ବେଙ୍ଗାଲୁରୁ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ସର୍ବୋଚ୍ଚକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ଗତକାଲି (ମଙ୍ଗଳବାର) ସୁପ୍ରିମକୋର୍ଟ ତାଙ୍କ ବିରୋଧରେ 2018 ରୁ ଚାଲିଆସିଥିବା ଅର୍ଥ ହେରଫେର ମାମଲାକୁ ଖାରଜ କରିଦେଇଛନ୍ତି । ଗତକାଲି ଏହି ମାମଲାର ଶୁଣାଣି ସର୍ବୋଚ୍ଚକୋର୍ଟର ବିଚାରପତି ଜଷ୍ଟିସ ସୁର୍ଯ୍ୟକାନ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଶୁଣାଣିରେ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ଶିବକୁମାରଙ୍କ ପକ୍ଷରୁ ମାମଲା ଲଢିଥିଲେ । ଆବେଦନକାରୀଙ୍କ ତର୍କ ଶୁଣିବା ପରେ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି । କେନ୍ଦ୍ରୀୟ ସଂସ୍ଥା ତଦନ୍ତ ପରିସରରେ ଥିବା ଶିବକୁମାର ଏବେ ବଡ ଆଶ୍ବସ୍ତି ପାଇଛନ୍ତି ।
ସର୍ବୋଚ୍ଚ ଅଦାଲତରେ ଶିବକୁମାରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଦର୍ଶାଯାଇଛି, “ଆବେଦନକାରୀ ଅନଧିକୃତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ-2002 ର ଧାରା- 3 ଅନୁଯାୟୀ ମିଥ୍ୟା ମାମଲା ଦାଏର ହୋଇଛି । ଆୟକର ବିଭାଗ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିପାରିବ ନାହିଁ । ଏହା ବେଆଇନ । ଏହାକୁ ରଦ୍ଦ କରାଯିବା ଉଚିତ ।’’
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2018 ମସିହାରେ ଏହି ମାମଲା ଦାଏର ହେବା ପରେ ଶିବକୁମାର 2019 ରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ବେଲରେ ଆସିଥିଲେ । ସେତେବେଳେ ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ ଶିବକୁମାର ଓ ତାଙ୍କ ଦଳ କଂଗ୍ରେସ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଶାସନକୁ ଆସିବା ପରେ ଡି.କେ ମୁଖ୍ୟମନ୍ତ୍ରୀ ରେସରେ ଥିଲେ ।
ଏହା ମଧ୍ୟ ପଢନ୍ତୁ :- ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ
ହେଲେ ତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ଜାରି ରହିଥିବାରୁ କୌଣସି ମୁହୂର୍ତ୍ତରେ ସେ କାର୍ଯ୍ୟାନୁଷ୍ଠାନ ପରିଧିକୁ ଆସିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତାଙ୍କୁ ଗିରଫ କରିବ ବୋଲି କଂଗ୍ରେସ କ୍ୟାମ୍ପରେ ଆଲୋଚନା ହୋଇଥିଲା । ଶିବକୁମାର ମଧ୍ୟ ପରେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ମୁଖ୍ଯମନ୍ତ୍ରୀ ବଦଳରେ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଏହି କାରଣରୁ ଶିବ କୁମାର ରାଜି ହୋଇଥିବା ମଧ୍ୟ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏବେ ଏହି ମାମଲାରେ ସେ କ୍ଲିନଚିଟ ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ