ରାୟପୁର: ସାରା ଦେଶ ସ୍ବାଧୀନତା ପାଳନ ଖୁସିରେ ଝୁମୁଥିବା ବେଳେ ଛତିଶଗଡ ସୁକମାରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ପୋଲିସ ଇନଫର୍ମର ସନ୍ଦେହରେ ନାବାଳକକୁ ହତ୍ୟା କରିଛନ୍ତି ନକ୍ସଲ । ମୃତ ଛାତ୍ର ହେଲେ ସୁକମା ଜିଲ୍ଲା ଜଗରଗୁଣ୍ଡା ପୋଲିସ ଥାନା ଅଧିନସ୍ଥ ପୂର୍ବତୀ ଗାଁର ସ୍ବୟଂମ ଶଙ୍କର । ତାଙ୍କ ବୟସ 16 ବର୍ଷ ହେବ । ତେବେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।
ଇନଫର୍ମର ସନ୍ଦେହରେ ହତ୍ୟା କଲେ ନକ୍ସଲ:
ସୁକମା ଏସପି କିରଣ ଚୌହ୍ବାନ କହିଛନ୍ତି, ନାବାଳକର ବୟସ 16 ବର୍ଷ ହେବ । ସେ ଦନ୍ତେୱାଡା ଜିଲ୍ଲାର ପାଲନାର ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ପଢୁଥିଲେ । ଗତ ସପ୍ତାହରେ ପରିବାର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ସେ ନିଜ ଗାଁ ପୂର୍ବତୀକୁ ଆସିଥିଲା । କିନ୍ତୁ ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ ।
ନିକଟରେ ଭାଇକୁ ବି ହତ୍ୟା କରିଥିଲେ ନକ୍ସଲ:
ଏହା ପ୍ରଥମ ଘଟଣା ନିକଟରେ ଶଙ୍କରଙ୍କ ଭାଇକୁ ମଧ୍ୟ ହତ୍ୟା କରିଛନ୍ତି ନକ୍ସଲ । ଏସପିଙ୍କ ସୂଚନା ମୁତାବକ, ସ୍ବଂୟମ ଶଙ୍କରଙ୍କ ବଡଭାଇ ସ୍ବଂୟମ ସିତାରାମ(19)ଙ୍କୁ ଗତ 5ରୁ 6 ଦିନ ତଳେ ମାଓବାଦୀ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ । ନକ୍ସଲଙ୍କ ଭୟରେ ଶଙ୍କରଙ୍କ ପରିବାର ଗାଁ ଛାଡି କେଉଁ ଆଡେ ଚାଲିଯାଇଛନ୍ତି । ସେପଟେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ଏହା ମଧ୍ୟ ପଢନ୍ତୁ: ମହାରାଷ୍ଟ୍ରରେ ମାଓ ଦମନ ଜୋରଦାର, ୧୨ ମାଓବାଦୀ ସଫା
ନକ୍ସଲ ହିଡମା ଗାଁରେ ଘଟିଛି ଘଟଣା:
ପୂର୍ବତୀ ଗାଁ ହେଉଛି ଟପ ନକ୍ସଲ ନେତା ଓ ମାଓବାଦୀଙ୍କ PLGA ବାଟାଲିୟନ ନମ୍ବର-1ର ପୂର୍ବ କମାଣ୍ଡର ବରସେ ଦେବାର ଗାଁ ଅଟେ । ଏଠିକାର ନକ୍ସଲ ସକ୍ରିୟ ରହିଥାନ୍ତି । ଅନେକ ସମୟରେ ଏଠାରେ ହିଁ ଯବାନଙ୍କୁ ଟାର୍ଗେଟ କରାଯାଏ । ଗତ ଫେବୃଆରୀରେ ପୋଲିସ ମେଡିକାଲ କ୍ୟାମ୍ପ କରି ଲୋକଙ୍କ ଚେକଅପ ସହ ସଚେତନତା କରିଥିଲା ।
ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କ ଖେଳାଇଲେ ନକ୍ସଲ:
ଆଜି ସାରା ଦେଶ 78ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏଥିପାଇଁ ଚଳଚଞ୍ଚଳ ପୂରପଲ୍ଲୀ । ଭାରତ ମାତା କି ଜୟ ଧ୍ବନିଂରେ ଗଗନ ପବନ ମୁଖରିତ । ଏପଟେ ଛାତ୍ରକୁ ମାଓବାଦୀ ହତ୍ୟା କରି ସାଧାରଣରେ ଭୟର ବାତାବରଣ ଖେଳାଇ ଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।
ଏହା ମଧ୍ୟ ପଢନ୍ତୁ: ଶହୀଦ ସପ୍ତାହ ପାଳୁଛି ଲାଲ ବାହିନୀ: ପୋଷ୍ଟର ମାରି ସମସ୍ତଙ୍କୁ ଆହ୍ୱାନ, ଭୟରେ ଲୋକେ