ଭୋପାଳ: ମଧ୍ୟ ପ୍ରଦେଶ ମୋରେନା ଜିଲ୍ଲାରେ ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡି ମାରିଦେବାକୁ ଉଦ୍ୟମ ହୋଇଛି । ପୀଡିତା ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ପ୍ରାୟ 70 ପ୍ରତିଶତ ପୋଡି ଯାଇଛି । ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ପୀଡିତାଙ୍କ ସ୍ବାମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଏହି ମାମଲାରେ ମହିଳା ଜଣକ ଅପରପକ୍ଷ ସହ ବୁଝାମଣା କରିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମର ଶିକାର ହୋଇଛନ୍ତି । ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ପୀଡିତାଙ୍କ ସ୍ବାମୀଙ୍କ ନାମରେ ପୂର୍ବରୁ ସ୍ଥାନୀୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ମହିଳାଙ୍କ ସ୍ବାମୀଙ୍କର ନିକଟବର୍ତ୍ତୀ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ବ୍ୟକ୍ତିଜଣକ କିଛି ଦିନ ଯୁବତୀଙ୍କ ସହ ରହିଥିଲେ ମଧ୍ୟ । ପରେ ସମ୍ପୃକ୍ତ ଯୁବତୀ ବାରମ୍ବାର ପୀଡିତାଙ୍କ ସ୍ବାମୀଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ । ହେଲେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ମନା କରିବା ପରେ ଯୁବତୀ ସ୍ଥାନୀୟ ଥାନାରେ ଏକ ଦୁଷ୍କର୍ମ ମାମଲା ଦାଏର କରିଥିଲେ । ପୀଡିତାଙ୍କ ସ୍ବାମୀ ଏହି ମାମଲାରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ନିକଟରେ ସେ ବେଲରେ ଫେରିଥିଲେ । ଏହି ମାମଲାରେ ଯୁବକଙ୍କ ପରିବାର ଆପୋଷ ବୁଝାମଣା ମଧ୍ୟ ଚାହୁଥିଲେ । ଏହି ମାମଲାରେ ବୁଝାମଣା ପାଇଁ ଯୁବକଙ୍କ ଗର୍ଭବତୀ ପତ୍ନୀ ନିକଟସ୍ଥ ଗ୍ରାମକୁ ଯାଇଥିଲେ । ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ପୋଡି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ତାଙ୍କ ସ୍ବାମୀ ଅଭିଯୋଗ ଆଣିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !
ତେବେ ପୀଡିତାଙ୍କ ସ୍ବାମୀଙ୍କ ଅଭିଯୋଗ ଅନୁସାରେ, ଏହି ମାମଲାରେ ପାଖ ଗ୍ରାମର ପ୍ରାୟ 6 ଜଣ ଅଭିଯୁକ୍ତ ସାମିଲ । ସେମାନେ ଗଣଦୁଷ୍କର୍ମ କରିବା ପରେ ମହିଳାଙ୍କୁ ପୋଡି ମାରିଦେବା ପାଇଁ ପେଟ୍ରୋଲ ଢାଳି ନିଆ ଲଗାଇ ଦେଇଥିଲେ । ଏଥିରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଏବେ ଗମ୍ଭୀର ରହିଛି । ପୋଲିସ ପୀଡିତାଙ୍କ ସ୍ବାମୀଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ଗିରଫଦାରୀ ନେଇ କୌଣସି ସୂଚନା ମିଳିନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ