ଥିମ୍ପୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର)ଠୁ 2 ଦିନିଆ ପଡ଼ୋଶୀ ଦେଶ ଭୁଟାନ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ମୋଦିଙ୍କୁ ଭୁଟାନରେ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ତାଙ୍କୁ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଦି ଅର୍ଡର ଅଫ ଦ୍ରୁକ୍ ଗ୍ୟାଲପୋ'ରେ ସମ୍ମାନିତ କରାଯାଇଛି । ଭାରତ-ଭୁଟାନ ଦ୍ବିପାକ୍ଷିକ ସମ୍ପର୍କର ଅଭିବୃଦ୍ଧି ଓ ଭୁଟାନବାସୀଙ୍କ ଲାଗି ଯୋଗାଇଥିବା ଉଲ୍ଲେଖନୀୟ ସେବା ଲାଗି ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ।
ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, "ଏହି ସମ୍ମାନ ମୋର ବ୍ୟକ୍ତିଗତ ସମ୍ମାନ ନୁହେଁ । ଏହା ଭାରତ ଓ 140 କୋଟି ଭାରତୀୟଙ୍କ ସମ୍ମାନ । ଭୁଟାନର ଏହି ମହାନ ଭୂମିରେ ସମସ୍ତ ଭାରତୀୟଙ୍କ ତରଫରୁ ଏହି ସମ୍ମାନକୁ ମୁଁ ବିନମ୍ରତାର ସହିତ ସ୍ବୀକାର କରୁଛି ।" ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ଟେଣ୍ଡ୍ରେଲଥାଙ୍ଗ ଫେଷ୍ଟିଭାଲ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ଜନତାଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ, " ଜଣେ ଭାରତୀୟ ଭାବେ ଆଜି ମୋ ଜୀବନର ବହୁତ ବଡ଼ ଦିନ । ଆପଣ ମୋତେ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ । ସମସ୍ତ ପୁରସ୍କାର ସ୍ବତନ୍ତ୍ର । ହେଲେ ଯେତେବେଳେ ଅନ୍ୟ ଦେଶରୁ ପୁରସ୍କାର ମିଳେ, ସେତେବେଳେ ଭରସା ମଜଭୁତ ହୁଏ । ଆମ ଦୁଇ ଦେଶ ସଠିକ ଦିଗରେ ଅଗ୍ରସର ହେଉଛୁ ।"
ଭାରତ-ଭୁଟାନ ସମ୍ପର୍କ ପୁରାତନ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଥିଲେ ଯେ ଭାରତ ଓ ଭୁଟାନର ସମ୍ପର୍କ ବହୁ ପୁରାତନ । ଯେତେବେଳେ ସେ 2014ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, ଏହାପରେ ସେ ପ୍ରଥମ ବିଦେଶ ଯାତ୍ରା ଭାବେ ଭୁଟାନକୁ ଆସିଥିଲେ। ଆଉ ସେହି ସମୟରେ ତାଙ୍କୁ ଭୁଟାନରେ ଯେପରି ଭାବରେ ସ୍ବାଗତ କରାଯାଇଥିଲା, ଏହା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କର୍ତ୍ତବ୍ୟ ଯାତ୍ରାକୁ ଅତି ସ୍ମରଣୀୟ କରିଦେଇଥିଲା ବୋଲି ମୋଦି କହିଛନ୍ତି । ଭାରତ ଓ ଭୁଟାନର ଯୁବପିଢିଙ୍କ ଆକାଂକ୍ଷା ପ୍ରାୟ ସମାନ । ଭାରତ ଆସନ୍ତା 2047 ସୁଦ୍ଧା ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ରଖିଛି । ସେପଟେ ଭୁଟାନ ମଧ୍ୟ 2034 ସୁଦ୍ଧା ଉଚ୍ଚ ଆୟକାରୀ ଦେଶ ହେବାକୁ ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟ ହାସଲ କରି ଭୁଟାନ ସହିତ ସର୍ବଦା ଭାରତ ରହିଥିବା ମୋଦି କହିଛନ୍ତି ।
ଏହା ବି ପଢନ୍ତୁ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାପୁଆ ନ୍ୟୁଗିନି ସର୍ବୋଚ୍ଚ ନାଗରିକ ସମ୍ମାନ
ଭୁଟାନରୁ ମିଳିଥିବା ସହଯୋଗକୁ ନେଇ ମୋଦି କହିଛନ୍ତି, "ଆମେ ସହଯୋଗ ସହିତ ପରସ୍ପରର ସଫଳତାକୁ ମଧ୍ୟ ସେଲିବ୍ରେଟ କରିଥାଉ । ଯେତେବେଳେ ଭାରତର ମୁନ୍ ମିଶନ ସଫଳ ହୋଇଥିଲା, ସେତେବେଳେ ଭାରତୀୟଙ୍କ ସମେତ ଭୁଟାନବାସୀ ମଧ୍ୟ ସେତିକି ଖୁସିବ୍ୟକ୍ତ କରିଥିଲେ । ଭାରତ ଦ୍ରୁତ ଗତିରେ ପ୍ରଗତି କରୁଥିବା ବେଳେ ଏବେ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତିରେ ପହଞ୍ଚିଛି । ଆଗାମୀ ଦିନରେ ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ଏହି ଯାତ୍ରାରେ ଭୁଟାନର ଏକ ମଜଭୁତ ସହଭାଗିତା ରହିଛି ।"
ସୂଚନା ଥାଉ କି ପୂର୍ବରୁ 2020 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ ସରକାରଙ୍କ ଦ୍ବାରା 'ଲିଜିଅନ ଅଫ ମେରିଟ୍' ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ 2019ରେ ଋଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ 'ଦି ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ'ରେ ମଧ୍ୟ ସମ୍ମାନିତ ହୋଇଥିଲେ ।