ନୂଆଦିଲ୍ଲୀ: ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟି ସରକାରୀ ତଥା ଜବରଦଖଲ ଜମିରେ ପାର୍ଟିର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ କରିଛି । ତେବେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଆମ ଆଦମୀ ପାର୍ଟିକୁ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି । ଆଜି ସର୍ବୋଚ୍ଚକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ଜୁନ 15 ତାରିଖ ସୁଦ୍ଧା ଏହି ବିଲ୍ଡିଂ ଖାଲି କରିବାକୁ କୋର୍ଟ ‘ଆପ’କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟିକୁ ସ୍ବଳ୍ପକାଳୀନ ପରିବର୍ତ୍ତେ କୋର୍ଟରୁ ଅଧିକ ସମୟର ମହଲତ ମିଳିଛି ।
ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ 3ଜଣିଆ ଖଣ୍ଡପୀଠରେ ହୋଇଥିଲା । ଏହି ଜବରଦଖଲ ଜମିରେ କୌଣସି ନିର୍ମାଣ କିମ୍ବା ଅନ୍ୟ କୌଣସି କାମ କରିବାକୁ କାହାକୁ ଅନୁମତି ଦିଆଯାଇ ପାରିବନାହିଁ ବୋଲି କୋର୍ଟ କହିଛନ୍ତି । ଅଭିଯୋଗ ଅନୁସାରେ, ଦିଲ୍ଲୀରେ ଥିବା ଆମ ଆଦମୀ ପାର୍ଟିର ମୁଖ୍ୟାଳୟ ଥିବା ଜମି ହାଇକୋର୍ଟ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆଲର୍ଟ ହୋଇଥିଲା । ହେଲେ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଏହି ଜମିରେ ଆପ୍ ଅଫିସ ଏବେ କାର୍ଯ୍ୟକ୍ଷମ ରହିଛି । ଫେବୃଆରୀରେ ଏହି ମାମଲାରେ କୋର୍ଟ ଶୁଣାଣି କରି ଏହି ଅଫିସ ସରକାରୀ ଜମିରେ ନିର୍ମାଣ ହୋଇଥିବା ଆବେଦନକାରୀଙ୍କ ଦ୍ବାରା ଅବଗତ ହୋଇଥିଲେ ।
ସାଧାରଣ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏକାଧିକ ବିବାଦରେ ଛନ୍ଦି ହୋଇରହିଛି । ଦଳର ଏକାଧିକ ନେତାଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ଏବେ ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ଅଛନ୍ତି । ଅନ୍ୟ କିଛି ମାମଲାରେ ମଧ୍ୟ ଉପରାଜ୍ୟପାଳ ଓ ଆମ ଆଦମୀ ପାର୍ଟି ସରକାର ମଧ୍ୟରେ ଆଇନଗତ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆପ ଏବେ ଦିଲ୍ଲୀରେ କଂଗ୍ରେସ ସହ ଆସନ ବୁଝାମଣାରେ ନିର୍ବାଚନ ଲଢିବାକୁ ଯାଉଛି । ଶାସନରେ ଥିବା ଆମ ଆଦମୀ ପାର୍ଟି 4ଟି ଆସନରେ ଓ କଂଗ୍ରେସ 3 ଆସନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିର୍ବାଚନୀ ବ୍ୟସ୍ତତା ମଧ୍ୟରେ କେଜ୍ରିଓ୍ବାଲଙ୍କୁ କେନ୍ଦ୍ରୀୟ ସଂସ୍ଥା ବାରମ୍ବାର ସମନ କରିବାରେ ଲାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ