କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ଗସ୍ତରେ ମୋଦି ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ସନ୍ଦେଶଖାଲି ହିଂସାକାଣ୍ଡ ଯୋଗୁଁ ସାରା ଦେଶ ଦୁଃଖିତ । କେବଳ ବିଜେପିର ଚାପ ଯୋଗୁଁ ବଙ୍ଗ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ହେଲେ ସନ୍ଦେଶଖାଲିରେ ଘଟିଥିବା ମହିଳା ବିରୋଧୀ ହିଂସାକାଣ୍ଡ ନେଇ ମମତା ସରକାରଙ୍କ ବିରୋଧରେ କଂଗ୍ରେସ କିମ୍ବା ବାମପନ୍ଥୀ ଦଳ ଗୋଟିଏ ବି ପ୍ରଶ୍ନ ଉଠାଇନଥିବା ମୋଦି କହିଛନ୍ତି ।
ଏକ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, "କେବଳ ବିଜେପିର ଚାପ ଯୋଗୁଁ ପଶ୍ଚିମବଙ୍ଗ ପୋଲିସ ସନ୍ଦେଶଖାଲି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହନକୁ ଗିରଫ କରିଛି । ଏଥିଲାଗି ଆପଣ ମାନେ ଟିଏମସିକୁ କ୍ଷମା କରିବେ କି ? ଆପଣମାନେ ପ୍ରତିଶୋଧ ନେବେ ନା ନାହିଁ ? ସନ୍ଦେଶଖାଲିରେ ଯାହା ଘଟିଲା ଏଥିଲାଗି ବିଶିଷ୍ଟ ସମାଜସେବୀ ରାଜା ରାମ ମୋହନ ରାୟଙ୍କ ଅନ୍ତର ଆତ୍ମା ମଧ୍ୟ ଦୁଃଖିତ । ଏତେ ସବୁ ଘଟିଲା ପରେ ବି କଂଗ୍ରେସ କିମ୍ବା ବାମପନ୍ଥୀ ଦଳ ମମତା ସରକାରକୁ ଆଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି ।"
ଏହା ବି ପଢନ୍ତୁ- ବିକାଶର ବଡ଼ ଶତ୍ରୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି
ମୋଦି ଆହୁରି କହିଛନ୍ତି, "ଏହା ହେଉଛି ଇଣ୍ଡିଆ ମେଣ୍ଟର ପ୍ରକୃତ ଚେହେରା । ପଶ୍ଚିମବଙ୍ଗରେ ଟିଏମସି ଅପରାଧ ଓ ଦୁର୍ନୀତିର ଏକ ମଡେଲ ଆରମ୍ଭ କରିଛି । ଏପରିକି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ମଧ୍ୟ ଯାଞ୍ଚ ପାଇଁ ଟିଏମସି ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଦେଉନାହିଁ । କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ ବିରୋଧରେ ଟିଏମସି ଧାରଣାରେ ବସୁଛି । କିନ୍ତୁ ମୋଦି କୌଣସି ଧମକ ବା ଆକ୍ରମଣକୁ ଭୟ କରେ ନାହିଁ ।" ରାଜ୍ୟରେ ଟିଏମସି ସରକାର ଥିବାରୁ ବିକାଶ କାର୍ଯ୍ୟ ଅଧପନ୍ତରିଆ ପଡି ରହିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି ।
ଟିଏମସି ସରକାର ଯୋଗୁଁ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ବାକି ରହିଛି । ଟିଏମସି ସରକାର ହେଉଛି ଅଣ-ଦାରିଦ୍ର୍ୟ, ଅଣ-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି । ହେଲେ ଆଗାମୀ ନିର୍ବାଚନରେ ମୁସଲିମ ମହିଳା ଆଗକୁ ଆସି ଟିଏମସିକୁ ଶାସନ କ୍ଷମତାରୁ ହଟାଇବେ । ଏଥର ୪୦୦ ଆସନ ଅତିକ୍ରମ କରିବ ବିଜେପି ବୋଲି ମୋଦି କହିଛନ୍ତି ।
ଏହା ବି ପଢନ୍ତୁ- ସରିଲା ଲୁଚକାଳି ଖେଳ, ସନ୍ଦେଶଖାଲି ହିଂସା ମାଷ୍ଟରମାଇଣ୍ଡ ଶାହାଜାହାନ ଶେଖ ଗିରଫ
ସୂଚନା ଥାଉ କି ସନ୍ଦେଶଖାଲି ମହିଳା ବିରୋଧୀ ହିଂସାକାଣ୍ଡକୁ ନେଇ ଏବେ କିଛି ଦିନ ଧରି ହେଡଲାଇନରେ ରହିଛି ପଶ୍ଚିମବଙ୍ଗ । ସନ୍ଦେଶଖାଲିର ସ୍ଥାନୀୟ ଟିଏମସି ନେତା ଶେଖ ଶାହାଜାହାନ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ସ୍ଥାନୀୟ ମହିଳା । ଶାହାଜାହାନର ନେତୃତ୍ବରେ ଏଠାରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଖବର ସାମ୍ନାକୁ ଆସିଥିଲା । ପୂର୍ବରୁ ଶାହାଜାହାନ ଭୟରେ କେହି ପାଟି ଫିଟାଉନଥିଲେ । ମାତ୍ର ରାସନ ସାମଗ୍ରୀ ବଣ୍ଟନରେ ହେରଫେର ଅଭିଯୋଗରେ ଶାହାଜାହାନ ଇଡି ରେଡ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଶାହାଜାହାନ ଇଡି କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର ଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଥିଲେ ପୀଡ଼ିତା । ଏହାସହିତ ଶାହାଜାହନର ଗିରଫ ଦାବି କରିଥିଲେ । ତେବେ ଗତକାଲି ପୋଲିସ ଶାହାଜାହନକୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ