ଭୁବନେଶ୍ୱର: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ୧୦ମ ସିନେ ଆୱାର୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ୧୦୦ ଜଣ ସିନେ କଳାକାର ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଆକର୍ଷଣୀୟ ସାଜିଥିଲା ସାପୁଆ କେଳାଙ୍କ ନୃତ୍ୟ ଓ ସାପ କାମୁଡା ନେଇ ଏକ ସଚେତନତା ନାଟକ । ରବିବାର ଦିନ(ଅକ୍ଟୋବର 20)ଦିନ ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
100 କଳାକାର ସମ୍ମାନିତ
ଏହି କାର୍ଯ୍ୟକ୍ରମରେ ମୁମ୍ବାଇ ସିନେ ୱାର୍କର୍ସ ଆସୋସିଏସନର ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ଓ କଳା ଜଗତ ସହ ଜଡିତ କର୍ମଚାରୀ ମାନଙ୍କୁ ସମ୍ମାନ ଦେବା ସହ ପ୍ରୋତ୍ସାହିତ କରିଥିଲେ । ଓଡିଶାର ବିଭିନ୍ନ କୋଣରୁ ଆସିଥିବା ୧୦୦ ଜଣ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା । ଏଥିସହ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ରେବତୀ ଓ ଦୁର୍ଗା' ର ପ୍ରଯୋଜକ ତଥା କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏଥିସହ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କଳାକାର ମାନେ ପାରମ୍ପରିକ କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ତଥା ଅତିଥି ମାନଙ୍କୁ ମନୋରଞ୍ଜନ କରାଇଥିଲେ ।


ଏହି ତାରକାଙ୍କୁ କରାଗଲା ସମ୍ମାନିତ
ବରିଷ୍ଠ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି, ସଂଘର ଉପଦେଷ୍ଟା ଶ୍ୟାମା ପ୍ରସାଦ ମିଶ୍ର, ଡଃ ରଜନୀ ରଞ୍ଜନ, ପ୍ରଶାନ୍ତ ପାଢ଼ୀ, ପୁଷ୍ପା ପଣ୍ଡା, ପିଙ୍କି ପ୍ରଧାନ, ଡଃ ବନ୍ଦନା ହରିଚନ୍ଦନ, ସଭାପତି ବବି ମିଶ୍ର ମିଶ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇ କଳାକାରଙ୍କୁ ସମ୍ମାନ ଦେବା ସହ ଉତ୍ସାହିତ କରିଥିଲେ । ଏଥିସହ ପ୍ରଯୋଜକ ରମେଶ ବାରିକ, ପ୍ରିତମ, ଅଭିନେତ୍ରୀ ଶୀତଲ ପାତ୍ର, ଅନନ୍ୟା, ଶକ୍ତି ବରାଳ, ଅଭିଷେକ ଗିରି, ଉପସ୍ଥାପକ କେପି ପ୍ରମୁଖଙ୍କୁ ଉତ୍ସବରେ ସମ୍ମାନ ପ୍ରଦାନ କରାଯାଇଥିଲା । ତେବେ ଏହି ଅବସରରେ ମୁମ୍ବାଇରୁ ଆସିଥିବା ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା କହିଛନ୍ତି, ''ଓଡ଼ିଆ ସିନେ ଶ୍ରମିକ ଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଆଗାମୀ ବର୍ଷ ମାନଙ୍କରେ ବଲିଉଡରେ ଓଲିଉଡ଼ କଳାକାରଙ୍କ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ଭାବେ ସୃଷ୍ଟି ହେବ ।''

କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଲା ସାପୁଆ କେଳାଙ୍କ ନାଟକ
କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲା ରଣପୁରରୁ ଆସିଥିବା ସାପୁଆ କେଳା ଟିମ୍ । ନୃତ୍ୟ ଓ ପାରମ୍ପରିକ ବାଦ୍ୟ ସହ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରିବା ସହ ସାପ କାମୁଡ଼ିଲେ କଣ କରିବା ଆବଶ୍ୟକ ତା ଉପରେ ନାଟକ ପରିବେଷଣ କରି ଲୋକଙ୍କୁ ସଚେତନତା କରାଇଥିଲେ । ବିଶେଷ କରି ବିଷାକ୍ତ ସାପ ହେଉ ଅବା ବିଷ ନଥିବା ସାପ, ସାପ କାମୁଡ଼ିଲେ କିପରି ସଂଗେ ସଂଗେ ଡାକ୍ତରଙ୍କୁ ଦେଖାଇବେ ଓ ଝଡ଼ାଫୁଙ୍କ ଭଳି ଅନ୍ଧବିଶ୍ୱାସକୁ ଆପଣାଇବା ନାହିଁ ତା ଉପରେ ଲୋକଙ୍କୁ ବୁଝାଇଥିଲେ । କାରଣ ଆପଣ ଟିକିଏ ସାବଧାନତା ଆମ ଜୀବନ ବଂଚାଇଦେବା ତେଣୁ ସତର୍କ ଓ ସଚେତନତା ରହି ସାପ କାମୁଡ଼ା ପ୍ରତି ସାବଧାନତା ଅବଲମ୍ବନ କରିବାକୁ ନାଟକ ମାଧ୍ୟ୍ୟମରେ ଲୋକଙ୍କୁ ବୁଝାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର