ଅରୁଣିମ ଭୁୟାନ
ଇଟିଭି ଭରତ
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ସୋମ ଜିଲ୍ଲାର ସୀମାନ୍ତ ଗ୍ରାମ ଲଙ୍ଗୱାରେ ଜଣେ ବ୍ୟକ୍ତିଙ୍କ ଘରର ଅବସ୍ଥିତି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ଖବର ଭାବେ ସ୍ଥାନ ପାଇଛି । ଘରର ଅଧା ଅଂଶ ଭାରତରେ ଓ ବାକି ଅଧା ପଡୋଶୀ ମିଆଁମାରରେ ରହିଛି । ରୋଷେଇ ଘର ମିଆଁମାରରେ ଥିବାବେଳେ ଶୋଇବା ଘର ବା ବେଡରୁମଟି ଭାରତରେ ଅଛି । ବ୍ୟଙ୍ଗାତ୍ମକ ଭାଷାରେ କହିବାକୁ ଗଲେ, ପରିବାର ସଦସ୍ୟ ମିଆଁମାରରେ ଖାଦ୍ୟ ଖାଇବା ସହ ଭାରତରେ ବିଶ୍ରାମ କରନ୍ତି । ଏକଥା ଶୁଣାଣିବାକୁ ସ୍ବାଭାବିକ ଲାଗୁନଥିଲେ ସୁଦ୍ଧା ଦୁଇ ଦେଶର ଅନ୍ତର୍ଜାତୀୟ ସୀମାରେ ଥିବା ସୀମାନ୍ତ ଗ୍ରାମରେ ଏପରି କିଛି ଚିତ୍ର ଓ ସ୍ଥିତି ରହିଥିବା ଜଣାପଡେ । ଏହା କେବଳ ଗୋଟିଏ ଘର କିମ୍ବା ଗ୍ରାମର କଥା ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ଥିବା ଅସ୍ପଷ୍ଟତାର ଏହା ଏକ ବଳିଷ୍ଠ ପ୍ରମାଣ ସଦୃଶ ।
ଭାରତ ଏବଂ ମିଆଁମାର ମଧ୍ୟରେ ମୋଟ 1,643 କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି । ବିଶେଷ ଭାବେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ, ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ସହ ମିଆଁମାର ତାର ସୀମା ସେୟାର କରିଛି । ସୀମାର ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମଧ୍ୟରେ ଥିବା ଆବଶ୍ୟକତା ଓ ପାରସ୍ପାରିକ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ମିଆଁମାର ସରକାରଙ୍କ ଦ୍ବାରା ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ସୀମାନ୍ତ ଏରିଆରେ ଲୋକଙ୍କୁ ନିର୍ବିଘ୍ନରେ ପ୍ରବେଶ ଓ ଚଳପ୍ରଚଳ ପାଇଁ ଏହି ନିୟମ ଅନୌପଚାରିକ ଭାବେ ସ୍ବାଧୀନତା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯାଇଥିଲା । ତେବେ, ଏହି ବ୍ୟବସ୍ଥା 2018 ରେ ଆନୁଷ୍ଠାନିକ ଆକାର ପାଇଥିଲା । ଉଭୟ ଭାରତ ଏବଂ ମିଆଁମାର ମୁକ୍ତ ଗତିବିଧି ନିୟମ (FMR) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ନିୟମ ଭାରତର ଅଖଣ୍ଡତା, ସ୍ଥିରତା ଓ ଜାତୀୟ ସୁରକ୍ଷା ପ୍ରତି ବଡ ଆହ୍ବାନ ସୃଷ୍ଟି କରିଥିଲା । ମିଆଁମାରରେ ଚାଲିଥିବା ସଶସ୍ତ୍ର ଆନ୍ଦୋଳନ, ଆତଙ୍କବାଦ, ଅନୁପ୍ରବେଶ ଓ ସାମରିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ମୁକ୍ତ ଗତିବିଧି ନିୟମ ବା ‘ଏଫଏମଆର’ ରଦ୍ଦ ରଖିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲା ।
କଣ ଏହି FMR ?
ସ୍ବାଧୀନତା ପାଇବା ପୂର୍ବରୁ ଦୁଇ ଦେଶ ଭାରତ ଓ ମିଆଁମାର ବ୍ରିଟିଶ ସାମ୍ରାଜ୍ୟବାଦର ଭିନ୍ନ ଭିନ୍ନ ଅଂଶ ଥିଲେ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଦୁଇ ଦେଶ ମଧ୍ୟରେ ଏହି ବ୍ୟବସ୍ଥା ଅନୌପଚାରିକ ଭାବେ କାର୍ଯ୍ୟକାରୀ ହୋଇଥିଲା । 1947ରେ ଭାରତ ଏବଂ 1948 ମିଆଁମାର ସ୍ବାଧୀନତା ପାଇଲେ । ଏହା ପରେ ଦୁଇ ଦେଶ 1967ରେ ସଂଶୋଧିତ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହି ବ୍ୟବସ୍ଥା ଜାରି ରଖିଥିଲେ । ହେଲେ ଏହି ବ୍ୟବସ୍ଥାକୁ 2018 ରେ ଉଭୟ ଦେଶ ଏକ ଔପଚାରିକ ଆକାର ଦେଇଥିଲେ । 2018 ରେ FMR ନିୟମ କାର୍ଯ୍ୟକାରୀ କରି ନୂଆଦିଲ୍ଲୀର ଆକ୍ଟ ଇଷ୍ଟ ପଲିସିର ଏକ ଅଂଶ ଭାବରେ ବିନା ଭିସାରେ ଦୁଇ ଦେଶର ଅନ୍ତର୍ଜାତୀୟ ସୀମା ମଧ୍ୟରେ ସର୍ବାଧିକ 16 କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ ଅନୁମତି ନିଶ୍ଚିତ କରାଯାଇଥିଲା । 16 କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରୁଥିବା ବ୍ୟକ୍ତିମାନେ ଏକ ବୌଧ ପାସପୋର୍ଟ ଏବଂ ଅନ୍ୟାନ୍ୟ ଇମିଗ୍ରେସନ କାଗଜପତ୍ର ଆବଶ୍ୟକ କରୁଥିଲେ । FMR ନିୟମ ଉଭୟ ଦେଶର ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସହଜ ଗତିବିଧି, ପାରସ୍ପରିକ କାର୍ଯ୍ୟକୁ ସହଜ କରିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦେବା ଉଦ୍ଦେଶ୍ୟରେ ଥିଲା । ଯାହା ଉଭୟ ଦେଶର ସୀମାବର୍ତ୍ତୀ ବାସିନ୍ଦାଙ୍କୁ ସୁବିଧା ଯୋଗାଉଥଲା ।
ତେବେ ଏହି ନିୟମ ଅନୁସାରେ, ଭାରତୀୟ ନାଗରିକମାନେ ମିଆଁମାର ଭିତରେ ପ୍ରବେଶ କରି 16 କିଲୋମିଟର ମଧ୍ୟରେ 72 ଘଣ୍ଟା ଅର୍ଥାତ 3 ଦିନ ପର୍ଯ୍ୟନ୍ତ ରହିପାରିବାର ବ୍ୟବସ୍ଥା ଥିଲା । ସେହିପରି ମିଆଁମାର ନାଗରିକଙ୍କ ପାଇଁ ଭାରତର 16 କିଲୋମିଟର ଜୋନ ଭିତରେ 14 ଦିନ ଯାଏ ରହି ପାରିବାକୁ ବୈଧ ଦର୍ଶାଯାଇଥିଲା । ମିଜୋରାମ ଏବଂ ନାଗାଲାଣ୍ଡର ଲୋକମାନେ ବିଶେଷ ଭାବରେ ଏହି FMR ବ୍ୟବସ୍ଥା ଦ୍ୱାରା ଉପକୃତ ହୋଇଥିଲେ । ମିଆଁମାରର ଚିନୀ ଅଧିବାବାସୀ ଏବଂ ଭାରତ ଓ ବାଂଲାଦେଶରେ ଦେଖାଯାଉଥିବା କୁକି ସମ୍ପ୍ରଦାୟ ହେଉଛନ୍ତି ମିଜୋସର ସମ୍ପର୍କିତ ଜନଜାତି । ଯେଉଁମାନେ ମିଆଁମାର ମୂଳ ବାସିନ୍ଦା ।
ଗତ ମାସରେ ସାମ୍ପ୍ରତିକ ସ୍ଥିତକୁ ଦୃଷ୍ଟିରେ ରଖି ଭାରତ ସରକାର FMR ନୀତିରେ ସ୍ଥଗିତାଦେଶ ଘୋଷଣା କରିଥିଲେ । ଏହା ସହ ଭାରତ-ମିଆଁମାର ଅନ୍ତର୍ଜାତୀୟ ସୀମାରେ ଏକ ନିୟନ୍ତ୍ରଣ ରେଖା ବା ପାଚେରୀ ନିର୍ମାଣ କରିବାକୁ ନିଷ୍ପତ୍ତି ହେଲା । ସେତେବେଳେ ଉଭୟ ମିଜୋରାମ ଓ ନାଗାଲାଣ୍ଡରର ସୀମାନ୍ତ ବାସିନ୍ଦା ଓ ଉଭୟ ରାଜ୍ୟର ସରକାର ଏହାକୁ ତୀବ୍ର ବିରୋଧ କରିଥିଲେ । ଅନ୍ୟପକ୍ଷରେ ମଣିପୁରର ମୈତେଇ ସମ୍ପ୍ରଦାୟ ଅଧିବାସୀ ଓ ରାଜ୍ୟ ସରକାର, ଅରୁଣାଚଳ ପ୍ରଦେଶର ରାଜ୍ୟ ସରକାର ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଉଚିତ ବୋଲି ଦର୍ଶାଇଥିଲେ । ତେବେ ତଥାପି କେନ୍ଦ୍ର ସରକାରଙ୍କ ଏହି ନିୟମକୁ ନେଇ ବିବାଦ ଓ ବିତର୍କ ଲାଗି ରହିଛି । ଏହାକୁ କାର୍ଯ୍ୟକାରୀ କରିବା ଦିଗରେ କିଛି ଉତ୍ତର ପୂର୍ବ ରାଜ୍ୟମାନେ ବାଧା ସୃଷ୍ଟି କରୁଛନ୍ତି । ଏହା ସୀମାନ୍ତ ଗ୍ରାମର ବାସିନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ବୋଲି ସେମାନେ ତର୍କ ମଧ୍ୟ ବାଢନ୍ତି ।
କାହିଁକି FMR କୁ ସ୍ଥଗିତ ଘୋଷଣା କଲା ଭାରତ !
ଫେବୃଆରୀ 8 ତାରିଖରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ FMR କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିବା ଗୃହ ମନ୍ତ୍ରଣାଳୟ ଘୋଷଣା କରିଥିଲା । ତେବେ ମିଆଁମାରରେ ଏବେ ସାମରିକ ଅସ୍ଥିରତା ଲାଗି ରହିଛି । ଉଗ୍ରବାଦ କାର୍ଯ୍ୟକଳାପ ଓ ଅନୁପ୍ରବେଶ ଉତ୍ତର ପୂର୍ବ ଭାରତ ପ୍ରତି ଆହ୍ବାନ ସୃଷ୍ଟି କରଛି । ଯାହାର ସର୍ବାଧିକ ନକରାତ୍ମକ ପ୍ରଭାବ ମଣିପୁରରେ ଦେଖିବାକୁ ମିଳିଛି । ନିଶା କାରବାର ମାମଲା ମଧ୍ୟ ବଢିବାରେ ଲାଗିଛି । ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ଅନୁପ୍ରବେଶକାରୀ ବୋଲି ଜଣାପଡିଥିଲା । ସେହିପରି ମାନବ ଚାଳାଣ, ସୀମାପାର ନିଶା କାରବାର, ମାରଣାସ୍ତ୍ର କାରବାର, ଆତଙ୍କୀ ଗତିବିଧି ଆଦି ପ୍ରସଙ୍ଗକୁ ନେଇ ଉତ୍ତରପୂର୍ବର ସୀମା ଏବେ ପୂର୍ବାପେକ୍ଷା ଅଧିକ ବିପଦପୂର୍ଣ୍ଣ ହୋଇପଡିଛି । ଗତବର୍ଷ ମଣିପୁରରେ ଦେଖାଯାଇଥିବା ଭୟଙ୍କର ହିଂସାରେ ମଧ୍ୟ ମିଆଁମାରର ଆତଙ୍କୀ ସଂଗଠନର ଭୂମିକା ସାମ୍ନାକୁ ଆସିଥିଲା । ତେଣୁ ଏହି ତମାମ ସ୍ଥିତିରେ ଭାରତ ପକ୍ଷରୁ ଏହି ପୂର୍ବ ପ୍ରଚଳିତ ନିୟମକୁ ରଦ୍ଦ କରାଯାଇଛି । ମାତ୍ର ଏହା ଦ୍ବାରା ଉଭୟ ଦେଶର ସୀମାରେ ରହୁଥିବା ଲୋକେ ବହୁମାତ୍ରାରେ ପ୍ରଭାବିତ ମଧ୍ୟ ହୋଇଛନ୍ତି । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଏହି ରଦ୍ଦ ନିୟମକୁ ଭୁଲ ବୋଲି ଅସ୍ବୀକାର ମଧ୍ୟ କରାଯାଇପାରିବନି ।
ସମ୍ପାଦକୀୟ...