ମେକ୍ସିକୋ ସିଟି: ଆଜି ପୂରଣ ହୋଇଛି ଦୀର୍ଘ ୫୦୦ ବର୍ଷର ସ୍ବପ୍ନ। ନିଜ ଜନ୍ମଭୂମିକୁ ଫେରିଛନ୍ତି ପ୍ରଭୁ ଶ୍ରୀରାମ। ଅଯୋଧ୍ୟାରେ ହୋଇଛି ପ୍ରଭୁ ରାମଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା । ସାରା ଭାରତ ବର୍ଷରେ ବିଭିନ୍ନ ମନ୍ଦିରଗୁଡ଼ିକ ହୋଇଯାଇଛି ଲୋକାରଣ୍ୟ। ଏପରିକି ବିଦେଶରେ ମଧ୍ୟ ସୃଷ୍ଟି ହୋଇଛି ରାମମୟ ପରିବେଶ । ଏହି କ୍ରମରେ ସୁଦୂର ଉତ୍ତର ଆମେରିକୀୟ ଦେଶ ମେକ୍ସିକୋ ମଧ୍ୟ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖରିତ ।
ମେକ୍ସିକୋରେ ପ୍ରତିଷ୍ଠା ହୋଇଛି ପ୍ରଥମ ରାମ ମନ୍ଦିର। ଦେଶର କ୍ବେରେଟାରୋ ସହରରେ ଗତକାଲି(ରବିବାର) ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ମନ୍ଦିରରେ ପ୍ରଥମେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଉଦଘାଟନ କରାଯାଇଥିଲା । ଏହି ପୂଜାବିଧି ଜଣେ ଆମେରିକୀୟ ପୂଜକଙ୍କ ଦ୍ବାରା ସମ୍ପାଦନ କରାଯାଇଥିବା ବେଳେ ଦେବ ବିଗ୍ରହ ଭାରତରୁ ଅଣାଯାଇଥିଲା। ବୈଦିକ ମନ୍ତ୍ର ଧ୍ବନିରେ ପୂଜା ହେଉଥିବା ହଲ୍ ଗୁଞ୍ଜରିତ ହୋଇଥିଲା । ସହରରେ ବାସ କରୁଥିବା ଭାରତୀୟ ମୂଳର ନିବାସୀ ଏଥିରେ ଅତି ଆଗ୍ରହର ସହ ଭାଗ ନେଇଥିଲେ । ଉକ୍ତ ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏତଦବ୍ୟତୀତ କ୍ବେରେଟାରୋ ସହରରେ ମଧ୍ୟ ଦେଶର ପ୍ରଥମ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଛି । ଏ ସମ୍ପର୍କରେ ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ନିଜର ଖୁିସି ବ୍ୟକ୍ତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...500 ବର୍ଷ ପ୍ରତୀକ୍ଷାର ଅନ୍ତ; ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାହେନ୍ଦ୍ର ବେଳାରେ ହେଲା ପ୍ରାଣ ପ୍ରତିଷ୍ଠା
ସେହିପରି ଅଯୋଧ୍ୟାରେ ଆଜି ଭବ୍ୟ ଓ ବିଶାଳ ରାମ ମନ୍ଦିରରେ ବିରାଜମାନ କରିଛନ୍ତି ପ୍ରଭୁ ରାମଲଲା । ପୂର୍ବରୁ ସ୍ଥିରୀକୃତ ମାହେନ୍ଦ୍ରବେଳାରେ ଦେବ ବିଗ୍ରହରେ ହୋଇଛି ପ୍ରାଣ ପ୍ରତିଷ୍ଠା । ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାପନ ପରେ ନିଜର ସୂବର୍ଣ୍ଣ କାନ୍ତିମୟ ବେଶରେ ଦର୍ଶନ ଦେଇଛନ୍ତି ରାମଲଲା । ଯାହାକୁ ଦେଖି ଅସଂଖ୍ୟ ଭକ୍ତମାନଙ୍କର ବହୁ ଦିନର ପ୍ରତୀକ୍ଷାର ଘଟିଛି ଅନ୍ତ । ସମସ୍ତ ନୀତିକାନ୍ତି କାଶୀ ପୀଠର ବେଦଜ୍ଞଙ୍କ ଦ୍ବାରା ହୋଇଥିବା ବେଳେ ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ବ ତୁଲାଇଥିଲେ । ଏହି ସମୟରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀ ବେନ ମଧ୍ୟ ଉପସ୍ଥିତ ଥିଲେ । ପ୍ରାଣ ପ୍ରତିଷ୍ଠା ଶେଷ ହେବା ପରେ ରାମଲାଲାଙ୍କ ଆଳତୀ ହୋଇଥିଲା । ଏହା ପରେ ରାମଲଲାଙ୍କ ବିଗ୍ରହର ଚାରିପାଖରେ ବୁଲିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭୂମିରେ ଲୋଟି ପଡି ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥଲେ । ଏହି ମହୋତ୍ସବରେ ସାରା ଦେଶ ରୁ ବିଭିନ୍ନ ସାଧୁ ସନ୍ଥ , ବିଶିଷ୍ଟ ବ୍ୟକ୍ତି ଓ ସେଲିବ୍ରିଟି ଯୋଗ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ