ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶର ବାରଣାସୀ ଆସନରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ରହିଥିବାରୁ ଆଜି ସେ ନାମାଙ୍କନ ଭରିଛନ୍ତି । ଲଗାତାର ଦୁଇଥର ଜିତିବା ପରେ ଏବେ ତୃତୀୟ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ମୋଦିଙ୍କ ନାମାଙ୍କନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ଦିନକୁ କାହିଁକି ବାଛିଲେ ମୋଦି, ସୋମବାର ବାରଣାସୀରେ ରୋଡ ସୋ କରିବା ପରେ ମଧ୍ୟ କାହିଁକି ଦାଖଲ କଲେନି ପ୍ରାର୍ଥୀପତ୍ର, ଆଜି ନାମାଙ୍କନ ଦାଖଲ କରିବା ପାଇଁ କିଏ ପରାମର୍ଶ ଦେଇଛି କି? ଏଭଳି ଅନେକ ପ୍ରଶ୍ନ ଭିତରେ 4ଜଣ ପ୍ରସ୍ତାବକଙ୍କ ନାମ ସାମ୍ନାକୁ ଆସିଛି ।
ନାମାଙ୍କନ ପାଇଁ ପ୍ରସ୍ତାବକଙ୍କର ଆବଶ୍ୟକତା ହୋଇଥାଏ । 4ଟି ପ୍ରସ୍ତାବକଙ୍କ ନାମ ଚୂଡାନ୍ତ ହୋଇଛି । ଏଥିରେ ରହିଛନ୍ତି ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଶୁଭ ମୁହୁର୍ତ୍ତ ବାହାର କରିଥିବା ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ, ବିଜେପି ନେତା ତଥା ଜନସଂଘର କର୍ମକର୍ତ୍ତା ବୈଜନାଥ ପଟେଲ, ବିଜେପି କାର୍ଯ୍ୟକର୍ତ୍ତା ଲାଲଚାନ୍ଦ କୁଶବାହା ଏବଂ ବିଜେପି ନେତା ସଞ୍ଜୟ ସୋନକର ସାମିଲ ଅଛନ୍ତି । ଜାତୀୟ ସମୀକରଣର ଆଧାର ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକ ଚୟନ କରାଯାଇଛି । ମେ 14 ହେଇଛି ଗଙ୍ଗା ସପ୍ତମୀର ମହାନ ପର୍ବ । ଆଜି ଦିନର ଅନେକ ବିଶେଷତା ରହିଥିବାରୁ ନାମାଙ୍କନ ପାଇଁ ଆଜି ଦିନ ସ୍ଥିର କରାଯାଇଥିବା କୁହାଯାଉଛି ।
ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ ମୂଳତଃ ଦକ୍ଷିଣ ଭାରତର ବାସିନ୍ଦା । ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ଏବଂ ରାମ ମନ୍ଦିରର ଶିଳାନ୍ୟାସ ପୂଜା ସହିତ ଜଡିତ ଶୁଭ ସମୟ ମଧ୍ୟ ସ୍ଥିର କରିଥିଲେ । ସେ କାଶୀର ରାମଘାଟରେ ରହୁଛନ୍ତି । ଏଠାରୁ ଏକ ସଂସ୍କୃତି ବିଦ୍ୟାଳୟ ମଧ୍ୟ ସଞ୍ଚାଳିତ ହୋଇଛି । ଏହା ତାଙ୍କ ପିତୃପୁରୁଷଙ୍କ ଦ୍ବାରା ସ୍ଥାପିତ କରାଯାଇଥିଲା । ତାଙ୍କ ପରିବାର ସଦସ୍ୟ ସ୍ୱାଧୀନତା ସଂଗ୍ରାମୀ ହୋଇଛନ୍ତି ।
ବୈଜନାଥ ପଟେଲ ଓବିସି ବର୍ଗର ଅଟନ୍ତି । ହରୋଜ ଗ୍ରାମରେ ରହୁଥିବା ବୈଜନାଥ 1995 ରୁ 2000 ପର୍ଯ୍ୟନ୍ତ ଗ୍ରାମର ମୁଖିଆ ଥିଲେ। ଜନସଂଘ ସମୟରୁ ସେ ପାର୍ଟିରେ ଜଡିତ ଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବାସୀ ଭାବେ ବେଶ ଜଣାଶୁଣା । ସେହିପରି ଲାଲଚାନ୍ଦ କୁଶବାହା କ୍ୟାଣ୍ଟ ବିଧାନସଭା କ୍ଷେତ୍ରର ନିବାସୀ । ସେ ବିଜେପିର ମଣ୍ଡଳ ସଭାପତି ହେବା ବ୍ୟତୀତ ଦଳରେ ସକ୍ରିୟ ଅଛନ୍ତି । ସଞ୍ଜୟ ସୋନକର ଦଳିତ ବର୍ଗର ଅଟନ୍ତି । ବର୍ତ୍ତମାନ ସେ ବାରଣାସୀ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ରହିଛନ୍ତି । ତାଙ୍କ ନାମ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତ ତାଲିକାରେ ଅଛି ଏବଂ ସେ 2022 ମସିହାରେ ବରେକା ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ସାମ୍ନାକୁ ଆସିଥିଲେ । 2014 ଏବଂ 2019 ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥର ତାଙ୍କ ପ୍ରସ୍ତାବର ପୁନରାବୃତ୍ତି କରିନାହାଁନ୍ତି ।
ପ୍ରସ୍ତାବକମାନଙ୍କର ଆବଶ୍ୟକତା କାହିଁକି ରହିଛି: ଯେକୌଣସି ନିର୍ବାଚନରେ ପ୍ରସ୍ତାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁଯାୟୀ, ସ୍ଥାନୀୟ ସ୍ତରରେ ସେହି ବ୍ୟକ୍ତି ଯେଉଁମାନେ କୌଣସି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ନିଜ ତରଫରୁ ପ୍ରସ୍ତାବ ଦେଇଥାନ୍ତି । ସାଧାରଣତଃ ଭିଆଇପି ପ୍ରାର୍ଥୀଙ୍କ ପାଇଁ ପାଇଁ 5ଜଣ ପ୍ରସ୍ତାବକ ଏବଂ ସାଧାରଣ ପ୍ରାର୍ଥୀଙ୍କ ପାଇଁ 10 ଜଣ ପ୍ରସ୍ତାବକ ଆବଶ୍ୟକ ହୋଇଥାଏ । ଯଦି ଜଣେ ପ୍ରାର୍ଥୀ କୌଣସି ଦଳର ନହୋଇ ସ୍ବାଧୀନ ଭାବେ ନାମାଙ୍କନ ଭରନ୍ତି ତେବେ ନିର୍ବାଚନମଣ୍ଡଳୀର 10 ଜଣ ଭୋଟରଙ୍କୁ ଏକ ସଂକଳ୍ପ ଆକାରରେ ନାମାଙ୍କନ ପତ୍ରରେ ଦସ୍ତଖତ କରିବାକୁ ପଡିବ । ନିୟମ ଅନୁଯାୟୀ, ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରସ୍ତାବକଙ୍କ ଦସ୍ତଖତ ଯାଞ୍ଚ କରିବାକୁ ପଡିଥାଏ ।