ପରୀକ୍ଷା ନାଁ ଶୁଣିବା ମାତ୍ରେ ଅଧିକାଂଶ ପିଲା ଚାପରେ ପଡିଯାଆନ୍ତି । ଯେମିତି ସମୟ ପାଖେଇ ଆସେ ପରୀକ୍ଷା ଚାପ ବଢି଼ ଚାଲେ । ଏବେ ରାଜ୍ୟରେ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହୋଇଛି । ବୋର୍ଡ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ଲାଗି ଏକ ଆହ୍ବାନପୂର୍ଣ୍ଣ ସମୟ ହୋଇଥାଏ । ସମସ୍ତେ ଭଲ ମାର୍କ ରଖିବାକୁ ଚାହାଁନ୍ତି ଏବଂ ଏଥିପାଇଁ ରାତିଦିନ କଠିନ ପରିଶ୍ରମ କରନ୍ତି । ପରୀକ୍ଷା ପ୍ରସ୍ତୁତି ମଧ୍ୟରେ ଅନେକ ପିଲା ଅତ୍ୟଧିକ ଚାପଗ୍ରସ୍ତ ହୋଇପଡନ୍ତି । ଏହା ସେମାନଙ୍କର ଉଭୟ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ବିଶେଷକରି ଯୁକ୍ତ ଦୁଇ ପିଲାଙ୍କ ପାଇଁ ଏହି ସମୟ ଖୁବ୍ ଚାପପୂର୍ଣ୍ଣ ହୋଇଥାଏ କାରଣ ସେମାନଙ୍କୁ ବୋର୍ଡ ପରୀକ୍ଷା ସହ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବି ପ୍ରସ୍ତୁତି କରିବାକୁ ପଡିଥାଏ ।
ଏହି ସମୟରେ ଅଧିକାଂଶ ପିଲା ମାନସିକ ଚାପର ସମ୍ମୁଖୀନ ହୁଅନ୍ତି ଯାହାର ପ୍ରଭାବ ସେମାନଙ୍କ ଶାରିରୀକ ସ୍ବାସ୍ଥ୍ୟ ଓ ବ୍ୟବହାରରେ ପରିଲକ୍ଷିତ ହୁଏ । ଏହି ପ୍ରଭାବ କିଛି ପିଲାଙ୍କଠାରେ କମ୍ ଦେଖାଯାଏ । କିନ୍ତୁ ଏମିତି ମଧ୍ୟ କିଛି ପିଲା ଥାଆନ୍ତି, ଅତ୍ୟଧିକ ମାନସିକ ଚାପ ସେମାନଙ୍କ ପଢିବା ଓ ମନେରଖିବା କ୍ଷମତାକୁ ପ୍ରଭାବିତ କରେ । ବେଳେବେଳେ ସେମାନେ ନିଜକୁ କ୍ଷତି ପହଞ୍ଚାବାକୁ ବି ପଛାନ୍ତି ନାହିଁ ।
ପିଲାଙ୍କ ଉପରେ ପରୀକ୍ଷା ଚାପ:
ନୂଆଦିଲ୍ଲୀର ଚାଇଲ୍ଡ କାଉନସିଲର ଡ. (ପ୍ରଫେସର) ନୈନା ତିୱାରୀ କହିଛନ୍ତି, ବୋର୍ଡ ପରୀକ୍ଷାର ଅନେକ ଦିନ ଆଗରୁ ପିଲାମାନେ ଚାପଗ୍ରସ୍ତ ହେବା ଆରମ୍ଭ କରନ୍ତି । ପରୀକ୍ଷା ସମୟ ପାଖେଇବା ସହ ଚାପ ଅତ୍ୟଧିକ ବଢିଯାଏ । ଏହି ପରୀକ୍ଷା ଚାପ କେବଳ ପିଲାଙ୍କ ମାନସିକ ବିକାଶ ଉପରେ ପ୍ରଭାବ ପକାଏନି ବରଂ ସେମାନଙ୍କ ଏକାଗ୍ରତା ମଧ୍ୟ କମିବାରେ ଲାଗେ । ଏହାଛଡା ଅନେକ ପିଲାଙ୍କ ମୁଣ୍ଡବିନ୍ଧା, ଦେହ ଖରାପ ହେବା, ଚିଡଚିଡାପଣ, ଜଲଦି ରାଗିଯିବା, ଅସ୍ଥିରତା ଓ ଡର ଭଳି ସମସ୍ୟା ବଢିବାରେ ଲାଗେ । କିଛି ପିଲା ଏତେ ମାତ୍ରାରେ ଅବସାଦଗ୍ରସ୍ତ ରୁହନ୍ତି କି ସେମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଯାଏ। ଏମିତିରେ କିପରି ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତ ରଖିବେ ତାହା ବାପାମାଆଙ୍କ ପାଇଁ ବଡ ଆହ୍ବାନ ।
ପିଲାଙ୍କୁ କିପରି ଚାପ ମୁକ୍ତ ରଖିବେ ?
ବାପାମାଆ ଓ ଶିକ୍ଷକ ପିଲାମାନଙ୍କୁ ପରୀକ୍ଷାର ଗୁରୁତ୍ବ ବୁଝାଇବା ଦରକାର । ସବୁବେଳେ ଖାଲି ପାଠ ପଢିବା ଏବଂ ପରୀକ୍ଷାରେ ପ୍ରଥମ ହେବାର ଚାପ ନ ପକାଇବା ଉଚିତ୍ । ପିଲାଙ୍କୁ ନିଜ ଏବଂ ନିଜର ପରିଶ୍ରମ ଉପରେ ବିଶ୍ବାସ ରଖିବାକୁ ପରାମର୍ଶ ଦିଅନ୍ତୁ । ଏହି ସମୟରେ ପିଲାଙ୍କୁ ପାଠପଢା ପାଇଁ ଏକ ଶାନ୍ତ ପରିବେଶ ଦରକାର । ପାଠ ପଢିବା ସହ ଆରାମ ଜରୁରୀ । ଏହାସହିତ ସମୟର ସୁପରିଚାଳନା, ମେଡିଟେସନ ଓ ଉପଯୁକ୍ତ ଖାଦ୍ୟ ସେବନ ଦ୍ବାରା ପିଲାମାନେ କେବଳ ପରୀକ୍ଷାରେ ଭଲ କରିପାରିବେ ନାହିଁ ବରଂ ସେମାନଙ୍କର ଆତ୍ମବିଶ୍ବାସ ମଧ୍ୟ ବଢିପାରିବ ।
ଏହାବ୍ୟତୀତ କିଛି ସତର୍କତା ଅବଲମ୍ବନ ଦ୍ବାରା ପିଲାମାନେ ପରୀକ୍ଷା ଚାପ ଓ ଅବସାଦକୁ ଏଡାଇବାରେ ସକ୍ଷମ ହୋଇପାରିବେ । ଯେମିତିକି-
ସମୟ ପରିଚାଳନା: ସମୟକୁ ଠିକ୍ ଭାବେ ପରିଚାଳନା କରିବା ଶିଖିବା ଦରକାର । ପାଠପଢା ସମୟ ଅଲଗା ଓ ବିଶ୍ରାସ ସମୟ ଅଲଗା ରଖ । ପଢା ଭିତରେ କିଛି ସମୟ ବିରତି ନିଅ । ଏହା ମନ ଓ ମସ୍ତିଷ୍କକୁ ବିଶ୍ରାମ ଦିଏ ଏବଂ ପାଠପଢାରେ ମନ ଲାଗେ ।
ଏକାଗ୍ରତା ପାଇଁ ମେଡିଟେସନ: ପ୍ରତିଦିନ 10ରୁ 15 ମିନିଟ୍ ମେଡିଟେସନ (ଧ୍ୟାନ) ପିଲାଙ୍କୁ ମାନସିକ ରୂପେ ସଶକ୍ତ କରାଏ । ମେଡିଟେସନ ଦ୍ବାରା ଚାପ କମେ ଓ ଏକାଗ୍ରତା ବଢେ ଯାହାକି ପରୀକ୍ଷା ପ୍ରସ୍ତୁତିରେ ସହାୟକ ହୋଇଥାଏ ।
ସ୍ବାସ୍ଥ୍ୟକର ଖାଦ୍ୟ: ପିଲାର ଶକ୍ତି ଓ ଏକାଗ୍ରତା ଉପରେ ସିଧାସଖଳ ପ୍ରଭାବ ପକାଇଥାଏ ଖାଦ୍ୟ । ପିଲାମାନେ ପୌଷ୍ଟିକ ଖାଦ୍ୟ ଯେପରି ଫଳ, ସବୁଜ ପନିପରିବା, ବାଦାମ ଖାଇବା ଉଚିତ୍ । ଚା' ଓ କଫି ଭଳି କାଫିନ ଯୁକ୍ତ ପାନୀୟ ପଦାର୍ଥରୁ ଦୂରେଇ ରୁହନ୍ତୁ । ଏହା ଶରୀରରେ ଉତ୍ତେଜନା ବଢାଇବା ସହ ନିଦ ପ୍ରଭାବିତ କରିପାରେ ।
ପାରିବାରିକ ସହଯୋଗ: ବାପାମାଆ ଓ ପରିବାରର ସହଯୋଗ ପିଲାଙ୍କ ପରୀକ୍ଷା ଚାପ କମାଇବାରେ ସାହାଯ୍ୟ କରେ । ତେଣୁ ପିଲା ସହ କଥାବାର୍ତ୍ତା କରନ୍ତୁ, ତା'ର ବିଚାର ବୁଝନ୍ତୁ ଓ ଉଚିତ୍ ପରାମର୍ଶ ଦିଅନ୍ତୁ । ଏହାଦ୍ବାରା ପିଲାକୁ ମାନସିକ ଶାନ୍ତି ମିଳେ । ସେ ପରୀକ୍ଷାରେ ଭଲ ପ୍ରଦର୍ଶନ କରେ ।
ଡ. ନୈନା ତିୱାରୀ କହିଛନ୍ତି ଯେ, ସବୁ ପିଲା ସମାନ ନୁହଁନ୍ତି ଏବଂ ସମସ୍ତଙ୍କର କ୍ଷମତା ଭିନ୍ନ । ସେଥିପାଇଁ ପିଲାମାନେ ପରିଣାମ ବିଷୟରେ ଅଧିକ ନ ଭାବି ପରୀକ୍ଷା ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ବାପାମାଆ ପିଲାଙ୍କ ଉପରେ ପରୀକ୍ଷା ଚାପ ପକାନ୍ତୁ ନାହିଁ । ପିଲାଠୁ ଅଧିକ ଆଶା ରଖିବା ବଦଳରେ ତା' ପରିଶ୍ରମର ପ୍ରଶଂସା କରନ୍ତୁ । ଏହି ସମୟରେ ପିଲାମାନେ ସକରାତ୍ମକ ଚିନ୍ତାଧାରା ରଖିବା ଗୁରୁତ୍ବପୂର୍ଣ୍ଣ । ଯଦି ଆମେ ଭଲ ଚିନ୍ତା କରିବା, ତାହେଲେ ଭଲ ହେବ ।
ଏହା ମଧ୍ୟ ପଢନ୍ତୁ: ଫେବୃଆରୀ 21ରୁ ମାଟ୍ରିକ ପରୀକ୍ଷା, କେଉଁ ଦିନ କେଉଁ ବିଷୟ ? ଜାଣନ୍ତୁ ଏହା ମଧ୍ୟ ପଢନ୍ତୁ: ଫେବୃଆରୀ ୧୮ରୁ +2 ପରୀକ୍ଷା, କେଉଁ ଦିନ କେଉଁ ବିଷୟ ଜାଣନ୍ତୁ ଏହା ମଧ୍ୟ ପଢନ୍ତୁ: ଆପଣଙ୍କ ଓଠ ଫାଟୁଛି କି ? ଏମିତି ନିଅନ୍ତୁ ଯତ୍ନ, ରହିବନି ଟେନସନ |