ଭୁବନେଶ୍ୱର: ରସଗୋଲା ଦିବସ ଅବସରରେ ରିଲିଜ ହୋଇଛି ରସଗୋଲା ସଙ୍ଗୀତ । ସୂଚନା ଭବନ ବା ଜୟଦେବ ଭବନ ଠାରେ ଦିବସର ଅବ୍ୟବହିତ ପୂର୍ବରୁ ଅର୍ଥାତ ଗୁରୁବାର ସ୍ୱତନ୍ତ୍ର ଭାବେ ରସଗୋଲା ସଙ୍ଗୀତ ଶ୍ରୋତାର୍ପଣ ସମାରୋହ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ରିଲିଜ କରିଛନ୍ତି । ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ରସଗୋଲା ଦିବସର ସଙ୍ଗୀତ ଲୋକାର୍ପିତ ହୋଇଛି । ଏହି ସଙ୍ଗୀତର ପରିକଳ୍ପନା ଓ ରଚନା ଯୁବ ଲେଖକ ଶୁଭ୍ରାଂଶୁ ପଣ୍ଡା କରିଥିବା ବେଳେ ସଙ୍ଗୀତଓ କଣ୍ଠଦାନ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗ ଦେଇଥିଲେ । ଆମ ପରମ୍ପରା ସହ ଜଡିତ ଏହି ଗୀତକୁ ପ୍ରଶଂସା କରିଥିବା ବେଳେ ସଙ୍ଗୀତର, ପୁରାତନ ପରମ୍ପରାକୁ ନୂଆ ପୀଢ଼ିଙ୍କ ପାଖେ ପହଞ୍ଚାଇବାର ସମୟ ଆସିଛି ବୋଲି କହିଥିଲେ । ସେ କହିଛନ୍ତି ନୂଆପିଢ଼ି ପସନ୍ଦ କରୁନାହାନ୍ତି ବୋଲି କହି ଏଡ଼ାଇ ଗଲେ ହେବନାହିଁ । ଆମେ ତାଙ୍କୁ ଏଭଳି ଦେବା ଯେମିତି ସେମାନେ ଏହାକୁ ଗ୍ରହଣ କରିବେ । ଏହି ସମୟରେ ସଙ୍ଗୀତର ମର୍ଦ୍ଦଳ ବାଦକ ପ୍ରସନ୍ନ ମିଶ୍ର ଓ ବଂଶୀବାଦକ ଜବାହାର ମିଶ୍ରଙ୍କ ସମେତ ଅନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେପଟେ ରସଗୋଲା ସଙ୍ଗୀତକୁ ନେଇ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଓ ତାଙ୍କ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଯାହା ବେଶ ମନୋରମ ଥିଲା ।
ଏହି ଅବସରରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଆମ ସଂସ୍କୃତି, ପରମ୍ପରା ଓ ଆରାଧ୍ୟ ଦେବତା ଜଜଗନାଥଙ୍କୁ ନେଇ ଏହି ସୁନ୍ଦର ଗୀତଟି ହୋଇଥିବା ବେଳେ ମହାପ୍ରଭୁଙ୍କ ସହ ରସଗୋଲାକୁ ଜଡିତ ଅନେକ ଭାବାବେଗକୁ ଗୀତ ଓ ତାର ଦୃଶ୍ୟ ମାଧ୍ୟମରେ ଦେଖାଯାଇଛି । ଯାହା ବେଶ ହୃଦୟସ୍ପର୍ଶୀ ହୋଇଛି ଏହା ନିଶ୍ଚୟ ସବୁ ଓଡ଼ିଆଙ୍କ ମନକୁ ଛୁଇଁବ ଓ ରସଗୋଲା ଖାଇବା ପାଇଁ ଆପଣକୁ ଆକର୍ଷିତ କରିବା ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଜି ରସଗୋଲା ଦିବସ, ଜଗନ୍ନାଥ ସଂସ୍କୃତି ସହ କଣ ସମ୍ପର୍କ ? ‘ଓଡିଶା ରସଗୋଲା’କୁ ମିଳିଛି GI ମାନ୍ୟତା, ସୋସିଆଲ ମିଡିଆରେ ଉତ୍ସାହ
ସେ ଆହୁରି କହିଛନ୍ତି ଆଗରୁ ଆମ ଭାଷା, ସଂସ୍କୃତି, ପରମ୍ପରା ପୋଥିରେ ରହୁଥିଲା । ପରେ ଏହା କାଗଜକୁ ଆସିଲା । ଆଉ ଏବେ କ୍ଲାଉଡ୍କୁ ନେବାର ସମୟ ଆସିଛି । ଏହି ଯେଉଁ ରସଗୋଲା ସଙ୍ଗୀତ ପ୍ରସ୍ତୁତ ହୋଇଛି, ତାହା ନୂଆପିଢ଼ିଙ୍କୁ ପୁରୁଣା ପରମ୍ପରା ସହ ଯୋଡ଼ିବ। ରସଗୋଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ଆଉ ଦେଖାଦେଲାନାହିଁ । ତେଣୁ ଆମ ପରମ୍ପରା ଆମର ପରିଚୟ ହୋଇଥିବା ବେଳେ ଏହାକୁ ସାଇତି ରଖିବାର ଅବଶ୍ୟକ ରହିଛି । ତେଣୁ ଏହାର ସଂରକ୍ଷଣ କରିବା ନିହାନ୍ତି ଦରକାର ।
ଇଟିଭି ଭାରତ, ଭୁବନେଶ୍ୱର