ନୂଆଦିଲ୍ଲୀ: 2024 ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ସମସ୍ତ ରାଜନୈତିକ ଦଳମାନେ ମଧ୍ୟ କରସତ ଆରମ୍ଭ କରିଦେଲେଣି । ତେବେ ନିର୍ବାଚନରେ ମତଦାତାମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଭୋଟ ଦେବା ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କର ମୌଳିକ ଅଧିକାର । 18 ବର୍ଷ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ବୟସର ନାଗରିକମାନଙ୍କୁ ଭୋଟ ଦେବାର ତଥା ମତସାବ୍ୟସ୍ତ କରିବାର ଅଧିକାର ମିଳିଥାଏ । ତେବେ ଭୋଟ ଦେବା ପାଇଁ ହେଲେ ଭୋଟ ପରିଚୟ ପତ୍ର ନିହାତି ଆବଶ୍ୟକ । ତେବେ ଜାଣନ୍ତୁ କିପରି ଭୋଟ ପରିଚୟ ପତ୍ର ଆବେଦନ କରିପାରିବେ କିମ୍ୱା ଭୋଟ ପରିଚୟ ପତ୍ରରେ ସଂଶୋଧନ କରିପାରିବେ ଓ କିପରି ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପରିଚୟ ପତ୍ର ପାଇଁ ଆବେଦନ କରିପାରିବେ ।
ଭୋଟର ଆଇଡି କାର୍ଡ ଆବେଦନ କରିବାକୁ ଅନେକ ସମୟରେ ଯୋଗ୍ୟ ନାଗରିକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସମସ୍ୟାର ସମାଧାନ ପାଇଁ ପଢନ୍ତୁ ଏହି ଖବର । ଭୋଟର ଆଇଡି କାର୍ଡ ଆବେଦନ କରିବାକୁ ହେଲେ ଆପଣଙ୍କୁ ଭାରତୀୟ ନାଗରିକ ହେବା ସହ 18 ବର୍ଷ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ବୟସର ହେବା ଆବଶ୍ୟକ ।
ଭୋଟର ଆଇଡି କାର୍ଡ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ (ଦସ୍ତାବିଜ):
- ପାସପୋର୍ଟ ସାଇଜ ଫୋଟୋ ସହ ପ୍ୟାନ କାର୍ଡ, ଆଧାର କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ ଥିବା ଆବଶ୍ୟକ ।
- ଆପଣଙ୍କ ପାଖରେ ଠିକଣାର ପ୍ରମାଣ ଥିବା ଆବଶ୍ୟକ । ଏହି ଠିକଣା ଆପଣଙ୍କ ଆଧାର କାର୍ଡ, ରାସନ କାର୍ଡ, ବିଜୁଳି ବିଲ୍, ଜଳକର ଖଜଣା ରସିଦ ହୋଇପାରେ ।
- ଆପଣଙ୍କ ପାଖରେ ଜନ୍ମ ପ୍ରମାଣ ପତ୍ର, ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ, ପାସପୋର୍ଟ ଥିବା ଆବଶ୍ୟକ ଯାହା ଆପଣଙ୍କ ଜନ୍ମ ତାରିଖର ପ୍ରମାଣ ଭାବେ ଆବଶ୍ୟକ ପଡିପାରେ ।
ଅନଲାଇନ ମାଧ୍ୟମରେ କିଭଳି କରିବେ ଭୋଟର ଆଇଡି କାର୍ଡ ଆବେଦନ:
- ରାଷ୍ଟ୍ରୀୟ ମତଦାତା ସେବା ଓ୍ୱେବସାଇଟ (https://voters.eci.gov.in/) ମାଧ୍ୟମରେ ଆପଣ ଭୋଟର ଆଇଡି ପାଇଁ ଆବେଦନ କରିପାରିବେ ।
- ପ୍ରଥମେ https://voters.eci.gov.in/ରେ କ୍ଲିକ କରନ୍ତୁ ।
- ଯଦି ଆପଣ ନୂଆ ୟୁଜର ହୋଇଥିବା ତେବେ ଆପଣଙ୍କୁ ପ୍ରଥମେ ରେଜଷ୍ଟ୍ରେସନ (ପଞ୍ଜିକରଣ) କରିବାକୁ ପଡିବ । ଯଦି ଆପଣ ପୂର୍ବରୁ ରେଜିଷ୍ଟ୍ରେସନ କରିଥିବେ ତେବେ ଆପଣଙ୍କୁ ଲଗ୍ ଇନ୍ (Log in) କରିବାକୁ ପଡିବ ।
- ନିଜ ରାଜ୍ୟ ବାଛନ୍ତୁ, ଓ 'ନୂତନ ପଞ୍ଜିକରଣ'(New Registration) କିମ୍ୱା ଫର୍ମ 6 ବାଛନ୍ତୁ ।
- ନାମ, ଠିକଣା, ଜନ୍ମ ତାରିଖ ଆଦି ପୂରଣ କରିବା ପରେ ଫର୍ମ ସବମିଟ କରନ୍ତୁ ।
- ଆବଶ୍ୟକ ଦସ୍ତାବିଜ (ଡକ୍ୟୁମେଣ୍ଟ) ତଥା ଠିକଣା ପ୍ରମାଣପତ୍ର, ପଚିଚୟ ପ୍ରମାଣପତ୍ର, ପାସପୋର୍ଟ ସାଇଜ ଫୋଟୋକୁ ସ୍କାନ କରି ଅପଲୋଡ କରନ୍ତୁ ।
- ନିଜର ଆବେଦନକୁ ଜମା କରନ୍ତୁ ଓ ଏହାକୁ ଅନଲାଇନ ଟ୍ରାକ କରନ୍ତୁ ।
ଏହାମଧ୍ୟ ପଢନ୍ତୁ.. ତାଜା ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲା ECI, ବିଜେପି ପାଇଛି ସର୍ବାଧିକ 6,987 କୋଟି
ଅଫଲାଇନ ମାଧ୍ୟମରେ କିଭଳି କରିବେ ଆବେଦନ:
- ଅଫଲାଇନ ମାଧ୍ୟମରେ ଭୋଟର ପରିଚୟ ପତ୍ର ଆବେଦନ କରିବାକୁ ଚାହୁଁଥିଲେ ପ୍ରଥମେ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) କାର୍ଯ୍ୟାଳୟ କିମ୍ୱା ନିର୍ଦ୍ଦିଷ୍ଟ ବୁଥକୁ ଯିବାକୁ ପଡିବ ।
- ଫର୍ମ 6 ସଠିକ ଭାବେ ପୂରଣ କରନ୍ତୁ ।
- ଆବଶ୍ୟକୀୟ ଦସ୍ତାବିଜ (ଡକ୍ୟୁମେଣ୍ଟ) ଗୁଡିକର ସେଲ୍ଫ ଆଟାଚ୍ କପି ସେଥିରେ ଯୋଡନ୍ତୁ ।
- ଏହାକୁ ଅଧିକାରୀଙ୍କ ପାଖରେ ସବମିଟ କରନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ