ହାଇଦ୍ରାବାଦ: ୨୦୨୩ର ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ରିଲିଜ ହେବା ଦିନ ଠାରୁ ବକ୍ସ ଅଫିସରେ ଧମାକା କରିଥିଲା । ଫିଲ୍ମ ବିଶ୍ବରେ ୯୦୦ କୋଟି ଏବଂ ଭାରତରେ ୫୫୦କୋଟିରୁ ଅଧିକ କଲେକ୍ସନ କରି ରେକର୍ଡ ସୃଷ୍ଟି କରିଥିଲା । ଏଥିସହ ଫିଲ୍ମ ରିଲିଜ ହେବା ପରେ ବିବାଦରେ ମଧ୍ୟ ଛନ୍ଦି ହୋଇଥିଲା । ପୂର୍ବରୁ ଫିଲ୍ମର ବିଷୟବସ୍ତୁ ଆପତ୍ତିଜନକ ବୋଲି କୁହାଯିବା ସହ ଓଟିଟିରେ ରିଲିଜକୁ ରୋକ ଲଗାଇବାକୁ ଦାବି ହେଉଥିଲା । ଏପରିକି ଫିଲ୍ମ ଓଟିଟି ରିଲିଜ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଆବେଦନ ଦାଖଲ କରାଯାଇଥିଲା । ଅନେକ ବାଦ ବିବାଦ ପରେ ବର୍ତ୍ତମାନ ଓଟିଟିରେ 'ଆନିମଲ' ରିଲିଜ ନେଇ ନିଶ୍ଚିତ କରିଛନ୍ତି ନିର୍ମାତା । ଏହି ଫିଲ୍ମଟି ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ ।
ନେଟଫ୍ଲିକ୍ସ ଗୁରୁବାର ଦିନ ନିଜ ଇନଷ୍ଟାଗ୍ରାମରେ ଏକ କ୍ଲିପ ସେୟାର କରି 'ଆନିମଲ' ଓଟିଟି ରିଲିଜ ନେଇ ସୂଚନା ଦେଇଛନ୍ତି । ଆସନ୍ତାକାଲି ଠାରୁ ଓଟିଟିରେ ଆନିମଲ ଦେଖିପାରିବେ ଦର୍ଶକ । ପ୍ଲାଟଫର୍ମ ଆନିମଲର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ଗଣତନ୍ତ୍ର ଦିବସ ଅବସରରେ (ଜାନୁଆରୀ ୨୬,୨୦୨୪)ରେ ଆନିମଲ ନେଟଫ୍ଲିକ୍ସରେ ରିଲିଜ ହେବାକୁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରସାରିତ ହେବ ।
କହିରଖୁଛୁ କି, ଆନିମଲର ସହ-ନିର୍ମାତାଙ୍କ ମଧ୍ୟରୁ ସିନେ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ ଫିଲ୍ମର ଓଟିଟି ଫ୍ଲାଟଫର୍ମ ରିଲିଜ ଉପରେ ରୋକ ଲଗାଇବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହା ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଫିଲ୍ମ ନିର୍ମାତା ଏବଂ ନେଟଫ୍ଲିକ୍ସକୁ ସମନ ଜାରି କରିଥିଲେ । ବର୍ତ୍ତମାନ ରିପୋର୍ଟ ଅନୁସାରେ, 'ମାମଲା ସମାଧାନ ହୋଇଛି, ଏବଂ ବର୍ତ୍ତମାନ କୌଣସି ସମସ୍ୟା ନାହିଁ । ଫିଲ୍ମଟି ନେଟଫ୍ଲିକ୍ସରେ ଦିଆଯାଇଥିବା ତାରିଖରେ ମୁକ୍ତିଲାଭ କରିବ ।
ଏହା ମଧ୍ୟ ପଢନ୍ତୁ: ଓଟିଟିରେ ରିଲିଜ ହେବନି ଆନିମଲ ! ନିର୍ମାତା-ନେଟଫ୍ଲିକ୍ସକୁ ହାଇକୋର୍ଟଙ୍କ ସମନ
ସୂଚନା ଥାଉ କି, ଆନିମଲ ବଡ ପରଦାରେ ରିଲିଜ ହେବା ପୂର୍ବରୁ ସେନ୍ସର ବୋର୍ଡ ଏହାର ଅନେକ ଦୃଶ୍ୟ କାଟି ଦେଇଥିଲେ । କିନ୍ତୁ ଓଟିଟିରେ ଫିଲ୍ମ ବିନା କୌଣସି ସିନ ହଟାଇ ପୁରା ଫିଲ୍ମ ରିଲିଜ କରିବେ ବୋଲି ନିର୍ମାତା ସୂଚନା ଦେଇଥିଲେ । ଏଭଳି ପରିସ୍ଥିତିରେ ଦର୍ଶକମାନେ ଓଟିଟିରେ ପୁରା ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିଲେ । କିନ୍ତୁ ବର୍ତ୍ତମାନ ଫିଲ୍ମ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ସମାନ ସିନ ସହ ଓଟିଟିରେ ରିଲିଜ କରିବ ବୋଲି କୁହାଯାଉଛି । କାରଣ ଫିଲ୍ମର ସେନ୍ସର ବୋର୍ଡ ଦ୍ବାରା କଟାଯାଇଥିବା ଦୃଶ୍ୟ ଦେଖାଇବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇନାହାଁନ୍ତି । ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା 'ଆନିମଲ' ସମାନ ଦୃଶ୍ୟ ଓଟିଟିରେ ପ୍ରସାରିତ ହେବ ।