ହାଇଦ୍ରାବାଦ: ୮୦ ଦଶକରୁ କ୍ୟାରିଅର ଆରମ୍ଭ କରିଥିବା ବଲିଉଡ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ ଆଜି ବି ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛନ୍ତି । ଆକ୍ସନ ହିରୋ ହେଉ ଅବା ରୋମାଣ୍ଟିକ ଅବା ଖଳନାୟକ ସବୁ ଭୂମିକାରେ ନିଜର ନିଖୁଣ ଅଭିନୟ ଦ୍ବାରା ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ଜ୍ୟାକି ଶ୍ରଫ ଆଜି ତାଙ୍କ ୬୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ କେବଳ ଫ୍ୟାନ୍ସ ନୁହେଁ ପରିବାର ସଦସ୍ୟ ସମେତ ବଲିଉଡ ସେଲିବ୍ରିଟି ମାନେ ଅଭିନେତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।
ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟଶା ଶ୍ରଫ ଇନଷ୍ଟାଗ୍ରାମରେ ଅଭିନେତାଙ୍କ ଅନେକ ଫଟୋ ସେୟାର କରିଛନ୍ତି । ସେଥିରେ ସେ ଅନେକ ନୂତନ ଏବଂ ପୁରୁଣା ଫଟୋ ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକ ସହ ସେ କ୍ୟାପସନରେ ଲେଖିଛନ୍ତି, 'ଶ୍ରେଷ୍ଠ ଦୟାଳୁ ଲୋକ, ଶ୍ରେଷ୍ଠ ବାପା, ପୁଅ ଏବଂ ବନ୍ଧୁକୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ସେହିପରି ପୁଅ ଟାଇଗର ଶ୍ରଫ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୁରୁଣା ମାଗାଜିନର କଭର ପେଜ ସେୟାର କରି ବାପାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।
ଏଥିରେ ଜ୍ୟାକିଙ୍କୁ ପୁଅ ଟାଇଗର ଏବଂ ଝିଅ କୃଷ୍ଣାଙ୍କୁ ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, 'ସବୁଠାରୁ ଭଲ ମଣିଷ ଏବଂ ସବୁଠାରୁ ଭଲ ବାପାଙ୍କୁ ଜନ୍ମଦିନର ଶୁଭକାମନା । ମୁଁ ଆପଣଙ୍କୁ ବହୁତ ଭଲ ପାଏ ।' ସେହିପରି ଝିଅ କୃଷ୍ଣା ମଧ୍ୟ ଏକ ପୁରୁଣା ଫଟୋ ସେୟାର କରି ବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଜଗଗୁ ଦାଦାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଶ୍ରେଷ୍ଠ କିମ୍ବଦନ୍ତୀକୁ ଜନ୍ମଦିନର ଶୁଭେଚ୍ଛା ।' ସେହିପରି ଏକ ଗଛ ସହ ଜ୍ୟାକି ଶ୍ରଫଙ୍କ ଫଟୋ ସେୟାର କରି ଅଜୟ ଦେବଗନ୍ ଲେଖିଛନ୍ତି, 'ମୋର ଏବଂ ସମସ୍ତଙ୍କର ଭାଇଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୁଁ ବୃକ୍ଷରୋପଣ କରି ତୁମର ଜନ୍ମଦିନ ପାଳନ କରିବି ।
ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ବେଢାରେ ପୋଛା ମାରିଲେ ଅଭିନେତା ଜ୍ୟାକି ଶ୍ରଫ
କହିରଖୁଛୁ କି, ଜ୍ୟାକି ଶ୍ରଫ ୧୯୭୩ ମସିହାରେ ରିଲିଜ ଫିଲ୍ମ 'ହୀରା ପତ୍ରା' ସହ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ବେଳେ ଖଳନାୟକ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ ୧୯୮୨ ମସିହାରେ 'ସ୍ବାମୀ ଦାଦା' ଫିଲ୍ମ ସହ ଲିଡ ରୋଲରେ ନଜର ଆସିଥିଲେ । ସେ ନିଜ କ୍ୟାରିଅରରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ପଞ୍ଜାବୀ, ମାଲାୟାଲମ, ବଙ୍ଗାଳୀ, ମରାଠୀ ଆଦି ସମସ୍ତ ଭାଷାରେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ, ୧୯୮୭ରେ ଆୟିଶାଙ୍କ ସହ ଜ୍ୟାକି ଶ୍ରଫ ଲଭ ମ୍ୟାରେଜ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଟାଇଗର ଶ୍ରଫ ଏବଂ କୃଷ୍ଣା ଶ୍ରଫ ରହିଛନ୍ତି।