ହାଇଦ୍ରାବାଦ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ ଆସନ୍ତା ୫ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ୯ଟି ପ୍ରାଥମିକତାକୁ ରେଖାଙ୍କିତ କରାଯାଇଥିଲା । ଏହା ମଧ୍ୟରେ କୃଷି, ନିଯୁକ୍ତି ଓ ଦକ୍ଷତା, ମାନବ ସମ୍ବଳ ଓ ସାମାଜିକ ନ୍ୟାୟ, ଉତ୍ପାଦନ ଓ ସେବା, ସହରାଞ୍ଚଳ ବିକାଶ, ଶକ୍ତି ନିରାପତ୍ତା, ଭିତ୍ତିଭୂମି, ଇନୋଭେସନ, ରିଫର୍ମ, ଅନୁସନ୍ଧାନ ଓ ବିକାଶ ପ୍ରଭୃତି ଅନ୍ତର୍ଭୁକ୍ତ ।
ଜୁଲାଇ ୨୨ରେ ସଂସଦର ଉଭୟ ଗୃହରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ୨୦୨୨ ଆର୍ଥିକ ବର୍ଷରେ ମ୍ୟାନୁଫ୍ୟାକ୍ଚରିଂ ଆଉଟପୁଟରେ ଏମଏସଏମଏଇ କ୍ଷେତ୍ରର ଯୋଗଦାନ ୩୫.୪ ପ୍ରତିଶତ ଥିଲା ଏବଂ ୨୦୨୪ରେ ରପ୍ତାନୀ କ୍ଷେତ୍ରରେ ଏମଏସଏମଇ ନିର୍ମିତ ଉତ୍ପାଦର ସେୟାର ୪୫.୭ ପ୍ରତିଶତ ରହିଥିଲା । ଅର୍ଥବ୍ୟବସ୍ଥାରେ ଏମଏସଏମଇ କ୍ଷେତ୍ରର ଗୁରୁତ୍ବକୁ ବୁଝି ସରକାର ଏହାକୁ ଅଧିକ ପ୍ରୋତ୍ସାହନ ଦେବାକୁ ବଜେଟରେ ଫୋକସ୍ କରିଛନ୍ତି । କାରଣ ଏମଏସଏମଇ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଅଟେ । ଭାରତୀୟ ଅର୍ଥନୀତି, ନିଯୁକ୍ତ, ରପ୍ତାନୀ ଏବଂ ସାମଗ୍ରିକ ଅଭିବୃଦ୍ଧିରେ ଏମଏସଏମଇ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରହିଛି ।
ନିର୍ମଳା ସୀତାରମଣ କ୍ରେଡିଟ ଗ୍ୟାରେଣ୍ଟି ଯୋଜନାଠାରୁ ନେଇ ଏମଏସଏମଇ ପାଇଁ ଅନେକଗୁଡିକ ଘୋଷଣା କରିଥିଲେ, ଯେଉଁଥିରେ କୌଣସି ବନ୍ଧକ ଓ ତୃତୀୟ ପକ୍ଷ ବିନା ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଉପକରଣ କିଣିବା ପାଇଁ ଲୋନ ସୁବିଧା ସାମିଲ୍ ଅଟେ । ସାଧାରଣତଃ ବ୍ୟାଙ୍କିଙ୍ଗ ରେକର୍ଡ ଏବଂ ଭଲ ଟର୍ନଓଭର ନ ଦେଖାଇ ପାରିବା ଯୋଗୁଁ ଏମଏସଏମଇଗୁଡିକ ଲୋନ ପାଇବାରେ ସମସ୍ୟା ଭୋଗନ୍ତି । ଅନେକ କ୍ଷେତ୍ରରେ ବ୍ୟାଙ୍କରୁ ଲୋନ ମିଳିବା ସମ୍ଭବପର ହୋଇନଥାଏ ।
ମହାମାରୀ ପରେ ଏମଏସଏମଇ ସେକ୍ଟର ଧୀରେ ଧୀରେ ଟ୍ରାକକୁ ଫେରୁଛି । ଅଧିକାଂଶ ଉଦ୍ୟୋଗୀମାନେ ନିଜସ୍ବ ଉଦ୍ୟମରେ କମ୍ପାନି ପ୍ରତିଷ୍ଠା କରି ରୋଜଗାର ଦେଉଛନ୍ତି । କିନ୍ତୁ ନିଜର ବ୍ୟବସାୟ ବଢାଇବାକୁ ସେମାନେ ଅଧିକ ଯନ୍ତ୍ରପାତି/ଉପକରଣ କିଣିବା ପାଇଁ ଲୋନ୍ ଚାହିଁଲେ, ବ୍ୟାଙ୍କ ସେମାନଙ୍କ ଟ୍ରାକ ରେକର୍ଡ ଦେଖି ମନା କରିଦେଉଛି ନଚେତ୍ ବନ୍ଧକ ରଖି ଲୋନ ଦେଉଛି । ମାତ୍ର ଏବେ ସରକାରଙ୍କ କ୍ରେଡିଟ ଗ୍ୟାରେଣ୍ଟ ସ୍କିମ ଏମଏସଏମଇ ଉଦ୍ୟୋଗୀଙ୍କୁ ଏହି ଲୋନ ଝିନଝଟ୍ରୁ ଆଶ୍ବସ୍ତି ଦେବ । ଏଥିସହ ପୃଥକ ଭାବେ ଗଠିତ ସେଲ୍ଫ ଫାଇନାନସିଂ ଗ୍ୟାରେଣ୍ଟ ଫଣ୍ଡ ଆପ୍ଲାକାଣ୍ଟଙ୍କୁ ୧୦୦ କୋଟି ଟଙ୍କା ଯାଏଁ ଗ୍ୟାରେଣ୍ଟି କଭର ପ୍ରଦାନ କରିବ, ଯେତେବେଳେ କି ଲୋନ ରାଶି ଏହାଠୁ ଅଧିକ ମଧ୍ୟ ହୋଇପାରେ ।
ମାର୍ଚ୍ଚ ୨୦୨୪ ସୁଦ୍ଧା ମୁଦ୍ରା ଲୋନ ବିତରଣ ୫.୨୦ ଲକ୍ଷ କୋଟିରେ ପହଞ୍ଚିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୪.୪୦ ଲକ୍ଷ କୋଟି ଥିଲା । ୮ ମିଲିୟନରୁ ଅଧିକ ମୁଦ୍ରା ଲୋନ ହିତାଧିକାରୀଙ୍କ ମଧ୍ୟରୁ ୬୫ ପ୍ରତିଶତ ହେଉଛନ୍ତି ମହିଳା, ଏହି ସଂଖ୍ୟା ଉଦ୍ୟୋଗ ଜଗତରେ ତାଙ୍କର ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି । ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ ନେଇ ପରିଶୋଧ କରିଛନ୍ତି, ସେମାନଙ୍କ ପାଇଁ ମୁଦ୍ରା ଲୋନ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି ।
ଗତ ୩ ବର୍ଷରେ ୨୦୨୩-୨୪ ମଧ୍ୟରେ ଉଦୟମ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜିକୃତ ମହିଳା ନେତୃତ୍ବାଧୀନ ଏମଏସଏମଇ ସଂଖ୍ୟା ଆନ୍ଧ୍ରପ୍ରଦେଶରେ 2,28,299 ଏବଂ ତେଲେଙ୍ଗାନାରେ 2,32,620 ରହିଛି । TREADS (Trade Related Entrepreneurship Development Assistance Scheme) ଋଣଦାତା ସଂସ୍ଥା ଦ୍ବାରା ଆକଳନ କରାଯାଇଥିବା ମୋଟ ପ୍ରକଳ୍ପ ମୂଲ୍ୟର ୩୦ ପ୍ରତିଶତ ଯାଏଁ ସରକାର ଅନୁଦାନ ପ୍ରଦାନ କରୁଛି ।
କେନ୍ଦ୍ର ବଜେଟରେ ଗୁଣବତ୍ତା ଏବଂ ନିରାପତ୍ତା ଟେଷ୍ଟିଂ ପାଇଁ ଏମଏସଏମଇ ସେକ୍ଟରରେ ୫୦ଟି ଇରାଡିଏସନ ୟୁନିଟ ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାବ୍ୟତୀତ 100 NAB ସ୍ବୀକୃତିପ୍ରାପ୍ତ ଖାଦ୍ୟ ଗୁଣବତ୍ତା ଏବଂ ସୁରକ୍ଷା ଟେଷ୍ଟିଂ ପାଇଁ ଲ୍ୟାବ୍ ପ୍ରତିଷ୍ଠା କରାଯିବାକୁ ଘୋଷଣା ହୋଇଛି ।
ଗତବର୍ଷ ବୈଦେଶିକ ବାଣିଜ୍ୟ ନୀତି ୨୦୨୩ରେ ଇ-କମର୍ସ ରପ୍ତାନୀ ଉପରେ ଗୁରୁତ୍ବ ଦିଆଯାଇଥିଲା, ଯେଉଁଥିରେ ୨୦୩୦ ସୁଦ୍ଧା ୨୦୦ରୁ ୩୦୦ ବିଲିୟନ ଡଲାର ମୂଲ୍ୟର ବାଣିଜ୍ୟ କାରବାର ଆକଳନ କରାଯାଇଥିଲା । ଏଥିରେ ଇ-କମର୍ସ ଏକ୍ସପୋର୍ଟ ହବ୍ ଏବଂ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ ଦ୍ବାରା ଏମଏସଏମଇ ଓ ପାରମ୍ପରିକ କାରିଗରଙ୍କୁ ନିଜର ଉତ୍ପାଦ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ପାଇଁ ସୁଯୋଗ ପ୍ରଦାନ କରିବ ।
୨୦୨୪ ବଜେଟରେ କୃଷିକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି । ତେବେ ଅଧିକାଂଶ କୃଷକ ସରକାରୀଙ୍କ ସବୁ ଯୋଜନା ସମ୍ପର୍କରେ ଅବଗତ ନୁହନ୍ତି । ସେଥିପାଇଁ ମିଡିଲ ମ୍ୟାନ ଏହି ଯୋଜନାର ସବୁଠୁ ଅଧିକ ଲାଭ ଉଠାନ୍ତି । ତେଣୁ ସ୍ଥାନୀୟ ଓ ଗ୍ରାମାଞ୍ଚଳର ଯୁବବର୍ଗ ସରକାରଙ୍କ କଲ୍ୟାଣକାରୀ ଯୋଜନା କୃଷକଙ୍କ ନିକଟରେ ପହଞ୍ଚିବାର ଦାୟିତ୍ବ ନେଲେ କୃଷକଙ୍କୁ ଅଧିକ ଫାଇଦା ମିଳିପାରିବ । ଉତ୍ପାଦନ, ବଜାର ସମ୍ପର୍କ, ଏକୀକରଣ ଏବଂ ଲୋନ ସେବା ଇତ୍ୟାଦି ମାଧ୍ୟମରେ କୃଷି ଉଦ୍ୟମିତା ମଧ୍ୟ ଆଂଶିକ ରୂପେ ଚକ୍ରୀୟ ଅର୍ଥବ୍ୟବସ୍ଥା ସହ ଯୋଡି ହୋଇଥାଏ ।
Disclaimer- ପ୍ରକାଶିତ ଆଲେଖ୍ୟଟି ଲେଖକଙ୍କ ନିଜସ୍ବ ମତ । ଇଟିଭି ଭାରତର ଏହି ଆଲେଖ୍ୟ ସହିତ କୌଣସି ନିଜସ୍ବ ମତାମତ କିମ୍ବା ଆଭିମୁଖ୍ୟ ରଖୁନାହିଁ