ହାଇଦ୍ରାବାଦ: ଜୁଲାଇ 23ରେ ଆସିବ କେନ୍ଦ୍ର ବଜେଟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ଏହି ପ୍ରଥମ ବଜେଟରୁ ଷ୍ଟାର୍ଟଅପ୍ଗୁଡିକୁ ଅନେକ କିଛି ଆଶା ରହିଛି । କାରଣ ନରେନ୍ଦ୍ର ମୋଦି ନିଜ ପ୍ରଥମ ପାଳି କାର୍ଯ୍ୟକାଳରେ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଷ୍ଟାଣ୍ଡଅପ୍ ଇଣ୍ଡିଆ ଭଳି ଯୋଜନାର ଆରମ୍ଭ କରିଥିଲେ । ବିଗତ ବର୍ଷଗୁଡିକରେ ଏନଡିଏ ସରକାରରେ ଷ୍ଟାର୍ଟଅପ୍ଙ୍କ ପାଇଁ ଅନେକ ଘୋଷଣା ମଧ୍ୟ ହୋଇଛି । ଏହାସତ୍ତ୍ୱେ ଆଞ୍ଜେଲ ଟ୍ୟାକ୍ସ ଭଳି କିଛି ସମସ୍ୟାକୁ ନେଇ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନେ ଚିନ୍ତିତ ରହିଛନ୍ତି । ଏଥିପାଇଁ ଷ୍ଟାର୍ଟଅଫ୍ ଅଧିନିୟମର ଧାରା 56(2) (viib) ଅଧିନରେ ଲାଗୁ ହୋଇଥିବା ଏହି ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ନଚେତ୍ ବଦଳାଇବାକୁ ଦାବି କରାଯାଉଛି ।
ଏହି ଟ୍ୟାକ୍ସକୁ ନେଇ ବିବାଦ ଲାଗି ରହିଛି । ଆଞ୍ଜେଲ ଟ୍ୟାକ୍ସ ଏତେ ବିବାଦୀୟ ଯେ, ଚଳିତ ବର୍ଷର ବଜେଟ ଉପସ୍ଥାପନ ପୂର୍ବରୁ ଅନେକଗୁଡିଏ ପ୍ରମୁଖ ଉଦ୍ୟୋଗୀ ଏବଂ ଅର୍ଥନୀତିଜ୍ଞ ଏହାକୁ ହଟାଇବାକୁ ମିଳିତ ଭାବେ ସ୍ୱର ଉତ୍ତୋଳନ କରୁଛନ୍ତି । ଏମିତିକି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିନସ୍ଥ 'ଦ ଡିପାର୍ଟମେଣ୍ଟ ଅଫ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରମୋସନ' (DPIIT) ଯିଏକି ସରକାରୀ ଯୋଜନା ଅଧିନରେ ଟିକସ ଲାଭ ପାଇବାକୁ ଷ୍ଟାର୍ଟଅପଗୁଡିକୁ ମାନ୍ୟତା ଦେଇଥାଏ, ସେ ମଧ୍ୟ ଆଗାମୀ ବଜେଟରେ ଷ୍ଟାର୍ଟଅପଗୁଡିକ ଉପରୁ ଆଞ୍ଜେଲ ଟ୍ୟାକ୍ସ ଉଠାଇବାକୁ ଅର୍ଥ ମନ୍ତ୍ରଣାଳୟକୁ ନିବେଦନ କରିଛି ।
ଅନ୍ୟପଟେ ଚଳିତ ବର୍ଷ ପ୍ରଥମ 6 ମାସରେ ଷ୍ଟାର୍ଟଅପଗୁଡିକ ପାଇଁ ଫଣ୍ଡିଂ ପାଖାପାଖି 4 ପ୍ରତିଶତ ହ୍ରାସ ପାଇ 5 ବିଲିୟନ ଡଲାରରୁ ସାମାନ୍ୟ ଅଧିକ ରହିଛି, ଯାହା ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ।
ଆଞ୍ଜେଲ ଟ୍ୟାକ୍ସ କ'ଣ ?
ଭାରତ ସରକାରଙ୍କ ଦ୍ୱାରା ଆୟକର ନିୟମର ଧାରା 56(2) (viib) ଅଧିନରେ 2012ରୁ ଦେଶରେ ଆଞ୍ଜେଲ ଟ୍ୟାକ୍ସ ଲାଗୁ କରାଯାଇଥିଲା । ଏହା ଏକପ୍ରକାର ଆୟକର ଅଟେ, ଯାହାକି ଆଞ୍ଜେଲ ନିବେଶକ ତଥା ପୁଞ୍ଜିପତିଙ୍କ ଠାରୁ ପୁଞ୍ଜି ସଂଗ୍ରହ କରୁଥିବା ଅଣତାଲିକାଭୁକ୍ତ ଷ୍ଟାର୍ଟଅପ ଉପରେ ଲାଗୁ ହୋଇଥାଏ । ଯଦି ନିବେଶ ମୂଲ୍ୟ ସେହି କମ୍ପାନୀ ସେୟାରର ଉଚିତ୍ ବଜାର ମୂଲ୍ୟଠାରୁ ଅଧିକ ଥାଏ ।
'ସରଳ ଭାଷାରେ କହିବାକୁ ଗଲେ, ଯେତେବେଳେ ଏକ ଅଣତାଲିକାଭୁକ୍ତ କମ୍ପାନୀ ଉଚିତ୍ ବଜାର ମୂଲ୍ୟଠାରୁ ଅଧିକ ମୂଲ୍ୟରେ ସେୟାର ଜାରି କରେ, ଏଥିରୁ ମିଳିଥିବା ଆୟ ଉପରେ ଆଞ୍ଜେଲ ଟ୍ୟାକ୍ସ ଲାଗିଥାଏ ।'
ଫଳସୂରୁପ, ଆୟକର ଅଧିକାରୀ (Assessing officer) ଦ୍ୱାରା ନିର୍ଦ୍ଧାରିତ ଉଚିତ ବଜାର ଦରଠୁ କୌଣସି ଷ୍ଟାର୍ଟଅପର ମୂଲ୍ୟ ଅଧିକ ଥିଲେ, ତାହାକୁ କମ୍ପାନିର ଆୟ ରୂପେ ଧରାଯାଇ ଏହା ଉପରେ 30 ପ୍ରତିଶତ ଦରରେ ଟ୍ୟାକ୍ସ ଲାଗୁ କରାଯାଇଥାଏ । ଉଦାହରଣସୂରୁପ, କିଛି ଫାଉଣ୍ଡର ମିଶି 1 ଲକ୍ଷ ଟଙ୍କାର ସେୟାର ପୁଞ୍ଜି ସହ ଗୋଟିଏ ନୂଆ ପ୍ରାଇଭେଟ ଲିମିଟେଡ କମ୍ପାନି ଆରମ୍ଭ କଲେ । କମ୍ପାନିର ପୁରା ସେୟାରକୁ ସେମାନେ 10 ଟଙ୍କାର ଫେସ୍ ଭ୍ୟାଲୁରେ ଜାରି, ସବସ୍କ୍ରାଇବ ଓ ପେଡ୍ କଲେ । ଏହାର ଅର୍ଥ 10 ଟଙ୍କାର ସେୟାର ଭ୍ୟାଲୁରେ କମ୍ପାନିର ମୋଟ 10 ହଜାର ସେୟାର ହେବ ।
ଏହାପରେ ସେହି ଷ୍ଟାର୍ଟଅପ ଏକ ନୂଆ ପ୍ରାଇଭେଟ ଲିମିଟେଡ କମ୍ପାନି ଭାବେ ନିଜର ନୂତନ ବିଜନେସ ଆଇଡିଆ, ଦୃଢ ଇଚ୍ଛାଶକ୍ତି, ବୈଷୟିକ ଜ୍ଞାନ ତଥା ଇନଟାଞ୍ଜିବୁଲ ଆସେଟ୍ ବଳରେ ଜଣେ ନିବେଶକକୁ ଆକର୍ଷିତ କରେ । ଆଉ ସେହି ନିବେଶକ 20 କୋଟି ଟଙ୍କା ମୂଲ୍ୟରେ କମ୍ପାନିର 10 ପ୍ରତିଶତ ଷ୍ଟକହୋଲ୍ଡର ହେବାକୁ ଚାହେଁ, ତାହେଲେ ମୋଟ ଷ୍ଟାର୍ଟଅପର ମୂଲ୍ୟ 200 କୋଟି ଟଙ୍କା ହୋଇଯିବ ।
ଅର୍ଥାତ୍ ନିବେଶକ କମ୍ପାନିର 10 ଟଙ୍କାର ସେୟାରକୁ 2000 ଟଙ୍କା ମୂଲ୍ୟ ଦେଉଛନ୍ତି, ଯାହାକି ପ୍ରତି ସେୟାରର ଫେସ୍ ଭ୍ୟାଲୁଠାରୁ 1900 ଟଙ୍କା ଅଧିକ । ଏପରି ସ୍ଥଳେ ଆୟକର ଅଧିକାରୀ ସେହି 1900 ଟଙ୍କାକୁ କମ୍ପାନିର ଆୟ ଭାବେ ଗ୍ରହଣ କରି ଏହା ଉପରେ 30 ପ୍ରତିଶତ ଟ୍ୟାକ୍ସ ଲଗାଇବେ ।
ଷ୍ଟାର୍ଟଅପଙ୍କ ପାଇଁ ଧାରା କୋହଳ କଲେ ସରକାର:
2019 ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଦଳଗୁଡିକ ଷ୍ଟାର୍ଟଅପ ଉପରେ ଲାଗୁଥିବା ଏହି ଆୟକର ବିରୋଧରେ ପ୍ରତିବାଦ କରିଥିଲେ । ଯାହାକି ସେତେବେଳେ ମିଡିଆର ଦୃଷ୍ଟି ଆକର୍ଷଣ କରିଥିଲା । ପରବର୍ତ୍ତୀ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଧାରା 56ର କିଛି ପ୍ରାବଧାନକୁ କୋହଳ କରିଦେଇଥିଲେ । ଏହାଦ୍ୱାରା 7 ହଜାରରୁ ଅଧିକ ଷ୍ଟାର୍ଟଅପକୁ ଫାଇଦା ମିଳିଥିଲା । କିନ୍ତୁ ଏଥିପାଇଁ ଷ୍ଟାର୍ଟଅପଗୁଡିକ ଆଗରେ କିଛି ସର୍ତ୍ତାବଳୀ ରଖାଯାଇଥିଲା । ଯେମିତିକି- ନିବେଶକଙ୍କ ଠାରୁ ହାସଲ କରୁଥିବା ପୁଞ୍ଜି, ଆୟ ନୁହେଁ ବରଂ ନିବେଶ ବୋଲି ସେମାନଙ୍କୁ ଆୟକର ଅଧିକାରୀଙ୍କ ନିକଟରେ ପ୍ରମାଣିତ କରିବାକୁ ପଡିବ । ନଚେତ୍ କମ୍ପାନିକୁ ଆଞ୍ଜେଲ ଟ୍ୟାକ୍ସ ଭରିବାକୁ ହେବ ।
ତେବେ ଷ୍ଟାର୍ଟଅପଗୁଡିକ ଉପରେ ଲାଗୁଥିବା ଆଞ୍ଜେଲ ଟ୍ୟାକ୍ସ ଉଚ୍ଛେଦ ହେଲେ ବ୍ୟାପକ ଅର୍ଥ ହେରଫେର ଓ ଦୁର୍ନୀତି ହେବା ଆଶଙ୍କା ଅଧିକ, ଯେହେତୁ ନୂଆ କମ୍ପାନିଗୁଡିକୁ ନିଜ ସେୟାରର ଉଚିତ୍ ବଜାର ମୂଲ୍ୟଠାରୁ ଉଚ୍ଚ ପ୍ରିମିୟମ ହାସଲ କରିବେ ।
ଆଞ୍ଜେଲ ଟ୍ୟାକ୍ସ ଉଚ୍ଛେଦ ପାଇଁ କାହିଁକି ଉଠୁଛି ଦାବି ?
ଆଞ୍ଜେଲ ନିବେଶକ ତଥା ପୁଞ୍ଜିପତିଙ୍କ ଠାରୁ ମିଳୁଥିବା ନିବେଶର 30 ପ୍ରତିଶତ ଆୟକର ପୈଠ କରିବା ଯେକୌଣସି ଷ୍ଟାର୍ଟଅପ ପାଇଁ ଏକ ଆର୍ଥିକ ଘାଟା । ଯଦିଓ ବିଗତ ବର୍ଷଗୁଡିକରୁ ସରକାର ଷ୍ଟାର୍ଟଅପଗୁଡିକର ସୁରକ୍ଷା ପାଇଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି, ହେଲେ ଏତିକିରେ ସବୁ ସମସ୍ୟାର ସମାଧାନ ହୋଇଯାଇନାହିଁ । ଆଞ୍ଜେଲ ଟ୍ୟାକ୍ସକୁ ନେଇ ଷ୍ଟାର୍ଟଅପଙ୍କ କହିବା କଥା, ଏହା ତାଙ୍କର ଆୟ ନୁହେଁ ବରଂ ପୁଞ୍ଜି ଉପରେ ଲାଗୁ ହେଉଛି । ଏହି କାରଣରୁ DPIIT ମଧ୍ୟ ଆଞ୍ଜେଲ ଟ୍ୟାକ୍ସ ପ୍ରତ୍ୟାହାର ପାଇଁ ସୁପାରିଶ କରିଛି ।