ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଫର ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT)ର ରାଜନୀତି ବିଜ୍ଞାନରେ ପରିବର୍ତ୍ତନ । ଆଉ ଛାତ୍ରଛାତ୍ରୀ ପଢିବେନି ବାବରି ମସଜିଦ, ଗୁଜୁରାଟ ଦଙ୍ଗା ଓ ସଂଖ୍ୟାଲଘୁଙ୍କ ସହ ଜଡ଼ିତ କିଛି ବିଷୟ । ସିଲାବସରେ ଏହି ପରିବର୍ତ୍ତନ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ରାଜନୀତି ବିଜ୍ଞାନ ପାଠ୍ୟ ପୁସ୍ତକରେ କରାଯାଇଛି । ନୂଆ ଶିକ୍ଷାବର୍ଷ 2024-25ରୁ ଏହାକୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି । ଇତିହାସର ଏହି ଘଟଣାବଳୀକୁ ପାଠ୍ୟପୁସ୍ତକରୁ ହଟାଇବା ପରେ ସ୍ପଷ୍ଟୀକରଣ ସ୍ବରୂପ ଏନସିଇଆରଟି ପକ୍ଷରୁ କୁହାଯାଇଛି ଯେ, ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ନୂଆ ପାଠ୍ୟକ୍ରମ ଢାଞ୍ଚାରେ ନୂଆ ପୁସ୍ତକ ଅଣାଯାଉଛି ।
ଅଯୋଧ୍ୟା:- ରାଜନୀତି ବିଜ୍ଞାନର 'ଭାରତୀୟ ରାଜନୀତି: ନୂତନ ଅଧ୍ୟାୟ' ନାମକ ଅଷ୍ଟମ ଅଧ୍ୟାୟରେ "ଅଯୋଧ୍ୟା ବିଧ୍ବଂସ" ପ୍ରସଙ୍ଗକୁ ହଟାଇ ଦିଆଯାଇଛି । ଏହି ଅଧ୍ୟାୟରେ ବାବରି ମସଜିଦ ଏବଂ ହିନ୍ଦୁତ୍ବ ରାଜନୀତିକୁ ମଧ୍ୟ ହଟାଯାଇଛି । ଏନେଇ NCERT କହିଛି ଯେ ଏହା ଏଥିଲାଗି କରାୟାଇଛି ଯାହାଦ୍ବାରା ପ୍ରଶ୍ନର ଉତ୍ତରକୁ ନୂତନ ପରିବର୍ତ୍ତନ ସହିତ ଯୋଡ଼ି ହୋଇପାରିବ ।
ଗୋଧରା ଦଙ୍ଗା:- ଏକାଦଶ ଶ୍ରେଣୀର ପାଠ୍ୟପୁସ୍ତକରେ ଧର୍ମନିରପେକ୍ଷତା ଉପରେ ଥିବା ଅଧ୍ୟାୟ-8ରେ ପୂର୍ବରୁ କୁହାଯାଇଥିଲା, "2002 ମସିହାରେ ଗୁଜରାଟର ଗୋଧରା ଦଙ୍ଗା ସମୟରେ 1000ରୁ ଅଧିକ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ହତ୍ୟା ହୋଇଥିଲା । ଏବେ ଏହାକୁ ପରିବର୍ତ୍ତନ କରାଯାଇ ଲେଖାଯାଇଛି ଯେ 2002ରେ ଗୁଜୁରାଟରେ ଗୋଧରା ଦଙ୍ଗାରେ 1000ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।" ଏହି ପରିବର୍ତ୍ତନକୁ ନେଇ NCERT ଯୁକ୍ତି ରଖିଛି ଯେ କୌଣସି ଦଙ୍ଗାରେ ସମସ୍ତ ସମ୍ପ୍ରଦାୟର ଲୋକେ କ୍ଷତି ସହିଥାନ୍ତି, କେବଳ ଗୋଟିଏ ସମ୍ପ୍ରଦାୟର ନୁହଁ।
ଏହା ବି ପଢନ୍ତୁ-ଇଣ୍ଡିଆ ପରିବର୍ତ୍ତେ ଭାରତ ପଢିବେ ଛାତ୍ରଛାତ୍ରୀ, NCERT ପ୍ୟାନେଲ କଲା ସୁପାରିଶ
ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀର:- ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ପୂର୍ବ ପାଠ୍ୟ ପୁସ୍ତକରେ କୁହାଯାଇଥିଲା, "ଭାରତ ଦାବି କରିଛି ଯେ ଏହି ଅଞ୍ଚଳ ବେଆଇନ ଭାବେ ଦଖଲରେ ହୋଇଛି । ପାକିସ୍ତାନ ଏହି ଅଞ୍ଚଳକୁ ଆଜାଦ ପାକିସ୍ଥାନ ବୋଲି ବର୍ଣ୍ଣନା କରିଛି । ପରିବର୍ତ୍ତିତ ସଂସ୍କରଣରେ ଏହା ଦର୍ଶାଯାଇଛି ଯେ ଏହା ଭାରତୀୟ କ୍ଷେତଦ୍ର, ଯାହାକୁ ପାକିସ୍ତାନ ବେଆଇନ ଭାବେ କବଜା କରିଛି । ଏହାକୁ ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀର (POJK) କୁହାଯାଏ ।" ଏହି ପରିବର୍ତ୍ତନ ପଛରେ NCERTର କାରଣ ହେଉଛି ଯେ "ଅଣାଯାଇଥିବା ପରିବର୍ତ୍ତନ ଜମ୍ମୁ କାଶ୍ମୀର ସମ୍ପର୍କରେ ଭାରତ ସରକାରଙ୍କ ନୂତନ ବିଚାରଧାରା ସହ ମେଳ ଖାଉଛି ।
ମଣିପୁର ପ୍ରସଙ୍ଗ:- ପୂର୍ବ ପାଠ୍ୟ ପୁସ୍ତକରେ ଦର୍ଶାଯାଇଥିଲା, "ଭାରତ ସରକାର ମଣିପୁରର ଲୋକପ୍ରିୟ ନିର୍ବାଚିତ ବିଧାନସଭା ସହିତ ପରାମର୍ଶ ନକରି ସେପ୍ଟେମ୍ବର 1949ରେ ମହାରାଜାଙ୍କୁ ମିଶ୍ରଣ ଚୁକ୍ତିନାମା ସ୍ବାକ୍ଷର କରିବାକୁ ଚାପ ପକାଇବାରେ ସଫଳ ହୋଇଥିଲେ । ଏହା ମଣିପୁର ବାସୀଙ୍କ ମଧ୍ୟରେ ବହୁ କ୍ରୋଧ ଏବଂ ଅସନ୍ତୋଷ ସୃଷ୍ଟି କରିଥିଲା, ଯାହାର ପରିଣାମ ଏପର୍ଯ୍ୟନ୍ତ ଜାରି ରହିଛି । ପରିବର୍ତ୍ତିତ ସଂସ୍କରଣରେ କୁହାଯାଇଛି ଯେ "ଭାରତ ସରକାର ମହାରାଜାଙ୍କୁ ସେପ୍ଟେମ୍ବର 1949ରେ ଯୋଗଦାନ ଚୁକ୍ତିନାମା ସ୍ବାକ୍ଷର କରିବାରେ ସଫଳ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ