ନୂଆଦିଲ୍ଲୀ: ଘୋଷଣା ହୋଇସାରିଛି ଲୋକସଭା ନିର୍ବାଚନ ତାରିଖ । ଏହାପରେ ବାଜି ମାରିବା ପାଇଁ ଦଳ ଆରମ୍ଭ କରିଛନ୍ତି କସରତ । ଦଳ କିପରି ଅଧିକରୁ ଅଧିକ ସିଟ୍ ହାସଲ କରିବେ ସେନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ହାତରେ ମାତ୍ର ଆଉ ଦିନ କେଇଟା ରହଥିବା ବେଳେ ପ୍ରଚାର ମଧ୍ୟ ଆରମ୍ଭ ହୋଇସାରିଛି । ଏହାରି ଭିତରେ ବିଜେପି ଆଜି ଇସ୍ତାହାର କମିଟି ଗଠନ କରିଛି । ଏହାର ଅଧ୍ୟକ୍ଷ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ନିର୍ମଳା ସୀତାରମଣଙ୍କୁ ସଂଯୋଜକ ଏବଂ ପୀୟୂଷ ଗୋଏଲଙ୍କୁ ସହସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପିର ଏହି ନିର୍ବାଚନୀ ଇସ୍ତାହର କମିଟିରେ 27ଜଣ ସଦସ୍ୟ ରହିଛନ୍ତି । ଏଥିରେ ଓଡିଶାରୁ 3ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି କମିଟିରେ ସାମିଲ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: 6ଷ୍ଠ ପର୍ଯ୍ୟାୟରେ 3 ଲୋକସଭା ପ୍ରାର୍ଥୀ ଦେଲା ବିଜେପି - BJP releases sixth list
ବିଜେପିର ନିର୍ବାଚନୀ ଇସ୍ତାହାର କମିଟିରେ ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ସ୍ମୃତି ଇରାନୀ, ଅର୍ଜୁନ ମେଘୱାଲ, କିରନ ରିଜିଜୁ, ଭୁପେନ୍ଦ୍ର ପଟେଲ, ହିମନ୍ତ ବିଶ୍ୱଶର୍ମା, ବିଷ୍ଣୁଦେବ ସାଇ, ରବିଶଙ୍କର ପ୍ରସାଦ, ସୁଶିଲ ମୋଦି, କେଶବ ପ୍ରସାଦ ମୌର୍ଯ୍ୟ, ରାଜୀବ ଚନ୍ଦ୍ରଶେଖର, ବିନୋଦ ତାୱଡେ, ରାଧାମୋହନ ଦାସ, ଓପି ଧନଖଡ଼, ଅନିଲ ଆଣ୍ଟୋନି, ତାରିକ ମନସୁରଙ୍କ ନାମ ରହିଛି ।
ଏହା ମଧ୍ୟ ପଢନ୍ତୁ: 2024 ପାଇଁ ପାଗଭିଡା: କଂଗ୍ରେସ ଗଠନ କଲା ଇସ୍ତାହାର କମିଟି, ପି ଚିଦାମ୍ବରମ ଅଧ୍ୟକ୍ଷ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ବାରା ଇସ୍ତାହାର କମିଟି ଗଠନ କରାଯାଇଛି । ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ପ୍ରାୟ ସମସ୍ତ ରାଜ୍ୟର ନେତାମାନଙ୍କୁ ଇସ୍ତାହାର କମିଟିରେ ସ୍ଥାନ ଦିଆଯାଇଛି । ଏହି କମିଟି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ମେନିଫେଷ୍ଟୋ ତିଆରି କରିବା ସମୟରେ ଗରିବ, ଯୁବକ, ମହିଳା ଏବଂ କୃଷକ କଲ୍ୟାଣ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ପ୍ରକାଶଥାଉକି, ବର୍ତ୍ତମାନ ସୁଦ୍ଧା 7ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସପ୍ତମ ତାଲିକା ସହିତ ବିଜେପି ଏପର୍ଯ୍ୟନ୍ତ 407 ଜଣ ପ୍ରାର୍ଥୀ ଘୋଷଣା କରିଛି । ଅବକି ବାର୍ 400 ପାର୍ ନାରା ଦେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ