ହାଇଦ୍ରାବାଦ: ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତ ମଧ୍ୟରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢିଛି । ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସ୍ଥିତିର ଘଟଣାକ୍ରମ ଉପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ତୀକ୍ଷ୍ଣ ନଜର ରଖିଛି । ଆଜି ଇରାନ ରାଜଧାନୀ ତେହେରାନରେ ଥିବା ଭାରତୀୟ ଦୂତାବାସ ସେଠାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପ-ଲାଇନ ନମ୍ବର ଜାରି କରିଛି । ସୁରକ୍ଷିତ ସ୍ଥାନରେ ରହିବା ସହ ଅନାବଶ୍ୟକ ଭାବେ କୌଣସି ସ୍ଥାନକୁ ଯାତ୍ରା ନକରିବା ପାଇଁ ପୂର୍ବରୁ ଜାରି ଆଡଭାଇଜରିରେ କୁହାଯାଇଥିଲା । ଆଜି ହେଲ୍ପଲାଇନ ନମ୍ବର ଜାରି କରାଯାଇ କୌଣସି ଜରୁରୀ ସୂଚନା ପାଇଁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । +989128109115, +989128109109; +989932179567, +989932179359, +98-21-88755103-5, cons.tehran@mea.gov.inରେ ଭାରତୀୟମାନେ କୌଣସି ସମସ୍ୟା ସମ୍ପର୍କରେ ଯୋଗାଯୋଗ କରି ଜଣାଇପାରିବେ । ସେମାନଙ୍କୁ ଦୂତାବାସ ପକ୍ଷରୁ ସହଯୋଗ କରାଯିବା ନେଇ କୁହାଯାଇଛି ।
ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରି ଏହି ଦୁଇ ଦେଶକୁ ବର୍ତ୍ତମାନ ଯାତ୍ରା ନକରିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦେଇସାରିଛି । ଏହା ସହ ଉଭୟ ଦେଶରେ ଥିବା ଭାରତୀୟ ନାଗରିକମାନେ ସୁରକ୍ଷିତ ସ୍ଥାନରେ ରହିବା ଓ ଅନାବଶ୍ୟକ ଯାତ୍ରା ନକରିବା ପାଇଁ କୁହାଯାଇଥିଲା । ଉଭୟ ଦେଶରେ ଥିବା ଭାରତୀୟ ଦୂତାବାସରେ ଏପରି ସ୍ଥିତିରେ ଜରୁରୀ ସେଲ ମଧ୍ୟ ଖୋଲାଯାଇଛି । ଏପର୍ଯ୍ୟନ୍ତ ଇରାନରେ କେତେସଂଖ୍ୟକ ଭାରତୀୟ ନାଗରିକ ଅଛନ୍ତି, ସେ ସମ୍ପର୍କରେ ସରକାର କିଛି ସ୍ପଷ୍ଟ କରିନାହାନ୍ତି ।
ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ - IRAN ATTACKED ISRAEL
ଗତକାଲି ରାତିରେ ଇରାନ, ଇସ୍ରାଏଲ ଉପରେ ପ୍ରାୟ 3ଶହରୁ ଅଧିକ ରକେଟ ମାଡ କରିଛି । ପ୍ରତିଜବାବରେ ଇସ୍ରାଏଲ ଇରାନର କିଛି ଅଞ୍ଚଳରେ ଆକ୍ରମଣ କରିବାର ଆଶଙ୍କା ମଧ୍ୟ ରହିଛି । ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତିକୁ ନେଇ ଜାତିସଂଘ ମଧ୍ୟ ଜରୁରୀ ସୁରକ୍ଷା ପରିଷଦ ବୈଠକ ଡାକିଛି । ଅନ୍ୟପଟେ ଆମେରିକା ପରି ଶକ୍ତିଶାଳୀ ଦେଶର ହସ୍ତକ୍ଷେପ ଏହି ଉତ୍ତେଜନାକୁ ଆହୁରି ବଢାଇବାର ଆଶଙ୍କା ରହିଛି ।
ଇସ୍ରାଏଲ ଗାଜା ଯୁଦ୍ଧ ସମୟରେ ମଧ୍ୟ ଭାରତୀୟଙ୍କ ସୁରକ୍ଷା ପାଇଁ ବିଦେଶ ମନ୍ତ୍ରଣାଳୟ ଏହିପରି ପଦକ୍ଷେପ ଗ୍ରହଣ କରିଥିଲା । ସମାନ ଢଙ୍ଗରେ ଋଷର ୟୁକ୍ରେନ ଆକ୍ରମଣ ସମୟରେ ପ୍ରାୟ 18ହଜାର ଭାରତୀୟଙ୍କୁ ୟୁକ୍ରେନରୁ ଏୟାରଲିଫ୍ଟ କରିବାକୁ ପଡିଥିଲା । ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରେ ପ୍ରାୟ 90ପ୍ରତିଶତ କେବଳ ଛାତ୍ରଛାତ୍ରୀ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ