ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ସଲାମ ଭୁବନେଶ୍ୱର' । ଭିନ୍ନତା ଭିତରେ ଏକତାର ବାର୍ତ୍ତା ନେଇ ଦୁଇ ସାଙ୍ଗଙ୍କ କାହାଣୀ ସହ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରର ସ୍ତୁତି ହଲରେ ଏହାର ପ୍ରିମିୟର ହୋଇଯାଇଛି । ଏଥିରେ ଭୁବନେଶ୍ୱରର କାହାଣୀକୁ ପ୍ରତିପାଦିତ କରାଯାଇଥିବାବେଳେ ରାଜଧାନୀର ଜଣେ ଗ୍ୟାଙ୍ଗଷ୍ଟାରର କାହାଣୀକୁ ନେଇ ଗତିଶୀଳ ହୋଇଛି।
ମୁଖ୍ୟ ଭୂମିକାରେ କିଏ?
ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି ରାଜବୀର । ତାଙ୍କ ବିପକ୍ଷରେ ରହିଛନ୍ତି ନବାଗତା ମଡେଲ ତଥା ଅଭିନେତ୍ରୀ ଅନିଶା । ମୁନ ଟିଭି ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ସଚ୍ଚିକାନ୍ତ ଜେନା । କାହାଣୀ ମଧ୍ୟ ସଚ୍ଚିକାନ୍ତ ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ।
'ସଲାମ ଭୁବନେଶ୍ବର'ର ଷ୍ଟାର କାଷ୍ଟ:
ସଂଳାପକାର ମନୋରଞ୍ଜନ ରାଉଳ ରହିଥିବାବେଳେ ଗୀତ ରଚନା କରିଛନ୍ତି ଅଭିଜିତ ମଜୁମଦାର । ଅନ୍ୟ ଭୂମିକାରେ ରହିଛନ୍ତି ଅଭିନେତା ବବି ମିଶ୍ର , ସ୍ବର୍ଗତ ପିଣ୍ଟୁ ନନ୍ଦ, ପ୍ରଜ୍ଞା, ଶଙ୍କର, ରବି ମିଶ୍ର ଅଭିନେତ୍ରୀ ସ୍ଵିଟି ଓ ମଧୁ । ତେବେ ଗ୍ୟାଙ୍ଗଷ୍ଟାର ଓ ପୋଲିସର ପ୍ରେମ କାହାଣୀ ସହ ହିନ୍ଦୁ ମୁସଲିମ ଭାଇଚାରାର କାହାଣୀ ମାଧ୍ୟମରେ ଏକ ଭିନ୍ନ ବାର୍ତ୍ତା ଦେଇଛି ଏହି ଚଳଚ୍ଚିତ୍ର । ତେବେ ଆଜି ସିନେମାର ପ୍ରିମିୟର ହୋଇଥିବାବେଳେ ଓଡ଼ିଆ ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା।
'କପି ନୁହେଁ, ମୌଳିକ କାହାଣୀ'
ତେବେ ଚଳଚ୍ଚିତ୍ର ସମ୍ପର୍କରେ ପ୍ରଯୋଜନା ସଂସ୍ଥା କହିଛି, "ଏହା କେଉଁ କପି ସିନେମା ନୁହେଁ ଏକ ମୌଳିକ କାହାଣୀ । ଯାହା ଓଡ଼ିଶାର ପାଣି ପବନକୁ ନେଇ ପ୍ରସ୍ତୁତ ହୋଇଥିବାବେଳେ ଭୁବନେଶ୍ୱର ଆସୁଥିବା ଯୁବକଙ୍କ ସଂଘର୍ଷର କାହାଣୀ ଏଥିରେ ଦେଖିବାକୁ ମିଳିବ।" ନବାଗତା ନାୟିକା ଏଥିରେ ପୋଲିସ ଚରିତ୍ରରେ ନଜର ଆସିଥିବାବେଳେ ନିଜର ଅଭିନୟକୁ ନେଇ ସେ ବେଶ ଆଶାବାଦୀ ରହିଛନ୍ତି। ପୂର୍ବରୁ ରାଜବୀର, ଅରୁନ୍ଧନ୍ତୀ 'ଲଭ ଫିଭର' ପରି ସିନେମା କରିଥିବାବେଳେ ନିଛକ ଓଡ଼ିଆ କାହାଣୀକୁ ନେଇ ହୋଇଥିବା ଏହି ସିନେମା ଦର୍ଶକଙ୍କୁ ଭଲ ଲାଗିବ ବୋଲି ସେମାନେ ଆଶା ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର