ନୂଆଦିଲ୍ଲୀ: ଭାରତକୁ ଏକ ସୁପର ପାୱାର କରିବା ପାଇଁ ମୋ ମାଧ୍ୟମରେ କାର୍ଯ୍ୟ କରୁଛି ଈଶ୍ବରୀୟ ଶକ୍ତି । ଲୋକସଭା ନିର୍ବାଚନ ମଧ୍ୟରେ ନିଜ ଦିଲ୍ଲୀ ସ୍ଥିତ ବାସଭବନରେ ତେଲୁଗୁ ଖବରକାଜ 'ଇନାଡୁ'କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳର ପ୍ରଥମ 5 ବର୍ଷ ସେ କଂଗ୍ରେସ ଦ୍ବାରା ଖୋଳାଯାଇଥିବା ଗାତକୁ ଭରିଥିଲେ ଅର୍ଥାତ ପୂର୍ବ ସରକାରର ତ୍ରୁଟି ସୁଧାରି ଥିଲେ । ଦ୍ବିତୀୟ କାର୍ଯ୍ୟକାଳରେ ଆମେ ଦୀର୍ଘ ଦିନର ସମସ୍ୟାର ସମାଧାନ ଖୋଜିବାରେ ଲାଗିଲୁ । ଏହାସହିତ ଚଳିତ ନିର୍ବାଚନରେ ପୁଣି ତାଙ୍କ ଦଳ କ୍ଷମତାକୁ ଆସୁଥିବା ଦାବି କରିଥିବା ବେଳେ ତାଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହେବାର ପ୍ରଥମ 100 ଦିନ ମଧ୍ୟରେ ସେ କେଉଁ କେଉଁ ପ୍ରକଳ୍ପର ଶୁଭାରମ୍ଭ କରିବେ ତାର ଯୋଜନା ପ୍ରସ୍ତୁତି କରୁଥିବା କହିଛନ୍ତି ।
ମୋଦି କହିଛନ୍ତି ଯେ ତାଙ୍କ ସରକାର ନେଇଥିବା ପଦକ୍ଷେପ ଯୋଗୁଁ 25 କୋଟି ଲୋକ ଦାରିଦ୍ର ସୀମାରେଖା ତଳୁ ଉପରକୁ ଉଠିପାରିଛନ୍ତି । ସିଧାସଳଖ ନଗଦ ଟ୍ରାନ୍ସଫର ସିଷ୍ଟମ ଲାଗୁ କରି ବିଜେପି ସରକାରୀ ଯୋଜନାର ଲାଭ ହିତାଧିକାରୀଙ୍କୁ ପ୍ରଦାନ କରିବା ସହିତ 3.5 ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଦୂର କରିବାରେ ସଫଳ ହୋଇଛୁ । ଯେତେବେଳେ ଆମେ ଡିଜିଟାଲ ପେମେଣ୍ଟ ବିଷୟରେ କଥା ହେଉଥିଲୁ ସେତେବେଳେ ଆମକୁ ପରିହାସ କରାଯାଇଥିଲା । କିନ୍ତୁ ଆଜି ଭାରତ ଏହି କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିଛି ବୋଲି ମୋଦି କହିଛନ୍ତି ।
ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର, ଧାରା 370, ମହିଳା ସଂରକ୍ଷଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, " ଜମ୍ମୁ କାଶ୍ମୀରରୁ ଧାରା 370 ଠାରୁ ଆରମ୍ଭ କରି ମହିଳା ସଂରକ୍ଷଣ ବିଲକୁ ଆମ ସରକାର ଅନୁମୋଦନ ଦେଇଥିଲେ । ଏହି ଦେଶର ନିୟମ ଅନୁଯାୟୀ ଆମେ ରାମଲାଲାଙ୍କୁ ମନ୍ଦିରକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲୁ । 2047 ସୁଦ୍ଧା ଦେଶର ସ୍ବାଧୀନତାର ଶତ ବାର୍ଷିକୀ ପାଳନ ଦ୍ବାରା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆମେ ଏକ ଯୋଜନା ପ୍ରସ୍ତୁତ କରୁଛୁ । ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ, ଆମେ ପ୍ରଥମ 100 ଦିନ ମଧ୍ୟରେ ଏହା ଉପରେ କାମ କରିବା ଆରମ୍ଭ କରିବୁ । ମୁଁ ସେମିତି କିଛି ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ, ଯାହାର ମୁଖ୍ୟମନ୍ତ୍ରୀ ଭାବରେ ବ୍ୟାପକ ଅଭିଜ୍ଞତା ରହିଛି । ତେଣୁ ମୁଁ ରାଜ୍ୟ ଗୁଡ଼ିକର ଚିନ୍ତାଧାରାକୁ ବୁଝିବାକୁ ସମର୍ଥ ହେବି ।"
ଆଉ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତର ଉପରେ ନଜର ପକାନ୍ତୁ...
ପ୍ରଶ୍ନ- ଆପଣ ଉତ୍ତମ ସ୍ବାସ୍ଥ୍ୟ ଏବଂ ଶାରୀରିକ ସୁସ୍ଥତାର ଉଦାହରଣ ବୋଲି ମନେହୁଏ । ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟର ରହସ୍ୟ କ’ଣ ? ଆପଣ ଦିନକୁ କେତେ ଘଣ୍ଟା କାମ କରନ୍ତି ? କୌଣସି ଛୁଟି ନ ନେଇ ନିରନ୍ତର କାର୍ଯ୍ୟ କରିବା ଫଳରେ ଆପଣଙ୍କୁ କ'ଣ ପ୍ରେରଣା ମିଳେ ?
ଉତ୍ତର- ମୁଁ ଏପରି ବ୍ୟକ୍ତି ନୁହେଁ ଯିଏ ଦିନରେ କେତେ ଘଣ୍ଟା କାମ କରେ ତା' ଉପରେ ନଜର ରଖେ । କିଛି ଅଭ୍ୟାସ ମୁଁ ଖୁବ କମ ବୟସରେ ଶିଖି ନେଇଥିଲି , ଆଉ ଏବେ ବି ତାହାର ପାଳନ କରେ । ହିମାଚଳ ପ୍ରଦେଶରେ ବିତାଇଥିବା ଦିନଗୁଡ଼ିକରେ ମୁଁ ବ୍ରହ୍ମ ମୁହୁର୍ତ୍ତରେ ଉଠି ସ୍ନାନ କରୁଥିଲି । ସେବେଠାରୁ ଏହା ମୋର ଅଭ୍ୟାସ ହୋଇଯାଇଛି । ମୁଁ ନିୟମିତ ଭାବେ ଯୋଗ ଏବଂ ଧ୍ୟାନ କରେ । ମୁଁ ଘଣ୍ଟା ଘଣ୍ଟା ଶୋଇପାରେ ନାହିଁ । ମୋ ଜୀବନରେ କାମ ଏବଂ ଆରାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ମୋର କାମରେ ହିଁ ଆରାମ ଖୋଜିବାର ଅଭ୍ୟାସ ହୋଇଯାଇଛି ।
ପ୍ରଶ୍ନ- ଆପଣ ଏହି ନିର୍ବାଚନକୁ ଆପଣଙ୍କ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଉପନିର୍ବାଚନ ଭାବରେ ଦେଖୁଛନ୍ତି କି ?
ଉତ୍ତର- ଆମେ ବିଶ୍ବର ସର୍ବବୃହତ ଗଣତନ୍ତ୍ର ମହୋତ୍ସବ ଆୟୋଜନ କରିବାକୁ ଯାଉଛୁ । ଦେଶର ଲୋକେ ଆମ ସରକାରଙ୍କ କାର୍ଯ୍ୟ ଏବଂ ଟ୍ରାକ୍ ରେକର୍ଡ ଦେଖିଛନ୍ତି । ଗତ ଦଶନ୍ଧିରେ ଦେଶରେ କିପରି ପରିବର୍ତ୍ତନ ଅଣାଯିବ ତାହା ଉପରେ ଧ୍ୟାନ ଦିଆଯାଇଥିଲା । ସେଥିପାଇଁ ଲୋକେ ଚାହୁଁଛନ୍ତି ଯେ ଆମ ସରକାର ପୁନର୍ବାର କ୍ଷମତାକୁ ଆସୁ । ଲୋକେ ବିଶ୍ବାସ କରନ୍ତି ଯେ 2047ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଦେଶକୁ ଆଗକୁ ନେବୁ । ହେଲେ ମୁଁ ଦେଖେ ଏହି ସକରାତ୍ମକତା ଯାହା ସରକାରରେ ବସିଥିବା ଲୋକଙ୍କଠାରେ କ୍ବଚିତ ଦେଖାଯାଏ । ମୁଁ ଯେଉଁଆଡେ ଯାଏ, ମା' ଓ ଭଉଣୀମାନେ ମୋତେ ଆଶୀର୍ବାଦ କରନ୍ତି । ଦେଶର ଭବିଷ୍ୟତକୁ ନେଇ ଯୁବକମାନେ ଏକ ସକରାତ୍ମକ ଦୃଷ୍ଟିକୋଣ ପ୍ରକାଶ କରୁଛନ୍ତି । ଏହି କାରଣରୁ ଯେଉଁମାନେ ପ୍ରଥମ ଥର ଭୋଟ୍ ଦେବାର ଅଧିକାର ପାଇଛନ୍ତି ସେମାନେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଆସୁଛନ୍ତି । ଲୋକେ ଏହି ନିର୍ବାଚନରେ ଭାଗ ନେଉଛନ୍ତି ଯେପରି ସେମାନେ ନିଜେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଲୋକେ ଜାଣନ୍ତି ଯେ ଆମକୁ ଦିଆଯାଇଥିବା ପ୍ରତ୍ୟେକ ଭୋଟ୍ ଏକ ବିକଶିତ ଭାରତ ପାଇଁ । ଗୋଟିଏ ପଟେ ଆମେ ଆମର କାର୍ଯ୍ୟ ଏବଂ ଭବିଷ୍ୟତ ଯୋଜନା ମାଧ୍ୟମରେ ଲୋକଙ୍କ ଠାରୁ ଭୋଟ୍ ଚାହୁଁଥିବା ବେଳେ ଅନ୍ୟପକ୍ଷରେ ବିରୋଧୀ ମୋଦିଙ୍କ ବିରୋଧରେ ପ୍ରଚାର କରୁଛନ୍ତି । ସେମାନଙ୍କର କିଛି କରିବାର ନାହିଁ କିମ୍ବା ଭବିଷ୍ୟତ ବିଷୟରେ କୌଣସି ଚିନ୍ତା ନାହିଁ, ତେଣୁ ସେମାନେ ମୋତେ ଅପମାନିତ କରିବା ଏବଂ ଟାର୍ଗେଟ କରିବାରେ ସୀମିତ ଅଛନ୍ତି । ସେମାନଙ୍କର ଏଜେଣ୍ଡା କେବଳ ମୋଦିକୁ ହଟାଇବା ।
ପ୍ରଶ୍ନ- ଆଗାମୀ 5 ବର୍ଷ ଲାଗି ଆପଣଙ୍କ ପ୍ରମୁଖ ପ୍ରାଥମିକତା କଣ ?
ଉତ୍ତର- ଆମର ପ୍ରଥମ ପ୍ରାଥମିକତା ହେଉଛି ଭାରତର ବିକାଶକୁ ତ୍ବରାନ୍ବିତ କରିବା । ତୃତୀୟ ଥର ପାଇଁ କ୍ଷମତା ଗ୍ରହଣ କରିବା ପରେ ଆମେ ପ୍ରଥମ 100 ଦିନ ମଧ୍ୟରେ ଏହା ଉପରେ କାମ କରିବା ଆରମ୍ଭ କରିବୁ । ତା’ପରେ ଆମେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ସମ୍ପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବୁ । ଯେତେବେଳେ ଆମେ 2014ରେ କ୍ଷମତା ଗ୍ରହଣ କଲୁ, ଦେଶ ସହିବାକୁ ଥିବା କ୍ଷତି ନହେବା ପାଇଁ ଆମେ ମିଶନ ମୋଡରେ କାର୍ଯ୍ୟ କରିଥିଲୁ । ଯେଉଁଠାରେ ଉନ୍ନତି ଆବଶ୍ୟକ ଥିଲା, ଆମେ ତାହା କରିଛୁ । ୟୁପିଏ ସରକାର କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଭୁଲ ଏବଂ ତ୍ରୁଟି ସଂଶୋଧନ କରିବା ଆମ ପାଇଁ ଏକ ଭାରି ବୋଝ ହୋଇଗଲା । ଦ୍ବିତୀୟ କାର୍ଯ୍ୟକାଳରେ ଆମେ ଦୀର୍ଘ ଦିନର ସମସ୍ୟାର ସମାଧାନ ଖୋଜିବାରେ ଲାଗିଲୁ ।
ପ୍ରଶ୍ନ- ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ଆପଣଙ୍କ ନେତୃତ୍ବରେ ଦେଶ କେତେ ଅଗ୍ରଗତି କରିଛି ? ଲୋକେ ସେହି ଅର୍ଥନୈତିକ ପ୍ରଗତିର ସୁଯୋଗ ନେବାକୁ କେବେ ସମର୍ଥ ହେବେ ?
ଉତ୍ତର- ଯିଏ ଭାବନ୍ତି ଯେ ଆମେ ଶୀଘ୍ର ବିକାଶର ଲାଭ କାହିଁକି ପାଉନାହୁଁ, ସେ ବାସ୍ତବ ଚିତ୍ରକୁ ବୁଝୁନାହାଁନ୍ତି । ଏକ ସମୟରେ ଯେତେବେଳେ ଆମ ଆଖପାଖ ଦେଶଗୁଡ଼ିକ ମୁଦ୍ରାସ୍ଫୀତି ଏବଂ ଦରଦାମ ବୃଦ୍ଧି ସହିତ ସଂଘର୍ଷ କରୁଛନ୍ତି, ସେତେବେଳେ ଭାରତରେ ପରିସ୍ଥିତି ଭିନ୍ନ । ଏହା ଆମର ଅନନ୍ୟ ବିକାଶ ପରିସ୍ଥିତିର ଏକ ପ୍ରତ୍ୟକ୍ଷ ଏବଂ ପ୍ରମୁଖ ସୂଚକ । ଆମେ ବିଶ୍ବର ଅନ୍ୟ ପ୍ରମୁଖ ଅର୍ଥନୀତି ଅପେକ୍ଷା ଦ୍ରୁତ ଗତିରେ ବଢୁଛୁ । ଗତ 10 ବର୍ଷ ମଧ୍ୟରେ କୋଭିଡ ମହାମାରୀ, ଭୌଗୋଳିକ ତିକ୍ତତା ଏବଂ ସମଗ୍ର ବିଶ୍ବରେ ଦରଦାମ ବୃଦ୍ଧି ଭଳି ସମସ୍ୟା ସତ୍ତ୍ବେ ହାରାହାରି 5 ପ୍ରତିଶତ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ସୀମିତ କରିବାକୁ ଆମେ ପଦକ୍ଷେପ ନେଇଛୁ ।
ପ୍ରଶ୍ନ- ଆପଣଙ୍କର 10 ବର୍ଷର କାର୍ଯ୍ୟକାଳ କିପରି ଥିଲା ? ଆପଣଙ୍କ ସର୍ବଶ୍ରେଷ୍ଠ ଉପଲବ୍ଧି କ’ଣ ? ଏପରି କୌଣସି ଜିନିଷ ଯାହା ଆପଣ କରିବାକୁ ଚାହୁଁଥିଲେ, ହେଲେ କରିପାରିବେ ନାହିଁ ? କୌଣସି ଅପ୍ରତ୍ୟାଶିତ ସଫଳତା ? ଏହି 10 ବର୍ଷରେ ଆପଣଙ୍କୁ କଣ ସନ୍ତୋଷ ଦେଇଛି ?
ଉତ୍ତର- ଆମର ମୁଖ୍ୟ ଉପଲବ୍ଧି ହେଉଛି 140 କୋଟି ଲୋକଙ୍କ ମନରେ ଭରସା ଓ ବିଶ୍ବାସ ଜନ୍ମାଇବା । ଏହି ଦେଶରେ ସ୍ଥିତ କେବେ ବଦଳେ ନାହିଁ । 2014 ସୁଦ୍ଧା ଲୋକେ ସଂସ୍କାର ପାଇଁ ହତାଶ ହୋଇଥିଲେ । ସେ ଅନୁଭବ କରିଥିଲେ ଯେ ଦୁର୍ନୀତି ସର୍ବଦା ଭାରତୀୟ ଜୀବନଶୈଳୀର ଏକ ଅଂଶ ହେବ । ସରକାରଙ୍କ ବିଷୟରେ ଏକ ଧାରଣା ଥିଲା ଯେ ସେମାନେ ଗରିବଙ୍କୁ ନିଜ ଭାଗ୍ୟରେ ଛାଡି ଦେବେ ଏବଂ ମଧ୍ୟବିତ୍ତଙ୍କ ବିଷୟରେ କେବେ ଚିନ୍ତା କରିବେ ନାହିଁ । ଏପରି ପରିସ୍ଥିତିରେ, ଯେତେବେଳେ ଆମେ କ୍ଷମତାକୁ ଆସିଲୁ, ସେତେବେଳେ ଆମେ ସରକାରଙ୍କ କାର୍ଯ୍ୟ ପ୍ରଣାଳୀକୁ ବଦଳାଇଥିଲୁ । ପ୍ରଥମ ଥର ପାଇଁ ଲୋକେ ଅନୁଭବ କଲେ ଯେ ସରକାର ସେମାନଙ୍କର ସମସ୍ୟା ଏବଂ ଆକାଂକ୍ଷାକୁ ବୁଝିବେ ଏବଂ ଏହାର ସମାଧାନ ଖୋଜିବେ । ଆମର ଉଦ୍ୟମ ଯୋଗୁଁ 4 କୋଟି ପରିବାର ସେମାନଙ୍କ ଘର ଉପରେ ଛାତ ପାଇଲେ ।
ପ୍ରତ୍ୟେକ ପରିବାର ସ୍ବଚ୍ଛ ପାନୀୟ ଜଳ ପାଇଲେ । ଗ୍ୟାସ ସଂଯୋଗ 11କୋଟି ମହିଳାଙ୍କୁ ବିଷାକ୍ତ ଧୂଆଁ ବିନା ସୁସ୍ଥ ପରିବେଶରେ ରୋଷେଇ କରିବାରେ ସାହାଯ୍ୟ କରିଛି । ଏହି ପଦକ୍ଷେପଗୁଡିକ ଲୋକଙ୍କ ଜୀବନଧାରଣରେ ବଡ଼ ପରିବର୍ତ୍ତନ ଆଣିଛି । ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପ ଯୋଗୁଁ 25 କୋଟି ଲୋକ ଦାରିଦ୍ର୍ୟରୁ ବାହାରିପାରିଛନ୍ତି । ଅନ୍ୟପଟେ ଡିଜିଟାଲ ପେମେଣ୍ଟକୁ ଦେଖିଲେ, ଯେତେବେଳେ ମୁଁ ଏହା ବିଷୟରେ କହିଥିଲି, ଜଣେ ପୂର୍ବତନ ଅର୍ଥମନ୍ତ୍ରୀ ପଚାରିଥିଲେ ଯେ କ୍ୟାସଲେସ ଉଠାଦୋକାନୀ ସେମାନଙ୍କର ସାମଗ୍ରୀ କେମିତି ବିକ୍ରି କରିବେ, ସେମାନଙ୍କ ନିକଟରେ ଇଣ୍ଟରନେଟ୍ ସେବା ମିଳିବ ? ଯଦି ଆମେ 2024ରୁ ପଛକୁ ଦେଖିବା, ତେବେ ଭାରତ ଏହି କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି । ବର୍ତ୍ତମାନ ଆପଣ ଯେଉଁଠାକୁ ଯାଆନ୍ତୁ ଏବଂ କୌଣସି ଦୋକାନ ଦେଖନ୍ତୁ, ସେଠାରେ QR କୋଡ୍ ଦୃଶ୍ୟମାନ ହୁଏ । ଏହି ଡିଜିଟାଲ ପେମେଣ୍ଟ ସମଗ୍ର ବିଶ୍ବରେ ଏବେ ଆଲୋଚନାର ବିଷୟ ପାଲଟିଛି । ମୁଁ କୌଣସି ଜିନିଷରେ ସହଜରେ ସନ୍ତୁଷ୍ଟ ହୁଏ ନାହିଁ, ମୁଁ ସବୁବେଳେ ଦେଶ ପାଇଁ କିଛି କରିବାକୁ ଚାହେଁ । କଠିନ ଏବଂ ଦ୍ରୁତ ଗତିରେ କାମ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ ।