଧୀନ ଏନଡିଏରେ ସାମିଲ ହୋଇ ସାରିଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଆଲୋଚନା ଜାରି ରହିଛି । ମେଣ୍ଟ ନେଇ ଆସନ ଛିଡ଼ିବା ପରେ ଉଭୟ ଦଳ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ଯଥେଷ୍ଟ ସମ୍ଭବାନା ରହିଛି ।
ଏହା ମଧ୍ୟ ପଢନ୍ତୁ :- ଆସ୍ଥାଭୋଟ ଜିତିଲେ ହରିୟାଣା ନୂତନ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି
ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟର 195 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆନ୍ଧ୍ର ଏବଂ ଓଡ଼ିଶାର ଖାତା ଖୋଲିନାହିଁ । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖଙ୍କୁ ଦଳ ଟିକେଟ ଦେଇସାରିଛି । ଆସନ୍ତା ପର୍ଯ୍ୟାୟରେ ଅବଶିଷ୍ଟ ଆସନରେ ଦଳ ଟିକେଟ ଘୋଷଣା କରିବା ନେଇ ପ୍ରକ୍ରିୟା ଜାରି ରଖିଛି । ଗତକାଲି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ଲୋକସଭା ଓ 4 ରାଜ୍ୟର ବିଧାନସଭା ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ଜାରି ରହିଛି । 4 ଶହ ପାର ନାରା ସହ ଚଳିତ ନିର୍ବାଚନ ଲଢିବାକୁ ଯାଉଥିବା ବିଜେପି ଟିକେଟ ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ