ଭୋପାଳ: ବିଭିନ୍ନ କାରଣରୁ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଜାରି ରହିଥିବା ଚିତା ମଡକ ମଧ୍ୟରେ ଆଜି ଏକ ଖୁସି ଖବର ସାମ୍ନାକୁ ଆସିଛି । ଏକାକାଳୀନ ଜନ୍ମ ନେଇଛନ୍ତି 5ଚିତା ଶାବକ । ଆଫ୍ରିକୀୟ ଚିତା ଗାମିନି ଆଜି ଏହି 5 ଶାବକଙ୍କୁ ଜନ୍ମ ଦେଇଛି । ଏ ସମ୍ପର୍କରେ ନିଜେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ‘ଏକ୍ସ’ରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆଜି ଜନ୍ମ ନେଇଥିବା ନୂଆ ଶାବକଙ୍କୁ ମିଶାଇ ଜାତୀୟ ଉଦ୍ୟାନରେ ଚିତା ଶାବକଙ୍କ ସଂଖ୍ୟା 13କୁ ବୃଦ୍ଧି ପାଇଛି ।
କେନ୍ଦ୍ର ସରକାର ଚିତା ପ୍ରକଳ୍ପ ଆରମ୍ଭ କରି ଦୀର୍ଘ 70ବର୍ଷ ପରେ ଆଫ୍ରିକୀୟ ଦେଶ ନାମ୍ବିଆରୁ ପ୍ରଥମ ପର୍ଯ୍ୟାୟରେ 8ଟି ଚିତା ଆଣିଥିଲେ । ଗତବର୍ଷ ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ ଛାଡିଥିଲେ । ଏଥିପାଇଁ ଅନେକ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ପରେ ଅନ୍ୟ ଆଫ୍ରିକୀୟ ଦେଶରୁ ମଧ୍ୟ କିଛି ଚିତା ଅଣାଯାଇଥିଲା । ହେଲେ ଭାରତୀୟ ଜଳବାୟୁରେ ଖାପ ଖୁଆଇ ନପାରିବା ଓ ସଂକ୍ରମଣ ପରି କାରଣରୁ ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଥିଲା । ଏହି ମୃତ୍ୟୁରେ ରୋକ ଲଗାଇବା ପାଇଁ ସରକାର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଦ୍ବାରା ଟିମ ଗଠନ କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଥିଲେ । ଏବେ ସୁଦ୍ଧା ଏକାଧିକ ଚିତା ଓ ନବଜାତ ଶାବକଙ୍କ ମୃତ୍ୟୁ ହୋଇସାରିଛି । ଆଜି 5 ବର୍ଷୀୟା ଚିତା ଗାମିନି 5 ଶାବକଙ୍କୁ ଜନ୍ମ ଦେବା ପରେ ଶାବକ ସଂଖ୍ୟା 13 ଓ ମୋଟ ଚିତା ସଂଖ୍ୟା 26ରେ ପହଞ୍ଚିଛି ।
ଏହା ମଧ୍ୟ ପଢନ୍ତୁ :- 15 ସୁଦ୍ଧା 2 ନିର୍ବାଚନ କମିଶନରଙ୍କ ନିଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଖୁବଶୀଘ୍ର ବୈଠକ
70 ବର୍ଷ ପୂର୍ବେ ଶେଷଥର ପାଇଁ ଭାରତୀୟ ଜଙ୍ଗଲରେ ଚିତା ଦେଖାଯାଇଥିଲେ । ହେଲେ ଏହା ପରେ କୌଣସି ଜଙ୍ଗଲରେ ଚିତା ମିଳିନଥିଲେ । ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ଭାରତରେ ଚିତାକୁ ଏକ ବିଲୁପ୍ତ ପ୍ରାଣୀ ଭାବେ ଘୋଷଣା କରିଥିଲେ । ଗତବର୍ଷ ଭାରତ ସରକାର ପୁଣି ଥରେ ଦେଶରେ ଚିତା ବଂଶବୃଦ୍ଧି ପାଇଁ ଦ୍ବିପାକ୍ଷିକ ପ୍ରକଳ୍ପ ଆରମ୍ଭ କରିଥିଲେ । ଆଫ୍ରିକୀୟ ଦେଶରୁ ଚିତା ଆଣି ଭାରତୀୟ ଜଙ୍ଗଲରେ ଛଡାଯାଇଥିଲା । ଭୌଗଳିକ ଅବସ୍ଥିତି ଓ ଜଳବାୟୁ ସହ ଅନ୍ୟ କାରଣରୁ ଏହି ଆଫ୍ରକୀୟ ବିଗକ୍ୟାଟଙ୍କ ପାଇଁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଚୟନ କରାଯାଇଥିଲା । ଏବେ ଏଠାରେ ଚିତା ବଂଶ ବୃଦ୍ଧି ପାଇବା ପରିବେଶ ଓ ପଶୁପ୍ରେମୀଙ୍କ ପାଇଁ ଖୁସିର ବିଷୟ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ