ହାଇଦ୍ରାବାଦ: ନିକଟରେ UPSC ରେଜଲ୍ଟ ପ୍ରକାଶ ପାଇଥିଲା, ଯାହାକି ଖୁବ୍ ଉତ୍ସାହଜନକ ଥିଲା । ଏଥିରେ ଦେଶର ସବୁଠୁ ପ୍ରତିଷ୍ଠିତ ଚାକିରି ବା ପ୍ରଶାସନିକ ସେବାରେ ସାମିଲ୍ ହେବାକୁ ଯାଉଥିବା ଆଶାୟୀଙ୍କ ଅଦ୍ଭୁତପୂର୍ବ ସଫଳତାକୁ ଦର୍ଶାଯାଇଥିଲା । ଏହି ପ୍ରସଙ୍ଗରେ କିଛି ମାସ ତଳେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର (PMEAC) ଜଣେ ଅଧିକାରୀ ଟିପ୍ପଣୀ ଦେଇଥିଲେ, ଯାହାକି ଅନେକ ପ୍ରଶ୍ନଘେରରେ ଛନ୍ଦି ହୋଇଯାଇଥିଲା । ସେହି ଅଧିକାରୀ ଜଣକ ୟୁପିଏସସି ପ୍ରସ୍ତୁତିକୁ ''ଆକାଂକ୍ଷାର ଅଭାବ'' ଭାବେ ଅଭିହିତ କରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତିକୁ ସମୟର ବର୍ବାଦି ବୋଲି କହିଥିଲେ । ତାଙ୍କର ପରାମର୍ଶ ଥିଲା ଯେ, ଯୁବବର୍ଗ କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ହେବା ବଦଳରେ ଏଲନ ମସ୍କ କିମ୍ବା ମୁକେଶ ଅମ୍ବାନୀ ହେବାକୁ ଲକ୍ଷ୍ୟ ରଖିବା ଉଚିତ୍ ।
ଏହି ତଥ୍ୟକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ଯେ, ପ୍ରତିବର୍ଷ କିଛି ୨୦୦-୪୦୦ ପଦବୀ ପାଇଁ ୧୦ ଲକ୍ଷ ଯୁବକ ଯୁବତୀ ପ୍ରତିଦ୍ବନ୍ଦିତା କରିଥାନ୍ତି । IOLର ଏକ ସଦ୍ୟ ରିପୋର୍ଟରୁ ଜଣାପଡେ, ଅର୍ଥବ୍ୟବସ୍ଥାର ଶ୍ରମ ବଜାର ଯୁବ ପ୍ରତିଭାଙ୍କୁ ରୋଜଗାରକ୍ଷମ କରିବା ଲାଗି ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିପାରୁନାହିଁ । ବାସ୍ତବରେ, ଭାରତରେ ଯୁବଗୋଷ୍ଠୀର ଏକ ବୃହତ ଭାଗ ଏବେ ବି ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଚ୍ୟାଲେଞ୍ଜର ସହ ଯୁଝୁଛନ୍ତି । ସେମାନେ ଉଚ୍ଚବେତନ ଭିତ୍ତିକ ସରକାରୀ ଚାକିରି ପାଇବାକୁ ସଂଘର୍ଷ କରନ୍ତି । ଯେଉଁ କାରଣରୁ ଅଧିକାଂଶ ବର୍ଷ ସେମାନେ ବେରୋଜଗାର ରୁହନ୍ତି ନଚେତ୍ ଛୋଟମୋଟ କାମ କରନ୍ତି ।
ତଥାପି, UPSC ପ୍ରସ୍ତୁତିକୁ “ଆକାଂକ୍ଷାର ଅଭାବ” (Poverty of Aspiration) ଅଭିହିତ କରିବା ଅମୂଳକ । ଏହିଭଳି ଅଜବ ଅବାନ୍ତର ଟିପ୍ପଣୀ ନା କେବଳ ଅପମାନଜନକ ବରଂ ସେହି ଲୋକଙ୍କୁ ହତୋତ୍ସାହିତ କରିବା ଭଳି ଯେଉଁମାନେ ନୀତି ନିର୍ମାତା (Policy Maker) ବନିବାକୁ ଉତ୍ସାହ ରଖନ୍ତି ।
ଅପରପକ୍ଷେ, ବ୍ୟୁରୋକ୍ରାଟ ହେବା ପାଇଁ ବଢୁଥିବା ଆଶାୟୀ ସଂଖ୍ୟା ଆଜିର ଯୁବପିଢିରେ 'ନୋବିଲିଟି ଅଫ୍ ଆସ୍ପିରେସନ'କୁ ସୂଚୀତ କରେ । IAS, IPS ଓ IFS ଭଳି ପ୍ରତିଷ୍ଠିତ ସେବା ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ବ୍ୟକ୍ତିଙ୍କ ତଥ୍ୟକୁ ଦେଖିଲେ, ଏହାର ଏକ ବୃହତ ଭାଗର ଶିକ୍ଷାଗତ ପୃଷ୍ଠଭୂମି ଇଞ୍ଜିନିୟରିଂ, ମେଡିକାଲ ଏବଂ ମେଡିସିନ, ମ୍ୟାନେଜମେଣ୍ଟ, ଚାଟାର୍ଡ ଆକାଉଣ୍ଟାସି ଭଳି ଅନେକ ଟେକ୍ନୋକ୍ରାଟିକ କ୍ଷେତ୍ର ସହ ଜଡିତ । ଅର୍ଥାତ୍ ଯୁବବର୍ଗର ଏହି ଗୋଷ୍ଠୀ ପ୍ରତିଷ୍ଠିତ ଶୈକ୍ଷଣିକ ସଂସ୍ଥାନରେ ଅଧ୍ୟୟନ କରିଛନ୍ତି । ଯାହା ମାଧ୍ୟମରେ ସେମାନେ ଘରୋଇ କ୍ଷେତ୍ରରେ ଆକର୍ଷକ ଓ ଉଚ୍ଚ ଆୟ ସମ୍ପନ୍ନ ଚାକିରି କିମ୍ବା ବିଦେଶରେ ନିଯୁକ୍ତି ପାଇପାରିବେ । ତଥାପି ସେମାନେ ଏହି ପ୍ରଲୋଭନକୁ ଛାଡି ଏହାଠୁ କମ୍ ବେତନ ଭିତ୍ତିକ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖୁଛନ୍ତି ।
ଦେଶର ଏହି ସବୁଠୁ କଠିନ ପରୀକ୍ଷା ପାସ୍ କରିବା ପାଇଁ ଯେଉଁ କଡା ପରିଶ୍ରମ କରିବାକୁ ପଡିଥାଏ, ତାହା ଆଶ୍ଚର୍ଯ୍ୟ କଲାଭଳି । ତେଣୁ ୟୁପିଏସସି ପାଇଁ ବିସ୍ତାର ଜ୍ଞାନ ଆହରଣ କରିବାକୁ ବର୍ଷ ବର୍ଷ ଲାଗିବା ସ୍ବାଭାବିକ । ୟୁପିଏସସି ଯାତ୍ରାକୁ ଆଗକୁ ବଢାଇବା ଲାଗି କଠିନ ପରିଶ୍ରମ, ମାନସିକ ସନ୍ତୁଳନ ଓ ଧୈର୍ଯ୍ୟ ଆବଶ୍ୟକ, ଯାହା ସବୁବେଳେ ଉଭୟ ସଫଳତା ଏବଂ ଅସଫଳତା ଭରା ରହିଥାଏ ।
ସମ୍ପୃକ୍ତ ଅଧିକାରୀଙ୍କ ଟିପ୍ପଣୀ ଅନୁସାରେ, ଘରୋଇ କ୍ଷେତ୍ର ସଫଳତାର ଏକ ନିଶ୍ଚିତ ମାର୍ଗ ପ୍ରଦାନ କରିଥାଏ । ହେଲେ ତଥ୍ୟ ଏବଂ ଘଟଣାବଳୀ ଏହାର ବିପରୀତ ପରାମର୍ଶ ଦେଇଥାଏ । ହାୱର୍ଡ ବିଜନେସ ରିଭ୍ୟୁ ଅନୁସାରେ, ପାଖାପାଖି ୯୦ ପ୍ରତିଶତ ଷ୍ଟାର୍ଟଅପ ଗୋଟିଏ ପ୍ରୟାସରେ ଏକ ଲାଭଦାୟକ ଉଦ୍ୟୋଗ ହେବାରେ ବିଫଳ ହୋଇଥାନ୍ତି । ଯାହାକି ଆଦୌ ମାନବ ପ୍ରୟାସର ବର୍ବାଦି ନୁହେଁ । ଏହା ଉନ୍ନତ କାଲି ପାଇଁ ପ୍ରୟାସ କରିବାର ଏକ ମାନବୀୟ ସରଳତାକୁ ଦର୍ଶାଇଥାଏ ।
ଏଠି ଥୋମାସ ଅଲଭା ଏଡିସନଙ୍କ ଲୋକପ୍ରିୟ ଉକ୍ତି ମନେପଡେ, ଯେଉଁଥିରେ ସେ କହିଥିଲେ, ମୁଁ ୧୦ ହଜାର ଥର ଅସଫଳ ହୋଇନାହିଁ, ବରଂ ମୁଁ ସଫଳତାପୂର୍ବକ ୧୦ ହଜାର ଏମିତି ଉପାୟ ଖୋଜିଛି ଯାହା କାମ କରିବ ନାହିଁ । ଭାରତର ମହାକାଶ ଅଭିଯାନ ଚନ୍ଦ୍ରଯାନ-୩ ଏହି କଥାର ପ୍ରମାଣ ଅଟେ । ତେଣୁକରି କୌଣସି କାର୍ଯ୍ୟ ପାଇଁ ବାରମ୍ବାର ପ୍ରୟାସ କରିବାକୁ ବ୍ୟର୍ଥ ଭାବିବା ବା ଏହାକୁ ଆକାଂକ୍ଷାର ଅଭାବ କହିବା ଅନୁଚିତ୍ ।
ଏହି ସେବାଗୁଡିକୁ ପାଇଁ ଇଚ୍ଛୁକ ବ୍ୟକ୍ତି ଏକ ବଡ ସାମାଜିକ ଉଦ୍ଦେଶ୍ୟ ପାଇଁ କାମ କରିବାକୁ ଉତ୍ସାହୀ ଓ ପ୍ରତିବଦ୍ଧ ରହିଥାନ୍ତି । ତାଙ୍କର ମନ ଓ ମସ୍ତିଷ୍କରେ ନିସ୍ବାର୍ଥପର ଭାବନା ରହିଥାଏ । ସେହିପରି ସରକାରୀ ସେବାର ଅର୍ଥ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ହୋଇପାରେ । ଅନ୍ୟମାନଙ୍କ ପାଇଁ ଜଣେ କୂଟନୀତିଜ୍ଞ ଭାବେ ବିଦେଶରେ ଦେଶର ପ୍ରତିନିଧିତ୍ବ କରିବା ଉଚ୍ଚ ପ୍ରତିଷ୍ଠା ଓ ସୁଯୋଗର ବିଷୟ ହୋଇପାରେ । ଆଉ କିଛି ଲୋକଙ୍କ ପାଇଁ ଜଣେ ପୋଲିସ କର୍ମୀ ଭାବେ ଖାକି ବର୍ଦ୍ଦି ପିନ୍ଧି ଆଇନ ଓ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ରାଷ୍ଟ୍ରୀୟ ସୁରକ୍ଷା ସୁଦୃଢ କରିବା ଏକ ଜୁନୁନ ହୋଇପାରେ । ଅଧିକାରୀଙ୍କ ସେଭଳି ଅପମାନଜନକ ଟିପ୍ପଣୀ ଏହିଭଳି ଆଶାୟୀଙ୍କ ମଧ୍ୟରେ ନିହିତ 'ପବ୍ଲିକ ସର୍ଭିସ' (ଜନସେବାର)ର ଉତ୍ସାହକୁ ଆଘାତ ଦେଇଥାଏ । ଏହା ନା କେବଳ ଉଚ୍ଚଭିଳାଷୀ ଯୁବବର୍ଗକୁ ନିରାଶ କରେ, ବରଂ ଦେଶର ବିକାଶ ପଥକୁ ଆକାର ଦେବାରେ ପ୍ରଶାସନିକ ଅଧିକାରୀଙ୍କ ଅବଦାନକୁ ବି ଅଗ୍ରାହ୍ୟ କରେ ।
ନୀତି ଆୟୋଗର ପୂର୍ବତନ ସିଇଓ ଏବଂ ବର୍ତ୍ତମାନର ଜି୨୦ ସର୍ପା ଅମିତାଭ କାନ୍ତ, ଯିଏକି ଜଣେ ବ୍ୟୁରୋକ୍ରାଟ ସେ PMEAC ଅଧିକାରୀଙ୍କ ଟିପ୍ପଣୀକୁ ନେଇ କହିଛନ୍ତି, ସରକାର ଆପଣଙ୍କୁ ଏମିତି ସୁଯୋଗ ଦେଇଥାନ୍ତି ଯାହାକି ଆପଣ କେବେ ବି ଘରୋଇ କ୍ଷେତ୍ରରେ ପାଇପାରିବେ ନାହିଁ । ଯଦିଓ ଅମିତାଭ କାନ୍ତ ରାଷ୍ଟ୍ର ନିର୍ମାଣରେ ଘରୋଇ କ୍ଷେତ୍ରର ଭୂମିକାକୁ ସ୍ବୀକାର କରିଛନ୍ତି ଏବଂ ଏହାର ବିକାଶ ନିମନ୍ତେ ସରକାରୀ ସହାୟତା ପ୍ରଦାନ ସମ୍ପର୍କରେ କହିଛନ୍ତି । ଏଥିରୁ ଏହା ଜଣାପଡେ ଯେ, ଭାରତର ବିକାଶରେ ଉଭୟ ସେବା ସମାନ ଗୁରୁତ୍ବ ରଖନ୍ତି ।
ତେଣୁ, ଆଗାମୀ ଦିନରେ ଏକ ବିକଶିତ ଭାରତକୁ ଆକାର ଦେବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଉପହାସ କରିବା ବଦଳରେ ୟୁପିଏସସି ଆଶାୟୀଙ୍କ ଦୃଢତା, ସମର୍ପଣ, ପ୍ରଚେଷ୍ଠାକୁ ସମ୍ମାନ ଦେବା ଦରକାର । ପରିଶେଷରେ ଏଠି କଥୋପନିଷଦର ଏକ ଶ୍ଲୋକ ଉଲ୍ଲେଖ କରାଯାଇପାରେ, ଯାହାକୁ ଅନେକ ସମୟରେ ସ୍ବାମୀ ବିବେକାନନ୍ଦ ପୁନରାବୃତ୍ତି କରୁଥିଲେ, ''ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଅଟକି ଯାଅନାହିଁ ।