ଡେରାଡୁନ: ଉତ୍ତରାଖଣ୍ଡରେ ଅସୁରକ୍ଷିତ ମହିଳା । ବିଳମ୍ବିତ ରାତିରେ ବିଚ୍ ରାସ୍ତାରେ ଗଣମାଧ୍ୟମ ଉପସ୍ଥାପିକାଙ୍କୁ ଅସଦାଚରଣ । ମହିଳା ଉପସ୍ଥାପିକା ଓ ତାଙ୍କ ଉଭଣୀଙ୍କୁ ମାଡ ମାରିବା ସହ ଡ୍ରେସ ଚିରି ଦେଲେ ଯୁବକ । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ ହରିଦ୍ବାରର ବାଗୱାଲାରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି ।
ସୂଚନାନୁସାରେ, ରବିବାର ରାତିରେ ନ୍ୟୁଜ୍ ଚ୍ୟାନେଲର ମହିଳା ଆଙ୍କର କାମ ସାରି ତାଙ୍କ ଭଉଣୀଙ୍କ ସହ କାର ଯୋଗେ ରୁଡକି ଯାଉଥିଲେ । ଏହି ସମୟରେ ଦୁଇ ମଦ୍ୟପ ଯୁବକ ବାଇକ୍ ଯୋଗେ ତାଙ୍କୁ ରାସ୍ତାରେ ପିଛା କରିଥିଲେ । ହଠାତ ଅମାନତଗଡ ଗ୍ରାମ ନିକଟ ରାଜପଥରେ ଆଙ୍କରଙ୍କ କାର ଆଗରେ ଦୁଇ ଯୁବକ ବାଇକ ରଖି ଦେଇଥିଲେ । ଏହାପରେ ମହିଳା ଆଙ୍କର ଜଣଙ୍କ କାର ରଖିବା ପରେ ଅଭିଯୁକ୍ତ ତାଙ୍କୁ ଅସଦାଚାରଣ କରିବା ଆରମ୍ଭ କରିଥିଲେ । ବାରଣ କରିବାରୁ ଆଙ୍କର ଓ ତାଙ୍କ ଉଭଣୀଙ୍କୁ ମାଡ ମାରିବା ସହ ଡ୍ରେସ ଚିରି ଦେଇଥିଲେ ଅଭିଯୁକ୍ତ । ପରେ କାରର କାଚ ଭାଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ମହିଳା ଆଙ୍କର ଜଣଙ୍କ ବାଗୱାଲା ପୋଲିସ ଷ୍ଟେସନ ଚେକ୍ ପୋଷ୍ଟରେ ପୋଲିସକୁ ସୂଚନା ଦେଇଥିଲେ ।
ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତାକୁ ପଚରାଉଚରା ପରେ ସୋମବାର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଇସମାଇଲପୁର ଗାଁର ଅର୍ଜୁନ ଏବଂ ଶିବମ ବୋଲି ଜଣାପଡ଼ିଛି । ବଗୱାଲା ପୋଲିସ ଷ୍ଟେସନର ଇନ୍ସପେକ୍ଟର ମନୋଜ ଶର୍ମା କହିଛନ୍ତି, "ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ଜେଲ ପଠାଯାଇଛି । ରବିବାର ରାତିରେ ଏକ ନ୍ୟୁଜ ଚ୍ୟାନେଲର କାର୍ଯ୍ୟରତ ଜଣେ ଆଙ୍କର ଫୋନ ଯୋଗେ ଅସଦାଚରଣ ହୋଇଥିବା ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜିଥିଲା । ସେହିଦିନ ଜଣଙ୍କୁ ଗରିଫ କରାଯାଇଥିବା ବେଳେ ଘଟଣାର ପରଦିନ ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ