ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଆସନରେ ବସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିନ । 66 ବର୍ଷରେ ପଦାର୍ପଣ କରିଛନ୍ତି ଦେଶର 15ତମ ରାଷ୍ଟ୍ରପତି । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦିନ ଆରମ୍ଭ କରିଛନ୍ତି । ଆଜି ସକାଳ ସମୟରେ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଦେଶବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ ଓ ପୂଜାର୍ଚ୍ଚନା କରିଥିଲେ । ଏନେଇ ରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରାଯାଇଛି । ଯେଉଁଥିରେ ସେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।
କ୍ୟାପସନରେ ଉଲ୍ଲେଖ ରହିଛି ଯେ, ଆଜି ଦିଲ୍ଲୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ଦେଶବାସୀଙ୍କ କଲ୍ୟାଣ ଏବଂ ଦେଶ ପ୍ରଗତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି । ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ଉଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ରାଷ୍ଟ୍ରପତି ।
ଜନ୍ମଦିନରେ ଶୁଭେଚ୍ଛା: ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ବିଟ କରି ଲେଖିଛନ୍ତି, ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ଦେଶ ପ୍ରତି ତାଙ୍କର ସେବା ଏବଂ ଉତ୍ସର୍ଗୀକୃତତା ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଗରିବଙ୍କ ସେବାପ୍ରତି ଆପଣଙ୍କ ଇଚ୍ଛା ଓ ଗୁରୁତ୍ବ ଏକ ଦୃଢ ମାର୍ଗଦର୍ଶନ । ଆପଣଙ୍କ ଜୀବନ ଯାତ୍ରା କୋଟି କୋଟି ଲୋକଙ୍କ ମନରେ ଆଶା ସଞ୍ଚାର କରିଛି । ନିରନ୍ତର ଉଦ୍ୟମ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତ ସର୍ବଦା କୃତଜ୍ଞ ରହିବ । ଆପଣଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।''
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି, ''ଓଡ଼ିଆଙ୍କ ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନର ଶୁଭେଚ୍ଛା ସହ ହାର୍ଦ୍ଦିକ ଅଭିନନ୍ଦନ । ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି । ''
ଏହା ମଧ୍ୟ ପଢନ୍ତୁ-President Murmu In Odisha: ଜନ୍ମମାଟି ମୟୂରଭଞ୍ଜରେ ରାଷ୍ଟ୍ରପତି
କ୍ଲାସ ମନିଟରରୁ ରାଷ୍ଟ୍ରପତି: 1985 ମସିହା ଜୁନ 20 ତାରିଖରେ ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କ ବାପା ବିରଞ୍ଚି ନାରାୟଣ ମୁର୍ମୁ ଓ ମାଆ ସିନାଗୋ ଟୁଡୁ । ଶ୍ରେଣୀରେ ମନିଟର ଥିବା ଝିଅଟିଏ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ରହିଛନ୍ତି ତାହା କାହାକୁ ବା ଜଣାଥିଲା । 2022 ଜୁଲାଇ 25ରେ ମହାମହିମ ମୁକୁଟ ମଣ୍ଡନ କରିଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଶ୍ରେଣୀରେ ମନିଟର ଥିବା ଝିଅଟିଏ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ରହିଛନ୍ତି ।
ଶିକ୍ଷୟିତ୍ରୀରୁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ: 1997ରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ଦ୍ରୌପଦୀ ମୁର୍ମୁ । ରମାଦେବୀ ମହାବିଦ୍ୟାଳୟରୁ ଗ୍ରାଜୁଏସନ ପରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । କିଛି ଦିନ ଶିକ୍ଷାଦାନ ପରେ 1997ରେ ପୌର ନିର୍ବାଚନରେ ରାଇରଙ୍ଗପୁର ଏନଏସି ପାଇଁ ୱାର୍ଡମେମ୍ବର ଭାବେ ବିଜୟୀ ହୋଇଥିଲେ । ପରେ ପୌର ଉପାଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଥିଲେ । ମୟୂରଭଞ୍ଜ ରାଇରଙ୍ଗପୁରରୁ ପ୍ରଥମେ 2000 ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ 2004 ମସିହାରେ ବିଜୟୀ ହୋଇ 2009 ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ଭାବେ କାମ କରିଥିଲେ । 2007 ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ଦ୍ରୌପଦୀ ମୁର୍ମୁ 6 ମାର୍ଚ୍ଚ 2000ରୁ 2002 ଅଗଷ୍ଟ ଯାଏଁ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି-ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ପରେ 2002ରୁ 2004 ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ହୋଇଥିଲେ । ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ମେ’ 2015 ରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇ ସଫଳତାର ସହ ନିଜ କାର୍ଯ୍ୟକାଳ ଶେଷ କରିଥିଲେ । ଏହାସହ ସେ ଝାଡଖଣ୍ଡର ପ୍ରଥମ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୂର୍ଣ୍ଣ କରିଥିଲେ । 2021ଠାରୁ ଦ୍ରୌପଦୀ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିଲେ ।
ରାଇରଙ୍ଗପୁରରୁ ରାଇସିନା ଯାତ୍ରା ସହଜ ନଥିଲା । ଦାରିଦ୍ର୍ୟ ଆଉ ସଂଘର୍ଷପୂର୍ଣ୍ଣ ଜୀବନ ଦୁଃଖକୁ ଚାପି ଲୁହକୁ ପିଇ ପଙ୍କରୁ ପଦନ୍ମ ହୋଇ ଫୁଟିଥିଲେ ଦ୍ରୌପଦୀ ମୁର୍ମୁ । ୱାର୍ଡ କାଉନସିଲର, ମନ୍ତ୍ରୀ, ଜଣେ ଶିକ୍ଷୟତ୍ରୀ, ରାଜ୍ୟପାଳ ହେବା ପରେ ଆଜି ଭାରତବର୍ଷର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସଂଘର୍ଷମୟ ଜୀବନ ଆଜି ଅନେକଙ୍କ ପାଇଁ ପ୍ରେରଣା । ଆଜି ରାଇରଙ୍ଗପୁରରୁ ରାଇସିନା ଯାତ୍ରାରେ ସେ ସର୍ବୋଚ୍ଚ ଶିଖରରେ ପହଞ୍ଚି ସାରିଛନ୍ତି ।