ହାଇଦ୍ରାବାଦ: ବଲିଉଡର 'ଦବଙ୍ଗ' କୁହାଯାଉଥିବା ସଲମାନ ଖାନଙ୍କୁ 'ଭାଇଜାନ' ମଧ୍ୟ କୁହାଯାଏ । କେବଳ ଏତିକି ନୁହେଁ, ସଲମାନ ସର୍ବଦା ନିଜର ଉଦାରତା ପାଇଁ ବି ବେଶ ଜଣାଶୁଣା । ବଲିଉଡ ସହ ଜଡିତ ଲୋକ ହୁଅନ୍ତୁ କିମ୍ବା ତାଙ୍କ ଫ୍ୟାନ୍ସ ସେ ସମସ୍ତଙ୍କୁ ସାହାଯ୍ୟ କରିବାକୁ କେବେ ବି ପଛଗୁଞ୍ଜା ଦିଅନ୍ତି ନାହିଁ । ଏହାରି ମଧ୍ୟରେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜଣେ କୁନି ଫ୍ୟାନକୁ ଦେଇଥିବା କଥାକୁ ରଖି ତାଙ୍କୁ ଭେଟିଛନ୍ତି ।
ଜଗନବୀର ନାମକ ତାଙ୍କର ନଅ ବର୍ଷର ପ୍ରଶଂସକଙ୍କୁ ଭେଟିଛନ୍ତି, ଯିଏ ନଅ ଥର କେମୋଥେରାପି ପରେ କର୍କଟ ରୋଗକୁ ହରାଇଛନ୍ତି । ୫ ବର୍ଷ ପରେ କୁନି ଫ୍ୟାନଙ୍କ କଥାକୁ ରଖିଛନ୍ତି ଭାଇଜାନ । ନିକଟରେ ସଲମାନ ଖାନ ମୁମ୍ବାଇ ସ୍ଥିତ ନିଜ ବାସଭବନରେ କୁନି ଫ୍ୟାନ ଜଗନବୀରଙ୍କୁ ଭେଟିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କହିରଖୁଛୁ କି, ଗତ ଗର୍ଷ ଡିସେମ୍ବରରେ ଜଗନବୀର କ୍ୟାନ୍ସରକୁ ହରାଇଥିଲେ । କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସଲମାନ ଖାନ ଏହି ଫ୍ୟାନଙ୍କୁ ଭେଟିଛନ୍ତି ।
ସୂଚନା ଥାଉ କି, ଅଭିନେତା ପ୍ରଥମେ ୨୦୧୮ରେ କୁନି ଫ୍ୟାନଙ୍କୁ ଭେଟିଥିଲେ ଯେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା ଏବଂ ମୁମ୍ବାଇର ଟାଟା ମେମୋରିଆଲ୍ ସେଣ୍ଟରରେ ତାଙ୍କ ଟ୍ୟୁମର ପାଇଁ କେମୋଥେରାପି କରାଯାଇଥିଲା । ଏହି ସମୟରେ ଅଭିନେତା ଜଗନବୀରଙ୍କୁ କର୍କଟ ରୋଗ ସହ ଲଢେଇ କରି ସମ୍ପୂର୍ଣ୍ଣ ଠିକ ହେବା ପରେ ପୁଣି ତୁମକୁ ଭେଟିବି ବୋଲି ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନ କଥା ଦେଇ କଥା ରଖିଛନ୍ତି ଭାଇଜାନ । ଏହି ଫଟୋ ଭାଇରାଲ ପରେ ସଲମାନଙ୍କ ପାଇଁ ଚାରିଆଡୁ ପ୍ରଶଂସା ଛୁଟୁଛି ।
ଏହା ମଧ୍ୟ ପଢନ୍ତୁ: ପୁଣି ସାମ୍ନାକୁ ଆସିଲା ସଲମାନଙ୍କ ଉଦାରତା
ସଲମାନ ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଶେଷ ଥର ପାଇଁ ସଲମାନଙ୍କୁ 'ଟାଇଗର ୩'ରେ ଦେଖିବାକୁ ମିଳିଥିଲା, ଯାହା ମୋଟ ୪୬୬.୬୩ କୋଟି ଟଙ୍କା ଆୟ କରିଥିଲା ଏବଂ ବର୍ତ୍ତମାନ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଛି । ବର୍ତ୍ତମାନ ତାଙ୍କୁ ରିଆଲିଟି ଶୋ' 'ବିଗ୍ ବସ୍ ୧୭' ହୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ କରଣଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ତଥା ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ବୁଲ'ରେ ଦେଖିବାକୁ ମିଳିବ । ଖାନ ବ୍ରିଗେଡିୟର୍ ଫାରୁକ୍ ବୁଲସାରାଙ୍କ ଚରିତ୍ରରେ ଅଭିନୟ କରିବେ, ଯିଏକି ୧୯୮୮ରେ ମାଲଦ୍ବୀପରେ ଅପରେସନ୍ କାକଟସ୍ ନେତୃତ୍ୱ ନେଇଥିଲେ ।