ରଚନା ବାନାର୍ଜୀ, ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତ୍ରୀ । ଯଦିଓ ସେ ଅନେକ ବର୍ଷ ଧରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି, କିନ୍ତୁ ତାଙ୍କର ନିଖୁଣ ଅଭିନୟର ଛାପ ଏବେ ବି ପ୍ରତି ଓଡିଆ ସିନେ ପ୍ରେମୀଙ୍କ ହୃଦୟରେ ଘରେ କରିରହିଛି । ରଚନା ଓଡ଼ିଆ ସମେତ ବଙ୍ଗଳା, ହିନ୍ଦୀ, ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି । 2024 ଲୋକସଭା ନିର୍ବାଚନ ଡେବ୍ୟୁ ସହ ସେ ବର୍ତ୍ତମାନ ପଶ୍ଚିମବଙ୍ଗ ହୁଗୁଳି ଆସନରୁ ଟିଏମସି ସାଂସଦ ଅଛନ୍ତି । ରାଜନୀତି ସାଙ୍ଗକୁ ଏବେ ପଶ୍ଚିମବଙ୍ଗର ସବୁଠୁ ଲୋକପ୍ରିୟ ଟିଭି ସୋ 'ଦିଦି ନଂ 1'ରେ ମଧ୍ୟ ହୋଷ୍ଟ କରୁଛନ୍ତି । ତେବେ ବୟସର 52 ବର୍ଷରେ ଏବଂ ଏତେସବୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଏହି ଅଭିନେତ୍ରୀ କିପରି ଏତେ ଫିଟ୍ ଓ ଗ୍ଲାମରସ୍ ଅଛନ୍ତି, ତା'ର ସିକ୍ରେଟ ନିଜେ ସେୟାର କରିଛନ୍ତି ।
ଫିଟନେସ ରାଜ କହିଲେ ରଚନା:
ଇଟିଭି ଭାରତ ସହ ଟେଲିଫୋନିକ ସାକ୍ଷାତକାରରେ ରଚନା ବାନାର୍ଜୀ ନିଜ ଫିଟନେସ୍ ବିଷୟରେ ଆଲୋଚନା କରିଛନ୍ତି । ବ୍ୟସ୍ତବହୁଳ ଜୀବନରେ ବି ସେ କିପରି ନିଜ ଯତ୍ନ ନେଉଛନ୍ତି ପ୍ରଶ୍ନରେ ରଚନା କହିଛନ୍ତି, '' ଆମ ଶରୀର ସୁସ୍ଥ ରହିଲେ ଏହା ଚେହେରାରେ ପ୍ରତିଫଳିତ ହୋଇଥାଏ । ଏଥିପାଇଁ ଉପଯୁକ୍ତ ଡାଏଟ ଅନୁସରଣ କରିବା ଆବଶ୍ୟକ । ଯଦି ଠିକ୍ ଖାଦ୍ୟ ଖାଉଛନ୍ତି ତେବେ ଶରୀର ସହ ଆପଣଙ୍କ ତ୍ବଚା ମଧ୍ୟ ଭଲ ରହେ । କେବଳ ଫେସିଆଲ କିମ୍ବା କୌଣସି ମହଙ୍ଗା କ୍ରିମ ଆପଣଙ୍କୁ ସୁନ୍ଦର କରିପାରିବନି । ଯଦି ଖାଦ୍ୟପେୟ ଠିକ୍ ରହିବ ତାହେଲେ ସ୍କିନ ମଧ୍ୟ ଗ୍ଲୋ କରିବ ।''
ବ୍ୟାୟାମ କରେ, ସକାଳୁ ଚାଲେ:
ଅଭିନେତ୍ରୀ ନିଜ ଫିଟ୍ନେସକୁ ନେଇ କହିଛନ୍ତି, ''ମୁଁ ସବୁବେଳେ ଏକ୍ସରସାଇଜ କରିବାକୁ ଚେଷ୍ଟା କରେ । ଯଦି ସମୟ ନଥାଏ ତାହେଲେ କିଛି ସମୟ ଚାଲେ (walking) । ସକାଳୁ ଉଠିବା ପରେ 40ରୁ 45 ମିନିଟ୍ କିଛି ନା କିଛି ଶାରିରୀକ ଗତିବିଧି କରିଥାଏ । ଯେତିକି ସମୟ ମିଳେ ତା' ଭିତରେ ଯଥାସମ୍ଭବ କୌଣସି କାର୍ଯ୍ୟ କରିବାକୁ ଚେଷ୍ଟା କରେ ।''
ରଚନା ଆହୁରି କହିଛନ୍ତି ଯେ, ସେ ରାତି 7ଟାରୁ 7ଟା 30 ମଧ୍ୟରେ ଡିନର୍ କରନ୍ତି । 7ଟା 30 ପରେ କିଛି ଖାଆନ୍ତି ନାହିଁ । ଆଦୌ ବାହାର ଖାଦ୍ୟ ପସନ୍ଦ କରନ୍ତିନି । ବିବାହ କିମ୍ବା ଅନ୍ୟ କୌଣସି ଫଙ୍କସନକୁ ଗଲେ ଘରକୁ ଫେରି ଖାଇଥାନ୍ତି । ସେ ନିଜ ଡାଏଟରେ ଅଧିକ ଫଳ ଓ ପନିପରିବା ସାମିଲ କରନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ।
ନିଜର ସ୍କିନକେୟାର ନେଇ କହିଛନ୍ତି, ''ତ୍ବଚାର ଯତ୍ନ ନେବାକୁ କୌଣସି ଘରୋଇ ଉପାୟ (home remedies) ପାଇଁ ସମୟ ମିଳେନି । ମୁଁ ମୋ ନିଜର ସ୍କିନକେୟାର ବ୍ରାଣ୍ଡ 'ରଚନା କେୟାର'ର ନାଚୁରାଲ ପ୍ରଡକ୍ଟ ବ୍ୟବହାର କରେ । ନିଜ ବ୍ରାଣ୍ଡର ରୁପଟନ ପାଉଡର, ଆଲୋଭେରା ଜେଲ ଓ ଓଟ୍ସରୁ ପ୍ରସ୍ତୁତ ଫେସୱାସ ଲଗାଏ । ବଜାରର କୌଣସି କେମିକାଲ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରେନାହିଁ । ରାତିରେ କୌଣସି କ୍ରିମ ଲଗାଏ ନାହିଁ । କେବଳ ଶୋଇବା ପୂର୍ବରୁ ଚେହେରାକୁ ଭଲ ଭାବେ ସଫା କରି ନିଜର ଅଏଲ ବ୍ୟବହାର କରେ ।''
ରଚନାଙ୍କ କହିବା ଅନୁସାରେ, ସେ ଅଧିକ ମେକଅପ୍ ଲଗାନ୍ତି ନାହିଁ । ସୁଟିଂ ସମୟରେ ଯେତିକି ଦରକାର ବାସ୍ ସେତିକି ମେକଅପ୍ କରନ୍ତି ଏବଂ ସାଧାରଣ ବେଶଭୂଷାରେ ସଂସଦ ଯାଆନ୍ତି । କେବଳ ଦିଦି ନଂ 1 ସୁଟିଂ ପାଇଁ ହିଁ ମେକଅପ୍ ନିଅନ୍ତି ।
ଏହା ମଧ୍ୟ ପଢନ୍ତୁ: ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ଏହି 2 ଜିନିଷ, ତ୍ବଚା ରହିବ ନରମ ଓ ଚମକଦାର - NIGHT TIME SKINCARE TIPS ଏହା ମଧ୍ୟ ପଢନ୍ତୁ: କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ - TOURIST PLACE IN KORAPUT ଏହା ମଧ୍ୟ ପଢନ୍ତୁ: ଏହି ଭିଟାମିନ ଅଭାବରେ କମ୍ ବୟସରୁ ପାଚେ ଚୁଟି, ମୁଣ୍ଡ ହୋଇପାରେ ଚନ୍ଦା - VITAMIN B12 |