ମୁମ୍ବାଇ: ସିନା ବୋରା ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ' ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ ବରିଡ୍ ଟ୍ରୁଥ' ର ପୋଷ୍ଟର ରିଲିଜ୍ ହୋଇଛି । ଲୋକପ୍ରିୟ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ସିରିଜ 'ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ ବରିଡ୍ ଟ୍ରୁଥ୍' ର ପ୍ରଥମ ପୋଷ୍ଟର ସହିତ ଏହାର ଷ୍ଟ୍ରିମିଂ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ସିରିଜ ଫେବୃଆରୀ ୨୩ ତାରିଖରେ ମୁକ୍ତିଲାଭ କରିବ । ସିନା ବୋରା ହତ୍ୟାକାଣ୍ଡ ଦେଶର ଚର୍ଚ୍ଚିତ ହତ୍ୟାକାଣ୍ଡ ମଧ୍ୟରୁ ଅନ୍ୟତମ । ତେବେ ଚାରି ଭାଗରେ ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟାରୀ ସିରିଜରେ 2015ରେ ଘଟିଥିବା ସିନା ବୋରାଙ୍କ ହୃଦୟ ବିଦାରକ ହତ୍ୟାର ବାସ୍ତବତା ବିଷୟରେ ଦେଖିବାକୁ ମିଳିବ । ଇଣ୍ଡିଆ ଟୁଡେ ଅରିଜିନାଲ ପ୍ରଡକ୍ସନ୍ ଏହାକୁ ନେଟଫ୍ଲିକ୍ସରେ ମୁକ୍ତ କରିବାକୁ ଯାଉଛି ।
ସିନା ବୋରା ହତ୍ୟାକାଣ୍ଡ ମାମଲା କ'ଣ ?
ଗତ 2012 ମସିହାରେ ସିନା ବୋରାଙ୍କୁ ଅପହରଣ ଓ ହତ୍ୟା କରାଯାଇଥିଲା । ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମଭାର ରାୟ ଗିରଫ ହେବାପରେ ଘଟଣା ପଦାକୁ ଆସିଥିଲା । ପଚରାଉଚରାରେ ସେ ସିନା ବୋରାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା । ସିନାଙ୍କ ମୃତଦେହକୁ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଫିଙ୍ଗି ଥିବା କଥା ମାନିଥିଲା । ଘଟଣାରେ ସିନାଙ୍କ ମାଆ ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନା ମଧ୍ୟ ସାମିଲ ଥିବା କହିଥିଲା ଡ୍ରାଇଭର ଶ୍ୟାମଭାର ରାୟ । ସିବିଆଇ ସୂଚନା ଅନୁଯାୟୀ ଇନ୍ଦ୍ରାଣୀ ମୁଖାର୍ଜୀ ସିନା ବୋରାଙ୍କୁ ହତ୍ୟା କରିଥିଲେ, କାରଣ ସେ ସିନା ବୋରାଙ୍କ ସମ୍ପର୍କକୁ ନେଇ କ୍ରୋଧିତ ଥିଲେ, ସେ ସମସ୍ତଙ୍କୁ ସିନା ତାଙ୍କ ଭଉଣୀ ବୋଲି ପରିଚିତ କରିଥିଲେ । ତେବେ ଏହି ହତ୍ୟାକାଣ୍ଡକୁ ନେଇ ଇନ୍ଦ୍ରାଣୀ ୬ ବର୍ଷ ୯ ମାସ ପର୍ଯ୍ୟନ୍ତ ମୁମ୍ବାଇର ଭାୟଖଲା ମହିଳା ଜେଲରେ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ- ବକ୍ସ ଅଫିସରେ 'ଫାଇଟର' ଦବଦବା; ୧୦୦ କୋଟି କ୍ଲବରେ ମାରିଲା ଏଣ୍ଟ୍ରି
2022 ମସିହା ମେ 20 ତାରିଖରେ ଟଙ୍କା ଦେଇ ଜେଲରୁ ବାହାରକୁ ଆସିବା ପରେ ଇନ୍ଦ୍ରାଣୀ ଦାବି କରିଥିଲେ ଯେ ତାଙ୍କ ଝିଅ ଜୀବିତ ଅଛନ୍ତି ଆଉ ତାଙ୍କୁ ଖୋଜିବେ । ଯେତେବେଳେ ଇନ୍ଦ୍ରାଣୀଙ୍କୁ ପଚରାଗଲା ଯେ ଯଦି ତାଙ୍କ ଝିଅ ଜୀବିତ ଅଛନ୍ତି ତେବେ କାହିଁକି ତାଙ୍କ ସହିତ ଯୋଗାଯୋଗ କରିନାହାଁନ୍ତି । ଏନେଇ ଇନ୍ଦ୍ରାଣୀ କହିଛନ୍ତି, ମୋ ପାଖରେ ଏହାର ଉତ୍ତର ନାହିଁ, ମୁଁ ମୋ ଝିଅକୁ ଖୋଜୁଛି, ମୁଁ ଏପର୍ଯ୍ୟନ୍ତ ଭରସା କରିପାରୁନି ଯେ ମୋ ଝିଅର ମୃତ୍ୟୁ ହୋଇଛି । ମୁଁ କିନ୍ତୁ ଭାବୁଛି ମୋ ଝିଅ ଜୀବିତ ଅଛି ଆଉ ଭଲ ଅଛି ।