ବେଙ୍ଗାଲୁରୁ: ପୁଣିଥରେ ବେଙ୍ଗାଲୁରୁ ସହରର ସ୍କୁଲକୁ ମିଳିଛି ବିସ୍ଫୋରଣ ଧମକ । ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି । କେହି ଅଜ୍ଞାତ ବ୍ୟକ୍ତି ଇ-ମେଲ ଜରିଆରେ ଏନେଇ ଧମକପୂର୍ଣ୍ଣ ମେସେଜ ପଠାଇଛି । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍କୁଲ ଭିତରେ ଭଲ ଭାବେ ଛାନଭିନ୍ କରାଯାଇଛି । କିନ୍ତୁ କୌଣସି ପ୍ରକାର ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନାହିଁ । ତେଣୁକରି ଏହା ଏକ ମିଛ ଧମକ ହୋଇଥିବା ପୋଲିସ ଜଣାଇଛି । ଏନେଇ ଯଶୱନ୍ତପୁର ଥାନାରେ ଏକ ଏଫଆଇଆର ରୁଜୁ କରାଯାଇଛି ।
ସୂଚନା ମୁତାବକ, ଗତ ୨୮ ତାରିଖରେ sahukarisrinuvasarao65@gmail.com ଆଇଡିରୁ କେନ୍ଦ୍ରୀୟ ବିଦ୍ୟାଳୟର ଅଫିସିଆଲ ଇ-ମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା । ମେସେଜରେ ଲେଖାଯାଇଥିଲା, ''ସ୍କୁଲ ଭିତରେ ବୋମା ଖଞ୍ଜାଯାଇଛି । ଆସନ୍ତକାଲି ସକାଳ ୧୦ଟା ୨୦ ମିନିଟ୍ ସମୟରେ ଏହା ବିସ୍ଫୋରଣ ହେବ ।'' ଏହି ମେସେଜ ସମ୍ପର୍କରେ ସ୍କୁଲ ମ୍ୟାନେଜମେଣ୍ଟ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ସାରା ସ୍କୁଲରେ ଛାନଭିନ୍ କରିଥିଲେ । ହେଲେ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିନଥିଲା । ଯାହାପରେ ଏହା ମିଛା ବୋମା ଧମକ ବୋଲି ପୋଲିସ ସ୍ପଷ୍ଟ କରିଥିଲା । ତେବେ କିଏ ଏହି ମେସେଜ ପଠାଇଥିଲା, ତା' ସମ୍ପର୍କରେ କୌଣସି ପ୍ରକାର ସୂଚନା ମିଳିପାରିନି ।
ଏହା ମଧ୍ୟ ପଢନ୍ତୁ: ଏକାସଙ୍ଗେ ୪୪ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ, ଛାନଭିନ କଲା ସନ୍ଧାନୀ କୁକୁର
ଏହା ମଧ୍ୟ ପଢନ୍ତୁ: ଦୁର୍ଗିଆନା ମନ୍ଦିରକୁ ଧମକ ଫୋନ କଲ୍, ସୁରକ୍ଷା ବ୍ୟବସ୍ଥା କଡାକଡି
ବେଙ୍ଗାଲୁରୁ ସ୍କୁଲରେ ବୋମା ବିସ୍ଫୋରଣ ଧମକ ମିଳିବା କିଛି ନୂଆ ଘଟଣା ନୁହେଁ । ଗତ ଡିସେମ୍ବର ୧ରେ ଏକାଥରେ ସହରର ୬୮ଟି ସ୍କୁଲରେ ବିସ୍ଫୋରଣ ଧମକ ମିଳିଥିଲା । ଇ-ମେଲରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା । ଏହି ଖବର ପ୍ରଘଟ ମାତ୍ରେ ଚାରିଆଡେ ଭୟର ବାତାବରଣ ଖେଳି ଯାଇଥିଲା । ପୋଲିସ ତୁରନ୍ତ ସ୍କୁଲଗୁଡିକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଯାଞ୍ଚ ଚଳାଇଥିଲା । ସନ୍ଧାନୀ କୁକୁର ମଧ୍ୟ ଏଥିରେ ସାମିଲ ହୋଇଥିଲା । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ନିଜ କିଛି ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ହେଲେ ଛାନଭିନ୍ ବେଳେ କୌଣସି ବି ଗୋଟିଏ ସ୍କୁଲରୁ କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ