ନୂଆଦିଲ୍ଲୀ: ଆସନ୍ତାକାଲି (ମଙ୍ଗଳବାର) ଉପସ୍ଥାପିତ ହେବାକୁ ଯାଉଛି ଆର୍ଥିକ ବର୍ଷ 2024-25ର ବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ । ଏହା ମୋଦି ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ତେବେ ଏଥିରେ ପ୍ରତିରକ୍ଷା କ୍ଷେତ୍ରକୁ ଆଖିଦୃଶିଆ ପରିମାଣର ବ୍ୟୟ ବରାଦ ହେବା ନେଇ ଆଶା କରାଯାଇଛି । ଗତବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଥିବା ଆବଣ୍ଟନଠାରୁ ଏଥର ପରିମାଣ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ସାଧାରଣ ବଜେଟରେ ପ୍ରତିରକ୍ଷା ବଜେଟ୍ ରାଶି 7 ରୁ 9 ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଧିକ ବୋଲି ଚର୍ଚ୍ଚା ହେଉଛି । ପ୍ରତିରକ୍ଷା ବିଶେଷଜ୍ଞ ତଥା ଉଦ୍ୟୋଗୀମାନେ 'ମେକ୍ ଇନ୍ ଇଣ୍ଡିଆ' ଯୋଜନା ଅଧୀନରେ ଯୁଦ୍ଧାସ୍ତ୍ର ଓ ଅନ୍ୟ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ରପ୍ତାନି, ଆଧୁନିକୀକରଣ, ଗବେଷଣା ଓ ବିକାଶ (R&D) ଓ କେନ୍ଦ୍ରୀୟ ଯୋଜନା ‘ଅଗ୍ନିପଥ’ ପାଇଁ ଆବଣ୍ଟନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
ଏଥର ବଜେଟରେ ଭାରତୀୟ ସଶସ୍ତ୍ର ବାହିନୀର ଆଶା:
ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ସରକାରଙ୍କ ମୋଟ ବ୍ୟୟବରାଦରୁ ଅତିକମରେ ପ୍ରାୟ 25 ପ୍ରତିଶତ ଭାରତୀୟ ସଶସ୍ତ୍ର ବାହିନୀ ପାଇବ ବୋଲି ଆଶା କରାଯାଉଛି । କାରଣ ଚୀନ ଓ ପାକିସ୍ତାନ ସୀମାରେ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ବର୍ତ୍ତମାନ ସମୟର ଏକ ପ୍ରମୁଖ ଆବଶ୍ୟକତା ଭାବେ ସାମ୍ନାକୁ ଆସିଛି । ଏହିପରି ସ୍ଥିତିରେ ପାକିସ୍ତାନ ଅପେକ୍ଷା ଚୀନର ପ୍ରସଙ୍ଗ ଅଧିକ ଜଟିଳ । ଚୀନ ମୁକାବିଲା ପାଇଁ ସୀମାନ୍ତ କ୍ଷେତ୍ରରେ ସାମରିକ ଭିତ୍ତିଭୂମି ଓ ନୂତନ ଯନ୍ତ୍ରପାତିର ଜରୁରୀକାଳୀନ କ୍ରୟ ପାଇଁ ବ୍ୟାପକ ବିନିଯୋଗ ଆବଶ୍ୟକ କରୁଛି । ତେଣୁ ସେହି ଆବଶ୍ୟକତା ଏଥର ସାଧାରଣ ବଜେଟରେ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରିପାରନ୍ତି ।
ସୀମାବର୍ତ୍ତୀ ଅଞ୍ଚଳରେ ଚୀନର ସାମରିକ ଭିତ୍ତିଭୂମି ସହ ମୁକାବିଲା କରିବାକୁ ସୀମା ସଡକ ସଂଗଠନ (ବିଆରଓ) ପାଇଁ ଏକ ସ୍ୱତନ୍ତ୍ର ଅନୁଦାନ ରାଶି ଆଶା କରାଯାଉଛି । ଯାହାଦ୍ୱାରା ସୀମାବର୍ତ୍ତୀ ଏରିଆରେ ସଡ଼କ, ପୋଲ ଓ ଟନେଲ୍ ଆଦି ନିର୍ମାଣ ହୋଇପାରିବ । ଆଗାମୀ ବଜେଟରେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଏକ ଅଲଗା ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ମଧ୍ୟବର୍ତ୍ତୀକାଳୀନ ବା ଅନ୍ତରୀଣ ବଜେଟରେ ଆବଣ୍ଟିତ 75 ବିଲିୟନ ଡଲାର ଚୀନ୍ର ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ । 2024 ପାଇଁ ଚୀନ୍ର ପ୍ରତିରକ୍ଷା ବଜେଟ୍ ପ୍ରାୟ 231.4 ବିଲିୟନ ଡ଼ଲାର୍ ହେବ । ଯଦିଓ ଚୀନ ତୁଳନାରେ ଭାରତୀୟ ଅର୍ଥନୀତିର ଭିନ୍ନ ଆକାର ଅଛି, କିନ୍ତୁ ପ୍ରତିରକ୍ଷା ଖର୍ଚ୍ଚକୁ ଯଥେଷ୍ଟ ବୃଦ୍ଧି କରି ପର୍ଯ୍ୟାପ୍ତ ଆବଣ୍ଟନ ପାଇଁ ଭାରତ ବର୍ତ୍ତମାନ ସ୍ଥିତିରେ ବାଧ୍ୟ ହୋଇପାରେ ।
କ୍ରମାଗତ ବଢୁଛି ପ୍ରତିରକ୍ଷା ବଜେଟ ରାଶି:-
ଗତ ଚାରି ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ବଜେଟ୍ ଆବଣ୍ଟନ ଧୀରେ ଧୀରେ ବୃଦ୍ଧି ପାଇଛି । 2020ରେ 4.71 ଲକ୍ଷ କୋଟି, 2021ରେ 4.78 ଲକ୍ଷ କୋଟି, 2022 ସାଧାରଣ ବଜେଟରେ 5.25 ଲକ୍ଷ କୋଟି ଏବଂ 2023 ସାଧାରଣ ବଜେଟରେ ଏହି ରାଶି 5.94 ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା । ନିର୍ବାଚନ ପୂର୍ବରୁ ଫେବୃଆରୀ ପହିଲାରେ ଉପସ୍ଥାପିତ ହୋଇଥିବା 2024-25 ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତୀ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ 6, 21,540.85 କୋଟି ଆବଣ୍ଟନ କରାଯାଇଥିଲା ।
ମୁଖ୍ୟ ଆବଣ୍ଟନ ଭାବେ ଦରମା ବ୍ୟତୀତ ସଶସ୍ତ୍ର ବାହିନୀ ପାଇଁ ବଜେଟ୍ 92,088 କୋଟି, ପେନ୍ସନ ବାବଦରେ 1.41 ଲକ୍ଷ କୋଟି, ସୀମାରେ ସାମରିକ ଭିତ୍ତିଭୂମି ପାଇଁ 6,500 କୋଟି, ଭାରତୀୟ କୋଷ୍ଟଗାର୍ଡ ପାଇଁ 7,651.80 କୋଟି ଏବଂ DRDOକୁ (ଗବେଷଣା) ପାଇଁ 23,855 କୋଟି ରହିଥିଲା । ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା ଚଳିତ ସାଧାରଣ ବଜେଟରେ ପ୍ରତିରକ୍ଷା ବଜେଟ ରାଶି 7 ରୁ 9% ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଛି ।
2024ରେ ଭାରତର ପ୍ରତିରକ୍ଷା ଉତ୍ପାଦନ 1,26,887 କୋଟିରେ ପହଞ୍ଚିଛି । ଘରୋଇ କ୍ଷେତ୍ର କମ୍ପାନୀ ଗୁଡିକ 26,506 କୋଟିର ଅଂଶଗ୍ରହଣ କରିଛନ୍ତି । ଯାହା ମୋଟ ଉତ୍ପାଦନର 21% । ବର୍ଷ 2028-29 ସୁଦ୍ଧା ଏହି ରାଶି 3,00,000 କୋଟିରେ ପହଞ୍ଚିବା ନେଇ ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି । ଗତ ତିନି ଆର୍ଥିକ ବର୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ (MoD) ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ 122 ଟି ଚୁକ୍ତି ସ୍ୱାକ୍ଷର କରିଛି । ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଚୁକ୍ତିନାମା ମଧ୍ୟରୁ 100ଟି ଅର୍ଥାତ ମୋଟ ଚୁକ୍ତିନାମା ମୂଲ୍ୟର 87% ହିସାବରେ ଭାରତୀୟ ବଣିକମାନଙ୍କ ସହିତ ସ୍ୱାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ, ବାର୍ଷିକ ବଜେଟ ବ୍ୟୟ ଅଟ୍ଟକଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ।
ଜୁଲାଇ 16 ତାରିଖରେ ପ୍ରତିରକ୍ଷା ମନ୍ତ୍ରଣାଳୟ 346ଟି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସାମଗ୍ରୀକୁ ନେଇ ପଞ୍ଚମ 'ପଜିଟିଭ୍ ଇଣ୍ଡିଜେନାଇଜେସନ୍ ତାଲିକା' କୁ ସୂଚିତ କରିଛି । ପ୍ରତିରକ୍ଷା ସାମଗ୍ରୀ ଆମଦାନୀକୁ ହ୍ରାସ କରିବା ତଥା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛି । 2047 ସୁଦ୍ଧା 'ବିକଶିତ ଭାରତ' ହେବାର ଲକ୍ଷ୍ୟ ହାସଲ ନେଇ ସରକାରଙ୍କ ଏହି ଆଭିମୁଖ୍ୟକୁ ବିଚାରକୁ ନେଲେ ନିଶ୍ଚିତ ଭାବରେ, ଜୁଲାଇ 23 (ଆସନ୍ତାକାଲି) ବଜେଟ ରାଶି ପ୍ରତିରକ୍ଷା ଖର୍ଚ୍ଚର କ୍ରମାଗତ ବୃଦ୍ଧି ଆଶା କରାଯାଉଛି । ଏଥିରେ ଆମଦାନୀ ହ୍ରାସ ସହ ଆତ୍ମନିର୍ଭରଶୀଳତା ଏବଂ ରପ୍ତାନୀକୁ ପ୍ରୋତ୍ସାହିତ କରିବାର ଦୁଇଟି ଉଦ୍ଦେଶ୍ୟ ଉପରେ ଧ୍ୟାନ ଦିଆଯାଇପାରେ ।