ହାଇଦ୍ରାବାଦ: ୟୁପିଏସସି-2023ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ 780ତମ ରାଙ୍କରେ ରହି ସଫଳତା ହାତେଇଛନ୍ତି ଉଦୟ କ୍ରିଷ୍ଣା ରେଡ୍ଡୀ । ଆଇଏଏସ ପରୀକ୍ଷାରେ ଉତିର୍ଣ୍ଣ ହେବା ପଛରେ ସମସ୍ତ ଛାତ୍ରଛାତ୍ରୀଙ୍କର ଏକ ପ୍ରକାର ସଂଘର୍ଷର କାହାଣୀ ରହିଥାଏ । କିନ୍ତୁ ଆନ୍ଧ୍ରପ୍ରଦେଶର ଉଦୟ କ୍ରିଷ୍ଣା ରେଡ୍ଡୀ ଏବଂ ଉତ୍ତରପ୍ରଦେଶ ବୁଲନ୍ଦର ସହର ପଓ୍ବନ କୁମାର କାହାଣୀ କିଛି ଭିନ୍ନ ରହିଛି । ଏହା ତାଙ୍କ କ୍ୟାରିୟରରେ ସଫଳତା ନୁହେଁ ବରଂ ଅପମାନର ପ୍ରତିଶୋଧ ମଧ୍ୟ । ଉଦୟ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅପମାନର ସାମ୍ନା କରିବା ପରେ ପୋଲିସ ଚାକିରି ଛାଡିଥିଲେ । ଏହା ପରେ ତାଙ୍କ ଜୀବନର ଗୋଟିଏ ମନ୍ତ୍ର ରହିଥିଲା ବରିଷ୍ଠ ଅଧିକାରୀ ହେବା । ଦୀର୍ଘ 6 ବର୍ଷର ସଂଘର୍ଷ ପରେ ସେ ଏହି ସଫଳତା ପାଇପାରିଛନ୍ତି ।
60 ଜଣ ପୋଲିସ କର୍ମଚାରୀଙ୍କ ସାମ୍ନାରେ ଅପମାନିତ ହୋଇ ଛାଡିଥିଲେ ଚାକିରୀ: ସୂଚନା ଅନୁସାରେ, 2013ରୁ 2018 ମସିହା ପର୍ଯ୍ୟନ୍ତ ଉଦୟ କ୍ରିଷ୍ଣା ରେଡ୍ଡୀ ଆନ୍ଧ୍ରପ୍ରଦେଶ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । 2018 ମସିହାରେ ସର୍କଲ ଇନ୍ସପେକ୍ଟର (CI) ପ୍ରାୟ 60 ଜଣ ସହଯୋଗୀଙ୍କ ସାମ୍ନାରେ ଉଦୟଙ୍କୁ ଅପମାନିତ କରିଥିଲେ । ଏହି ଅପମାନ ଦ୍ବାରା ସେ ମାନସିକ ଭାବେ ଦୁର୍ବଳ ହୋଇ ନିଜ ପଦରୁ ଇସ୍ତଫା ଦେଇ ନିଜେ ଜଣେ ଅଫିସର ହେବା ପାଇଁ ସ୍ଥିର କରିଥିଲେ ।
ୟୁପିଏସି ସିଏସଇରେ 780 ରାଙ୍କ: କନଷ୍ଟେବଳ ପଦରୁ ଇସ୍ତଫା ଦେବା ପରେ ଉଦୟ କ୍ରିଷ୍ଣା ରେଡ୍ଡୀ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିଭଳି ଜଣେ ଆଇଏଏସ ଅଧିକାରୀ ହୋଇପାରିବେ ସେ ଉପରେ ସମ୍ପୂର୍ଣ୍ଣ ଫକୋସ କରୁଥିଲେ । ତେବେ ପରିଶ୍ରମର ଫଳ ତାଙ୍କୁ ମିଳିପାରିଛି । UPSC ସିଭିଲ ସର୍ଭିସେସ୍ ପରୀକ୍ଷା 2023 ରେ 780 ତମ ରାଙ୍କରେ ରହିଛନ୍ତି ।
ଛୋଟ ବେଳୁ ମୁଣ୍ଡ ଉପରୁ ଉଠିଥିଲା ପରିବାରର ହାତ: ଉଦୟ କ୍ରିଷ୍ଣା ରେଡ୍ଡୀ ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲ୍ଲାର ସିଙ୍ଗରାୟାକୋଣ୍ଡା ମଣ୍ଡଳର ଉଲାପଲେମ ଗ୍ରାମର ବାସିନ୍ଦା । ତେବେ ପିଲାବେଳୁ ହିଁ ବାପା ମାଆଙ୍କୁ ହାରଇଥିଲେ ଉଦୟ । ଏହାପରେ ଜେଜେମା ତାଙ୍କର ଯତ୍ନ ନେଇଥିଲେ । ତେବେ ବାପା ମା ଆରପାରିକୁ ଚାଲିଯିବା ପରେ 2013 ମସିହାରେ କନଷ୍ଟେବଳ ଚାକିରି ପାଇଥିଲେ । 5 ବର୍ଷର ଚାକିରି ପରେ ସେ ଇସ୍ତଫା ଦେଇଥିଲେ । ଏହାପରେ ନିଜକୁ ଜଣେ ଉଚ୍ଚ ପଦାଧୀଭାବେ ଗଢିବା ପାଇଁ ଚେଷ୍ଟା କରିଥିଲେ । ଚତୁର୍ଥ ପ୍ରୟାସରେ 780 ରାଙ୍କ ହାସଲ କରିବାରେ ସଫଳତା ପାଇଥିଲେ ।
ପଓ୍ବନ କୁମାର: ଅନ୍ୟପଟେ ଯଦି ପଓ୍ବନ କୁମାରଙ୍କ କଥା ଦେଖିବା ତାହେଲେ, ଆର୍ଥିକ ଅନଟନରେ ରହି ମଧ୍ୟ ସେ ହାର ନମାନି ସଂଘର୍ଷ କରି ସଫଳତା ପାଇଛନ୍ତି । ଉଜ୍ବଳା ଯୋଜନା ଅଧିନରେ ତାଙ୍କ ପାଖରେ ଗ୍ୟାସ ସିଲିଣ୍ଡର ରହିଥିଲା, କିନ୍ତୁ ଗ୍ୟାସ ଭରିବା ପାଇଁ ଟଙ୍କା ନଥିଲା । ବାପା ଏବଂ ଭଉଣୀମାନେ ଶ୍ରମିକ ଭାବରେ କାର୍ଯ୍ୟ କରି ପଓ୍ବନଙ୍କ ପାଠ ପଢିବା ଖର୍ଚ୍ଚ ବହନ କରୁଥିଲେ । ଆଇଏଏସ ପରୀକ୍ଷାରେ ସାହାଯ୍ୟ ପାଇବା ପାଇଁ ମାତ୍ର 3200 ଟଙ୍କା ଦେଇ ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିଥିଲେ । ରଘୁନାଥପୁର ଗ୍ରାମ ନିବାସୀ ମୁକେଶ କୁମାରଙ୍କ ପୁତ୍ର ହେଉଛନ୍ତି ପଓ୍ବନ । ପୁଅର ସଫଳତା ଉପରେ ପରିବାରରେ ଉତ୍ସବର ପରିବେଶ ରହିଛି । ପଓ୍ବନ ରହୁଥିବା ଘରେ ନାଁ ମୁଣ୍ଡ ଉପରେ ଛାତ ଅଛି ନା 24 ଘଣ୍ଟିଆ ବିଦ୍ୟୁତ ଯୋଗାଣ ରହିଛି । ପଲିଥିନ ବେଢା ଛାତରେ ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢି ସଫଳତା ପାଇଛନ୍ତି । ସେ ନବମରୁ ଦ୍ବାଦଶ ଯାଏଁ ନବୋଦୟରେ ପଢିଥିଲେ । ଏହା ପରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଭୂଗୋଳ ଏବଂ ରାଜନୀତିରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ମୁଖାର୍ଜୀ ନାଗରରେ ଅବସ୍ଥିତ ଏକ କୋଚିଂ ସେଣ୍ଟରରେ ପ୍ରସ୍ତୁତ ହୋଇଥିଲେ । ତେବେ ତୃତୀୟ ଆଟେମ୍ଟ ପରେ 24 ବର୍ଷ ବୟସରେ ସେ ସଫଳତା ପାଇଛନ୍ତି । ତେବେ ସେ ପାର୍ଟ ଟାଇମ ଚାକିରୀ କରି ପାଠ ପଢୁଥିଲେ ।