ନୂଆଦିଲ୍ଲୀ: ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଇଏମଏ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ସୁପ୍ରିମକୋର୍ଟରେ ଆଜି ହାଜର ପାଇଁ କୁହାଯାଇଥିବା ବେଳେ ହାଜର ହୋଇଥିଲେ ବାବା ରାମଦେବ ଏବଂ ଆଚର୍ଯ୍ୟ ବାଳକୃଷ୍ଣ । ସୁପ୍ରିମକୋର୍ଟରେ ଆଜି ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି । କୋର୍ଟ ଏହି ମାମଲାର ଶୁଣାଣି କରିବା ସମୟରେ ଆଫିଡେବିଟ୍ ନେଇ ପ୍ରଶ୍ନ କରିଥିଲେ ।
ସୂଚନା ଅନୁସାରେ, ଜଷ୍ଟିସ ହିମା କୋହଲା ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଛି । କୋର୍ଟ ଏହି ଆଫିଡେବିଟ ବିଷୟରେ କହିବା ମାତ୍ରେ ହିଁ ଦୁହେଁ ନିସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ । ତେବେ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି, ଏହା କୋର୍ଟର କାର୍ଯ୍ୟ । ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ତେବେ ଉଭୟଙ୍କ କ୍ଷମାକୁ ପ୍ରତ୍ୟାଖାନ କରିଛନ୍ତି କୋର୍ଟ ।
ଶୁଣାଣି ସମୟରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି, "ଆପଣଙ୍କ ମିଡିଆ ବିଭାଗ ଆପଣଙ୍କ ଠାରୁ ଆଦୌ ଭିନ୍ନ ନୁହେଁ । ଯେତେବେଳେ ଆପଣ ଏହା କଲେ ଆପଣ କଣ ଭାବୁଥିଲେ । ଗତ ବର୍ଷ ନଭେମ୍ବରରେ ମଧ୍ୟ ଆପଣଙ୍କୁ ଚେତାବନୀ ଦିଆଯାଇଥିଲା । ଏହାକୁ ଅଣଦେଖା କରି ଆପଣ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଦୁଇଟି ଆଫିଡେଭିଟ୍ ଦାଖଲ କରିବାକୁ କୁହାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କେବଳ ଗୋଟିଏ ଆଫିଡେଭିଟ୍ ଦାଖଲ କରାଯାଇଛି । ଆପଣ ଏହି ନିୟମକୁ କିପରି ବିରୋଧ କରିଛନ୍ତି । ବର୍ତ୍ତମାନ ଆପଣ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଉଚିତ୍ । ଆପଣ କାହା ସହିତ କେଉଁ ପ୍ରକାରର ଯୋଗାଯୋଗ କରିଛନ୍ତି, ଆପଣଙ୍କୁ ଏଥିପାଇଁ ଉତ୍ତର ଦେବାକୁ ପଡିବ ।"
କ୍ଷମା ମାଗିଲେ ବାବା: ତେବେ ପତଞ୍ଜଳି ପକ୍ଷରୁ କୋର୍ଟକୁ କୁହାଯାଇଛି, "ଆମେ ଭୁଲ କରିଛୁ ।" ତେବେ ଅବମାମନା ପାଇଁ ଉତ୍ତର ଦେବା ପାଇଁ କହିଛନ୍ତି କୋର୍ଟ । ପତଞ୍ଜଳି ପକ୍ଷରୁ ଓକିଲ କହିଛନ୍ତି, ଆମେ ଆମ ସହିତ କ୍ଷମାପତ୍ର ମଧ୍ୟ ଆଣିଛୁ । କୋର୍ଟ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି । କୋର୍ଟର କଠୋର ଆଭିମୁଖ୍ୟ ପରେ ପତଞ୍ଜଳିରୁ କ୍ଷମା ପ୍ରାର୍ଥନା କରାଯାଇଥିଲା । ବାବା ରାମଦେବ ମଧ୍ୟ କୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।